ଇନ୍‌ଡୋର ଷ୍ଟାଡିୟମ ଉଦ୍ଘାଟନ କଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କହିଲେ ଆମ ପିଲାଙ୍କ ଖେଳ ଦକ୍ଷତାର ପରିପ୍ରକାଶ ହେବ

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ସିଏସ୍‌ଆର ଅନୁଦାନରେ ନିର୍ମିତ ବଲାଙ୍ଗୀର ପୃଥୀରାଜ ହାଇସ୍କୁଲ ଇନ୍‌ଡୋର ଷ୍ଟାଡିୟମକୁ ରବିବାର  ଉଦ୍‌ଘାଟନ କରିଛନ୍ତି। ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଉଦ୍‌ଘାଟନୀ ସଭାରେ କେନ୍ଦ୍ରମନ୍ତ୍ରୀ ପ୍ରଧାନ, ବଲାଙ୍ଗୀର ଏମ୍‌ପି ସଙ୍ଗୀତା କୁମାରୀ ସିଂଦେଓ, ବିଧାୟକ ନରସିଂହ ମିଶ୍ର, ଲୋଇସିଂହା ବିଧାୟକ ଡ.ମୁକେଶ ମହାଲିଙ୍ଗ, ପୂର୍ବତନ ମନ୍ତ୍ରୀ କନକ ବର୍ଦ୍ଧନ ସିଂଦେଓ, ଗେଲ୍‌ ଇଣ୍ଡିଆ ଲିମିଟେଡ୍‌ ନିର୍ଦ୍ଦେଶକ (ପ୍ରକଳ୍ପ) ଦୀପକ ଗୁପ୍ତା ମଞ୍ଚାସୀନ ଥିଲେ। ଷ୍ଟାଡିୟମ ଉଦ୍‌ଘାଟନୀ ଅବସରରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ପ୍ରଧାନ କହିଥିଲେ ଯେ, ଗେଲ ଇଣ୍ଡିଆ ଏକ ଜାତୀୟସ୍ତରର ଷ୍ଟାଡିୟମ ନିର୍ମାଣ କରିଛି।

ଏଠାରୁ ଆମ ପିଲାଙ୍କ ଖେଳ ଦକ୍ଷତା, ଟ୍ୟାଲେଣ୍ଟର ପରିପ୍ରକାଶ ହେବ। ଏହି ସ୍କୁଲ ଓ ବଲାଙ୍ଗୀରବାସୀ ଏହାର ଦାୟିତ୍ୱ ନିଅନ୍ତୁ ବୋଲି ସେ କହିଥିଲେ। ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୃଢ଼ ନେତୃତ୍ୱରେ ଆନ୍ତର୍ଜାତିକ ସ୍ତରରେ ଦେଶ ଓ ଦେଶବାସୀଙ୍କ ସମ୍ମାନ ବଢ଼ିଛି। କେନ୍ଦ୍ର କ୍ୟାବିନେଟ ଏବେ ଧାନର ସର୍ବନିମ୍ନ ମୂଲ୍ୟ ବୃଦ୍ଧି କରିଛି। ବରଗଡରେ କେନ୍ଦ୍ର ସରକାର ୧୬୦୦ କୋଟି ଟଙ୍କା ଖର୍ଚ୍ଚ କରି ଏକ ଇଥାନଲ ପ୍ଳାଣ୍ଟ ବସାଉଛନ୍ତି।

ଏହାଦ୍ୱାରା ବରଗଡ, ବଲାଙ୍ଗୀର, ସମ୍ବଲପୁର, କଳାହାଣ୍ଡି ଓ ସମଗ୍ର ପଶ୍ଚିମ ଓଡିଶାର ଧାନ ଉପତ୍ାଦନ ଅଞ୍ଚଳର ଚାଷୀ ଓ ଲୋକ ଉପକୃତ ହେବେ ବୋଲି କହିଥିଲେ। ଏହି ଅଞ୍ଚଳର ସାମୂହିକ ବିକାଶ ପାଇଁ ଆମେ ପ୍ରତିବଦ୍ଧ। ରାଜନୈତିକ, ବୌଦ୍ଧିକ, ସାହିତି୍ୟକ ସ୍ତରରେ ବଲାଙ୍ଗୀର ସମଗ୍ର ରାଜ୍ୟକୁ ନେତୃତ୍ୱ ନେବାର ସାମର୍ଥ୍ୟ ରଖିଛି ବୋଲି ମନ୍ତ୍ରୀ ପ୍ରଧାନ କହିଥିଲେ। ପ୍ରାୟ ୧୦ କୋଟି ଟଙ୍କାରେ ଏହି ଷ୍ଟାଡିୟମ ନିର୍ମାଣ କରିଥିବାରୁ ଗେଲ ଇଣ୍ଡିଆ ଲିମିଟେଡକୁ ମନ୍ତ୍ରୀ ପ୍ରଧାନ ଧନ୍ୟବାଦ ଦେଇଥିଲେ।

Leave A Reply

Your email address will not be published.