ଓଡିଆ ନ୍ୟୁଜ (ବ୍ୟୁରୋ) : ଆଜିଠୁ ଭାରତ-ଇଣ୍ଡିଜ୍ ପ୍ରଥମ ଟି-୨୦ମ୍ୟାଚ ଆରମ୍ଭ ହେବାକୁ ଯାଉଛି । ଦିନିକିଆ ଶୃଙ୍ଖଳା ଜିତିବା ପରେ ଭାରତୀୟ ଯୁବ ଦଳର ପରବର୍ତ୍ତୀ ଅଭିଯାନ ଗୁରୁବାରଠୁ ଆରମ୍ଭ ହେବ। ୱେଷ୍ଟଇଣ୍ଡିଜ୍ ବିପକ୍ଷରେ ୫ ମ୍ୟାଚ୍ ବିଶିଷ୍ଟ ଟ୍ବେଣ୍ଟି-୨୦ ଶୃଙ୍ଖଳା ଖେଳିବ ଭାରତୀୟ ଦଳ। ତରୌବାର ବ୍ରାଏନ୍ ଲାରା ଷ୍ଟାଡିୟମ୍ରେ ଶୃଙ୍ଖଳାର ପ୍ରଥମ ମ୍ୟାଚ୍ ଖେଳିବା ପରେ ପରବର୍ତ୍ତୀ ଦୁଇ ମ୍ୟାଚ୍ ଗାଏନାରେ ଏବଂ ଶେଷ ଦୁଇ ମ୍ୟାଚ୍ ଆମେରିକାର ଫ୍ଲୋରିଡ଼ାରେ ଅନୁଷ୍ଠିତ ହେବ।
ଯୁବ କ୍ରିକେଟରଙ୍କୁ ସେମାନଙ୍କ ପ୍ରତିଭାର ପ୍ରଦର୍ଶନ କରିବା ପାଇଁ ଏହା ଉପଯୁକ୍ତ ସମୟ ବୋଲି କୁହାଯାଉଛି। ରୋହିତ ଶର୍ମା, ବିରାଟ କୋହଲିଙ୍କ ବିନା ଯେପରି ଦିନିକିଆ ଶୃଙ୍ଖଳାକୁ ଭାରତ ଜିତିଥିଲା, ଏବେ ଟ୍ବେଣ୍ଟି-୨୦ରେ ମଧ୍ୟ ସେହି କମାଲ୍ ଦେଖାଇବା ପାଇଁ ପୁଣି ସୁଯୋଗ ସୃଷ୍ଟି ହୋଇଛି ।ଆରମ୍ଭଗ ହେଉଥିବା ସୀମିତ ଓଭର ଶୃଙ୍ଖଳାରେ ବିଶେଷ କରି ଯଶସ୍ବୀ ଜୟସ୍ବାଲ୍, ତିଳକ ବର୍ମା, ମୁକେଶ କୁମାରଙ୍କ ଭଳି ନବାଗତଙ୍କ ଉପରେ ଅଧିକ ନଜର ରହିବ। ଆଇପିଏଲ୍ ପ୍ରଦର୍ଶନକୁ ଦେଖି ତିଳକ ଓ ଯଶସ୍ବୀଙ୍କୁ ଭାରତୀୟ ଦଳର ଡକରା ଆସିଥିଲା। ସେହିପରି ମୁଖ୍ୟ ଚୟନକର୍ତ୍ତା ଅଜିତ ଅଗରକରଙ୍କ ନେତୃତ୍ବରେ ଘୋଷଣା ହୋଇଥିବା ପ୍ରଥମ ଟ୍ବେଣ୍ଟି-୨୦ ଦଳରେ ସଞ୍ଜୁ ସାମସନ୍ଙ୍କୁ ଫେରାଇ ଅଣାଯାଇଥିଲା। ତୃତୀୟ ଦିନିକିଆରେ ବିସ୍ଫୋରକ ଖେଳି ସଞ୍ଜୁ ଲୟରେ ଥିବା ପ୍ରମାଣ ଦେଇସାରିଛନ୍ତି। ସେହିପରି ସ୍ପିନରଙ୍କ ମଧ୍ୟରେ ଏକାଧିକ ବିକଳ୍ପ ଭାରତ ପାଖରେ ରହିଛି। ରବି ବିଷ୍ଣୋଇ ପ୍ରତ୍ୟାବର୍ତ୍ତନ କରିଥିଲା ବେଳେ ଦୀର୍ଘ ସମୟ ଧରି ବେଞ୍ଚରେ ବସିଆସୁଥିବା ୟୁଝବେନ୍ଦ୍ର ଚହଲ, କୁଲଦୀପ ଯାଦବ ଓ ସ୍ପିନ୍ ଅଲରାଉଣ୍ଡର ଅକ୍ଷର ପଟେଲ୍ ଏହି ଦଳରେ ଅଛନ୍ତି। ଦ୍ରୁତ ବୋଲରଙ୍କ ମଧ୍ୟରେ ମୁକେଶ କୁମାର ତୃତୀୟ ଦିନିକିଆରେ ଆରମ୍ଭରୁ ଘରୋଇ ଦଳର ବିପର୍ୟ୍ୟୟ ଘଟାଇ ଦଳୀୟ ପରିଚାଳନା ମଣ୍ଡଳିର ଆସ୍ଥାଭାଜନ ହୋଇପାରିଛନ୍ତି।
ଏବେ ଟ୍ବେଣ୍ଟି-୨୦ରେ ତାଙ୍କ ପ୍ରତିଦ୍ବନ୍ଦ୍ବୀ ଭାବେ ଅର୍ଶଦୀପ ସିଂହ, ଉମ୍ରାନ ମଲ୍ଲିକ ଓ ଆୱେସ ଖାନ୍ ରହିଛନ୍ତି। ଆସନ୍ତା ବର୍ଷ ବିଶ୍ବକପ୍ ଥିବାରୁ ଯୁବ ଦ୍ରୁତ ବୋଲରଙ୍କୁ ସେଥିପାଇଁ ପ୍ରସ୍ତୁତ କରିବାକୁ ଏପରି କରାଯାଇଛି। ଅନ୍ୟପକ୍ଷରେ ବ୍ୟାଟିଂ କ୍ରମରେ ଈଶାନ କିଶନ, ଶୁବମନ ଗିଲ୍ ଓ ଯଶସ୍ବୀଙ୍କ ଉପରେ ଶୀର୍ଷ ଭାର ରହିବାକୁ ଥିଲା ବେଳେ ମଧ୍ୟକ୍ରମରେ ସୂର୍ୟ୍ୟକୁମାର ଯାଦବ, ହାର୍ଦିକ ପାଣ୍ଡ୍ୟା ପାଳି ସମ୍ଭାଳିବେ। ଅପରପକ୍ଷେ ପ୍ରଥମେ ଟେଷ୍ଟ ଓ ପରେ ଦିନିକିଆ ଶୃଙ୍ଖଳାରେ ପରାଜିତ ହୋଇଥିବା ୱେଷ୍ଟଇଣ୍ଡିଜ୍ ଟ୍ବେଣ୍ଟି-୨୦ରେ କିଛି ଭଲ ପ୍ରଦର୍ଶନ କରିବାକୁ ଚାହିଁବ।