ଇରାନ୍ ରାଷ୍ଟ୍ରପତିଙ୍କ ମୃତ୍ୟୁରେ ଭାରତରେ ଶୋକ

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ହେଲିକପ୍ଟର ଦୁର୍ଘଟଣାରେ ଇରାନ ରାଷ୍ଟ୍ରପତି ଇବ୍ରାହିମ ରଇସିଙ୍କ ମୃତ୍ୟୁ ଘଟଣା ।  ଇରାନ୍ ରାଷ୍ଟ୍ରପତି ଇବ୍ରାହିମ ରାଇସିଙ୍କ ମୃତ୍ୟୁରେ ଆଜି ପାଇଁ ରାଷ୍ଟ୍ରୀୟ ଶୋକ ଘୋଷଣା କରିଛି ଭାରତ । ଭାରତ ସରକାରଙ୍କ ପକ୍ଷରୁ ଜାତୀୟ ପତାକାକୁ ଅର୍ଦ୍ଧନମିତ କରାଯିବା ସହ ଦେଶବ୍ୟାପୀ ଦିନିକିଆ ରାଷ୍ଟ୍ରୀୟ ଶୋକ ପାଳନ ହେବ ବୋଲି ଘୋଷଣା କରାଯାଇଛି । ତା’ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଇରାନ୍ ରାଷ୍ଟ୍ରପତି ଏବଂ ବୈଦେଶିକ ମନ୍ତ୍ରୀଙ୍କ ବିୟୋଗରେ ଶୋକପ୍ରକାଶ କରିଛନ୍ତି ।

ଏହାସହ ଶୋକସନ୍ତପ୍ତ ପରିବାର ପ୍ରତି ଗଭୀର ସମବେଦନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଶୋକ ସମୟରେ ସରକାରୀ ସ୍ତରରେ କୌଣସି ମନୋରଞ୍ଜନ କାର୍ଯ୍ୟକ୍ରମର ଆୟୋଜନ କରାଯିବାକୁ ବାରଣ କରାଯାଇଛି । ରବିବାର ହେଲିକପ୍ଟର ଦୁର୍ଘଟଣାରେ ରାଷ୍ଟ୍ରପତି ଇବ୍ରାହିମଙ୍କ ସହ ପ୍ରାଣ ହରାଇଥିଲେ ଇରାନ୍ ବୈଦେଶିକ ମନ୍ତ୍ରୀ ହୋସେନ୍ ଅମିର ଅବଦୁଲ୍ଲାହିଆନ୍ । ସ୍ଥାନୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ଆଜରବାଇଜାନ ସୀମା ନିକଟରେ ଇରାନର ଉତ୍ତର-ପଶ୍ଚିମର ତବ୍ରେଜ୍ ନିକଟରେ ଏହି ଦୁର୍ଘଟଣା ଘଟିଥିଲା। ଏହି ଖବର ପରେ ଇରାନର ରିଭୋଲ୍ୟୁସନରୀ ଗାର୍ଡ, ସେନା ଏବଂ ରେଡ୍ କ୍ରିସେଣ୍ଟ ଦୁର୍ଘଟଣାସ୍ଥଳରେ ପହଞ୍ଚି ରେସ୍କ୍ୟୁ ଅପରେସନ୍ ଆରମ୍ଭ କରିଥିଲେ।

ଇବ୍ରାହିମ ରଇସିଙ୍କ ହେଲିକପ୍ଟରର ଦୁର୍ଘଟଣା ଏବେ ସନ୍ଦେହ ଘେରରେ। ତାଙ୍କ ମୃତ୍ୟୁ ସହ ଅନ୍ୟ ଅଧିକାରୀଙ୍କ ମୃତ୍ୟୁ ନେଇ ଏକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ତେବେ ରାଷ୍ଟ୍ରପତିଙ୍କ ମୃତ୍ୟୁ ପରେ ଦେଶରେ ଅନିଶ୍ଚିତତା ଦେଖାଦେଇଛି। ଯାହାକି ସମଗ୍ର ମଧ୍ୟ ପୂର୍ବ ଉପରେ ପ୍ରଭାବ ପକାଇପାରେ। କେବଳ ସେତିକି ନୁହେଁ, ରଇସିଙ୍କ ମୃତ୍ୟୁ ଇରାନ ଉପରେ ଆଭ୍ୟନ୍ତରୀଣ ତଥା ବାହ୍ୟ ଶତ୍ରୁ କିମ୍ବା ଇସ୍ରାଏଲ ପରି ବାହ୍ୟ ଦେଶର ସମ୍ପୃକ୍ତିକୁ ନେଇ ପ୍ରଶ୍ନ ଉଠିଛି।

Comments are closed.