ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ସିରିଜ ବରାବର କଲା ଭାରତ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ):  ଦକ୍ଷିଣ ଆଫ୍ରିକା ଗସ୍ତରେ ଟି-୨୦ ସିରିଜ ବରାବର କଲା ଭାରତ । ଚଳିତ ଟି-୨୦ ସିରିଜରେ ୦-୧ ପଛରେ ଥିଲା ଭାରତ । ହେଲେ ତୃତୀୟ ମ୍ୟାଚରେ ହାସଲ କଲା ବଡ ବିଜୟ । ପ୍ରୋଟିଜକୁ ୧୦୬ରନରେ ଧୂଳି ଚଟାଇ ସିରିଜ ବରାବର କଲା ଟିମ୍ ଇଣ୍ଡିଆ । ସୂର୍ଯ୍ୟକୁମାର ଯାଦବଙ୍କ ବିଧ୍ୱଂସୀ ଶତକ ଓ କୁଲଦୀପ ଯାଦବଙ୍କ ଘାତକ ବୋଲିଂ ଆଗରେ ମୁଣ୍ଡ ନୁଆଁଇ ଥିଲା ଦକ୍ଷିଣ ଆଫ୍ରିକା । ଟି-୨୦ରେ ଚତୁର୍ଥ ଥର ପାଇଁ ସୂର୍ଯ୍ୟ ଶତକ ଲଗାଇଥିବା ବେଳେ କୁଲଦୀପ ଦ୍ୱିତୀୟ ଥର ପାଇଁ ୫ ୱିକେଟ ହାସଲ କରିଥିଲେ । ଫଳରେ ଟି-୨୦ରେ ଦକ୍ଷିଣ ଆଫ୍ରିକା ବିରୋଧରେ ଭାରତ ସବୁଠୁ ବଡ ବିଜୟ ହାସଲ କରିଛି । ଏଥିସହ ପ୍ରୋଟିଜ ବିପକ୍ଷରେ ଟି-୨୦ ରେକର୍ଡରେ ଉନ୍ନତି ଆଣିଛି । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୬ଟି ଟି-୨୦ ମ୍ୟାଚ ହୋଇଥିବା ବେଳେ ଭାରତ ୧୩ଟିରେ ଏବଂ ଦକ୍ଷିଣ ଆଫ୍ରିକା ୧୧ଟିରେ ବିଜୟୀ ହୋଇଛି । ବାକି ୨ଟି ମ୍ୟାଚର ଫଳାଫଳ ହୋଇପାରି ନାହିଁ ।

ଗୁରୁବାର ଜୋହାନସବର୍ଗର ୱାଣ୍ଡରର୍ସ ଷ୍ଟାଡିଅମରେ ଖେଳା ଯାଇଥିଲା ସିରିଜର ତୃତୀୟ ମ୍ୟାଚ । ଟସ ଜିତି ଦକ୍ଷିଣ ଆଫ୍ରିକା ନେଇଥିଲା ଫିଲ୍ଡଂ ନିଷ୍ପତି । ଭାରତ ପାଇଁ ଏହା ବରଦାନ ସଦୃଶ ହୋଇଥିଲା । ଆରମ୍ଭରୁ ୨ ଓଭର ୩ଟି ବଲରେ ଭାରତ ୨ଟି ୱିକେଟ ହରାଇ କରିଥିଲା ୨୯ ରନ । ହେଲେ ଏହାପରେ ସୂର୍ଯ୍ୟ କୁମାର ଯାଦବ ଓ ଯଶସ୍ୱୀ ଜୟସ୍ୱାଲ ବିଧ୍ୱଂସୀ ବ୍ୟାଟିଂ କରିଥିଲେ । ଦୁହେଁ ମାତ୍ର ୬୯ ବଲରେ ୧୧୨ ରନ ଯୋଡି ଥିଲେ । ଜୟସ୍ୱାଲ ୪୧ଟି ବଲରୁ ୬ଟି ଚୌକା ଓ ୩ଟି ଛକା ସହ ୬୦ ରନ କରିଥିଲେ । ସୂର୍ଯ୍ୟ ୫୫ଟି ବଲରେ ଶତକ କରି ପରବର୍ତୀ ବଲରେ ଆଉଟ ହୋଇଥିଲେ । ହେଲେ ୧୯ ଓଭର ୨ଟି ବଲରେ ଆଉଟ ହେବା ବେଳକୁ ଭାରତର ସ୍କୋରକୁ ୫ ୱିକେଟରେ ୧୯୪ ରନରେ ପହଂଚାଇ ଦେଇଥିଲେ । ସୂର୍ଯ୍ୟ ୫୬ଟି ବଲରୁ ୭ଟି ଚୌକା ଓ ୮ଟି ଛକା ସହ ୧୦୦ ରନ କରିଥିଲେ । ଦକ୍ଷିଣ ଆଫ୍ରିକା ପକ୍ଷରୁ କେଶବ ମହାରାଜ ଓ ଲିଜାଡ ୱିଲିଅମସ ୨ଟି ଲେଖାଏଁ ଏବଂ ନାନେ୍ଦ୍ର ବର୍ଗର ଓ ତବରେଜ୍ ଶମସୀ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ ।

ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ୱିକେଟ ହରାଇ କରିଥିଲା ୨୦୧ ରନ । ଦକ୍ଷିଣ ଆଫ୍ରିକାକୁ ମିଳିଥିଲା ୨୦୨ରନର ଟାର୍ଗେଟ । ଜବାବରେ ଭାରତୀୟ ବୋଲରଙ୍କ ଘାତକ ବୋଲିଂରେ ଘାଇଲା ହୋଇଥିଲେ ଦକ୍ଷିଣ ଆଫ୍ରିକୀୟ ବ୍ୟାଟ୍ସମ୍ୟାନ । ସିରାଜ ପ୍ରଥମ ଓଭର ମେଡେନ ନେଇଥିବା ବେଳେ ଭାରତୀୟ ସ୍ପିନରମାନେ ଦକ୍ଷିଣ ଆଫ୍ରିକା ବ୍ୟାଟରଙ୍କୁ ଅଡୁଆରେ ପକାଇଥିଲେ । ଦୁଇଜଣ ବ୍ୟାଟର ଶୂବରେ ଆଉଟ ହୋଇଥିବା ବେଳେ ୮ଜଣ ଦୁଇ ଅଙ୍କ ଛୁଇଁ ପାରି ନଥିଲେ । କେବଳ ଡେଭିଡ ମିଲର ୨୫ବଲରୁ ୨ଟି ଲେଖାଏଁ ଚୌକା ଓ ଛକା ସହ ୩୫ ରନ, ଏଡେନ ମାର୍କରାମ ୧୪ଟି ବଲରୁ ୩ଟି ଚୌକା ଓ ୨ଟି ଛକା ସହ ୨୫ରନ କରିଥିଲେ । ଭାରତ ପକ୍ଷରୁ କୁଲଦୀପ ଯାଦବ ୫ଟି, ରବୀନ୍ଦ୍ର ଜାଡେଜା ୨ଟି ଏବଂ ମୁକେଶ କୁମାର ଓ ଅର୍ଶଦୀପ ସିଂ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଫଳରେ ଦକ୍ଷିଣ ଆଫ୍ରିକା ୧୩ ଓଭର ୫ଟି ବଲରେ ୯୫ ରନରେ ଅଲଆଉଟ୍ ହୋଇଥିଲା । ଆଉ ଭାରତକୁ ମିଳିଥିବା ୧୦୬ ରନର ବଡ ବିଜୟ । ସିରିଜରେ ୧୫୪ ରନ କରିଥିବା ସୂର୍ଯ୍ୟକୁମାର ଯାଦବ ପ୍ଲେୟର ଅଫ ଦ ମ୍ୟାଚ ଓ ପ୍ଲେୟର ଅଫ ଦ ସିରିଜ ବିବେଚିତ ହୋଇଥିଲା ।

Leave A Reply

Your email address will not be published.