ଓଡ଼ିଆ ନ୍ୟୁଜ୍: ଭାରତ ଓ ପାକିସ୍ତାନ ମଧ୍ୟରେ ମହାମୁକାବିଲା। ଏହି ମୁକାବିଲା କଲୋମ୍ବୋର ପ୍ରେମଦାସା ଷ୍ଟାଡିୟମରେ ଖେଳାଯିବ। ମ୍ୟାଚରେ ଦୁଇ ଦଳର ପ୍ରତିଷ୍ଠା ବାଜିରେ ଲାଗିଛି। ଟି-୨୦ ବିଶ୍ଵକପ୍ ୨୦୨୬ର ଏହି ମ୍ୟାଚ୍ ଉପରେ ସାରା ଦୁନିଆର ନଜର। ମ୍ୟାଚରେ ଟସ୍ ଜିତି ପାକିସ୍ତାନ ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ଆଉ ପ୍ରଥମେ ବ୍ୟାଟିଂ କରିବ ଭାରତ। ଭାରତୀୟ ଦଳର ଚୂଡାନ୍ତ ଏକାଦଶରେ ଦୁଇଟି ପରିବର୍ତ୍ତନ ଘଟିଛି। ପାକିସ୍ତାନ ଦଳରେ କୌଣସି ପରିବର୍ତ୍ତନ ଘଟି ନାହିଁ।
ଭାରତ- ପାକ ମୁକାବିଲା ସର୍ବଦା ଆଇସିସି ଟୁର୍ଣ୍ଣାମେଣ୍ଟର ମୁଖ୍ୟ ଆକର୍ଷଣ ସାଜୁଥିଲେ ହେଁ ଏଥର ଅନେକ ବିବାଦ ଯୋଡ଼ି ହୋଇଥିବାରୁ ଉଭୟ ଦେଶର ସମର୍ଥକଙ୍କ ଭାବନା ଓ ଉତ୍ସାହ ମ୍ୟାଚ୍ର ରୋମାଞ୍ଚକୁ ସ୍ୱତନ୍ତ୍ର କରିଛି । ଟି-ଟ୍ୱେଣ୍ଟି ବିଶ୍ୱକପରେ ଭାରତ ୭-୧ରେ ଆଗୁଆ ରହିଛି । ଆଜି ମଧ୍ୟ ଡିଫେଣ୍ଡିଂ ଚାମ୍ପିଅନ୍ ଦଳର ଆଧିପତ୍ୟ ଜାରି ରହିବା ଏକ ପ୍ରକାର ନିଶ୍ଚିତ । ତଥାପି ପାକିସ୍ତାନ କଡ଼ା ଟକ୍କର ଦେବାକୁ ପ୍ରସ୍ତୁତ ।
ଗତ ଏସିଆ କପରେ ଉଭୟ ଦଳ ୩ଥର ସାମ୍ନା ସାମ୍ନି ହୋଇଥିଲେ ଓ ଭାରତ ସମସ୍ତ ମ୍ୟାଚ୍ ଜିତିଥିଲା । ପ୍ରତ୍ୟେକ ମ୍ୟାଚରେ ପାକିସ୍ତାନ ଜୋରଦାର ଲଢ଼େଇ କରିଥିଲା । ତେଣୁ ପାକିସ୍ତାନକୁ ଦୁର୍ବଳ ଭାବିବା ଭାରି ପଡ଼ିବ । ଉଭୟ ଦଳର ସ୍ପିନରଙ୍କ ପ୍ରଦର୍ଶନ ଉପରେ ମ୍ୟାଚ ଫଳାଫଳ ନିର୍ଭର କରିବ ବୋଲି ମତ ପ୍ରକାଶ ପାଉଛି । ତେଣୁ ଭାରତର ବରୁଣ ଚକ୍ରବର୍ତ୍ତୀ ଓ ପାକିସ୍ତାନର ଉସମାନ ତାରିକ ନଜରରେ ରହିଛନ୍ତି ।