ଓଡ଼ିଆ ନ୍ୟୁଜ୍: ୫୨ ବର୍ଷର ମହିଳା କ୍ରିକେଟ୍ ବିଶ୍ବକପ୍ ଇତିହାସରେ ଯାହା ହୋଇ ନଥିଲା ରବିବାର ରାତିରେ ତାହା ସମ୍ଭବ ହୋଇଛି। ଭାରତୀୟ ମହିଳା କ୍ରିକେଟ୍ ଦଳ ସର୍ବପ୍ରଥମ ବିଶ୍ବକପ୍ ଜିତି ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇଛି। ଏଥି ସହ ୧୯୮୩ ମସିହାରେ କପିଳ ଦେବଙ୍କ ପୁରୁଷ କ୍ରିକେଟ୍ ଦଳର ଐତିହାସିକ ବିଶ୍ବକପ୍ ଭଳି ଭାରତୀୟ ମହିଳା ଦଳ ବିଶ୍ବ ମୁକୁଟ ଜିତି ନୂଆ ଫର୍ଦ ଯୋଡ଼ିଛି।
ମହିଳା କ୍ରିକେଟ୍ରେ ବି ଭାରତ ପାଇଁ ଏକ ବୈପ୍ଲବିକ ପରିବର୍ତ୍ତନ ଯୁଗର ଶୁଭାରମ୍ଭ ହୋଇଛି। ୨୦୦୫ ଫାଇନାଲ୍ରେ ଅଷ୍ଟ୍ରେଲିଆଠାରୁ ଏବଂ ୨୦୧୭ ଫାଇନାଲ୍ରେ ଇଂଲଣ୍ଡଠାରୁ ହାରି ରନର୍ସଅପ୍ ହୋଇଥିବା ଭାରତୀୟ ଦଳ ତୃତୀୟ ଥର ଫାଇନାଲ୍ ଖେଳି ପ୍ରଥମ ଥର ବିଶ୍ବ ବିଜେତା ହୋଇଛି।
ଅନ୍ୟପକ୍ଷରେ ଘରୋଇ ଭାରତ ଟସ୍ ହାରିଥିଲେ ମଧ୍ୟ ସ୍ଥାନୀୟ ଡି ୱାଇ ପାଟିଲ ଷ୍ଟାଡିୟମ୍ରେ ଦୃଢ଼ ମୂଳଦୁଆ ପକାଇ ଆତ୍ମବିଶ୍ବାସ ବଢ଼ାଇଥିଲା। ସ୍ମୃତି ମନ୍ଧାନା (୫୮ ବଲ୍ରୁ ୪୫ ରନ୍) ଓ ଶେଫାଳି ବର୍ମା (୭୮ ବଲ୍ରୁ ୮୭ ରନ୍) ପ୍ରଥମ ୱିକେଟ୍ରେ ୧୦୪ ରନ୍ର ଭାଗୀଦାର ଗଢ଼ିବା ଦର୍ଶକଙ୍କୁ ବି ଉଲ୍ଲସିତ କରିଥିଲା।