ଓଡିଆ ନ୍ୟୁଜ୍(ବ୍ୟୁରୋ): ବର୍ତ୍ତମାନ ବିଶ୍ବ ଯୁଦ୍ଧ ଘନଘଟା ଦେଇ ଗତିକରୁଥିବାବେଳେ ଦୁଇ ପାରମ୍ପରିକ ଶତ୍ରୁ ଦେଶ ଭାରତ ପାକିସ୍ତାନ ମଧ୍ୟରେ ଏକ ନୂଆ ବିବାଦ ସୃଷ୍ଟି ହୋଇଛି । ବୈଷୟିକ ତ୍ରୁଟି ଯୋଗୁଁ ଭାରତର ଏକ ମିସାଇଲ ସୀମା ଅତିକ୍ରମ କରି ପାକିସ୍ତାନ ଭିତରେ ପଡ଼ିଛି । ଏହାକୁ ନେଇ ପାକିସ୍ତାନ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିବା ସହ ଇସ୍ଲାମାବାଦରେ ଅବସ୍ଥାପିତ ଭାରତୀୟ ମିଶନ ମୁଖ୍ୟଙ୍କୁ ଡକାଇ ପ୍ରତିବାଦ ଜଣାଇଛି । ଭାରତର ପ୍ରତିରକ୍ଷା ମନ୍ତ୍ରାଳୟ ମଧ୍ୟ ଏହି ଘଟଣାକୁ ସ୍ବୀକାର କରିଛି । ବୈଷୟିକ ତ୍ରୁଟି ଯୋଗୁଁ ଏହି ଘଟଣା ଘଟିଥିଲା ବୋଲି ମନ୍ତ୍ରାଳୟ କହିବା ସହ ଏଥିପାଇଁ ଦୁଃଖ ପ୍ରକାଶ କରିଛି ।
ସୂଚନାଯୋଗ୍ୟ, ଭାରତ ଉପରେ ପାକିସ୍ତାନ ଏୟାରସ୍ପେଶ ଉଲ୍ଲଂଘନ ଅଭିଯୋଗ କରିଥିଲା । ପାକିସ୍ତାନର ୧୨୪ କିମି ଭିତରକୁ ଭାରତର ଏକ ମିଜାଇଲ ଖାନଓ୍ବାଲ ଜିଲ୍ଲାରେ ପଡିଥିବା ପାକିସ୍ତାନ ଅଭିଯୋଗ କରିଥିଲା । ଯାହାର ଉତ୍ତର ଭାରତ ସରକାରଙ୍କ ପକ୍ଷରୁ ରଖାଯାଇଛି ।ଭାରତ ତରଫରୁ କୁହାଯାଇଛି, ୯ ମାର୍ଚ୍ଚରେ ଏକ ରୁଟିନ୍ ମେଣ୍ଟେନେନ୍ସ ସମୟରେ ବୈଷୟିକ ତ୍ରୁଟି କାରଣରୁ ଏକ ମିଜାଇଲ ଫାୟାର ହୋଇ ଯାଇଥିଲା । ସରକାର ମାମଲାର ତଦନ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।
ଭାରତ ସରକାରଙ୍କ ଅନୁସାରେ, ତ୍ରୁଟି ଯୋଗୁଁ ମିଜାଇଲଟି ଫାୟାର ହେବା ପରେ ପାକିସ୍ତାନରେ ପଡିଥିଲା । ଏଥରେ କୌଣସି ଲୋକଙ୍କ ମୃତ୍ୟୁ ଘଟିନାହିଁ । ଏହାକୁ ଭାରତର ଆକ୍ରମଣ ବୋଲି ପାକିସ୍ତାନ କହୁଛି । ଭାରତର ମିଜାଇଲ ପଡିବାକୁ ନେଇ ସେଠାରେ ସରକାରଙ୍କଠାରୁ ଆରମ୍ଭ କରି ମିଡିଆ ପର୍ଯ୍ୟନ୍ତ ସବୁଛି ଚର୍ଚ୍ଚା ଜୋର ଧରିଛି।ପାକିସ୍ତାନ ଗଣମାଧ୍ୟମ ‘ଦି ଏକ୍ସପ୍ରେସ ଟ୍ରିବ୍ୟୁନ’ରେ ପ୍ରକାଶ ପାଇଥିବା ରିପୋର୍ଟ ଅନୁସାରେ, ପାକିସ୍ତାନ ବିଦେଶ ମନ୍ତ୍ରୀ କହିଥିଲେ, ‘ଭାରତ ସରକାର ଏଥିପାଇଁ ଦାୟୀ । ଏହାକୁ ଭାରତ ସରକାରଙ୍କୁ ମାନିବାକୁ ପଡିବ । ଭାରତ ସରକାରଙ୍କ ସ୍ପଷ୍ଟିକରଣ ପରେ ଆମେ ଆଗକୁ ପଦକ୍ଷେପ ନେବୁ ।’