ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଦିନିକିଆ ବିଶ୍ୱକପ୍ ପରେ ଟି ୨୦ରେ ଭାରତର ଜବରଦସ୍ତ ଲେଉଟାଣି । ପୁଣିଥରେ ବିଶ୍ୱବିଜେତା ଟିମ୍ ଭଳି ପ୍ରଦର୍ଶନ ଦେବାରେ ଲାଗିଛି । ଅଷ୍ଟ୍ରେଲିଆ ଉପରେ ଦିନିକିଆ ବିଶ୍ୱକପ୍ ଫାଇନାଲ ପରାଜୟର ପ୍ରତିଶୋଧ ନେଉଛି ଭାରତ । ନ ହେଲେ କ’ଣ ଏହା ସମ୍ଭବ ହୋଇଥାନ୍ତା । ଚଳିତ ଟି – ୨୦ ସିରିଜର ଦ୍ୱିତୀୟ ମ୍ୟାଚରେ ଶକ୍ତିଶାଳୀ ଅଷ୍ଟ୍ରେଲିଆକୁ ୪୪ ରନରେ ପରାସ୍ତ କରିଛି ଭାରତୀୟ ଯୁବ ଟିମ୍ । ସିରିଜର ପ୍୍ରଥମ ମ୍ୟାଚକୁ ୨ ଓିକେଟରେ ଜିତିଥିବା ଭାରତ ଏବେ ଦ୍ୱତୀୟ ମ୍ୟାଚ୍ ଜିତି ସିରିଜରେ ୨-୦ରେ ଆଗୁଆ ରହିଛି ।
ଭାରତର ଏଭଳି ପ୍ରହାରରେ ଅଷ୍ଟ୍ରେଲିଆ ଛାରଖାର ହୋଇଛି । ଯଶସ୍ୱୀ ଜୟସ୍ୱାଲ, ରୁତୁରାଜ ଗାଏକୱାଡ୍ ଓ ଇଶାନ କିଶନଙ୍କ ଧୂଆଁଧାର ଅର୍ଦ୍ଧଶତକରେ ଅଷ୍ଟ୍ରେଲୀୟ ବୋଲର ଘାଇଲା ହୋଇଥିଲେ । ପରେ ରବି ବିଷ୍ନୋଇ, ପ୍ରସିଦ୍ଧ କ୍ରିଷ୍ଣାଙ୍କ ଘାତକ ବୋଲିଂରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନମାନେ ଚେଷ୍ଟା କରିବା ସତ୍ୱେ ତିଷ୍ଠି ପାରିନଥିଲେ । ଆଉ ଦ୍ୱିତୀୟ ମ୍ୟାଟଚକୁ ଭାରତର ହାତକୁ ଟେକି ଦେବା ଛଡା ଅନ୍ୟ ଉପାୟ ନ ଥିଲା । କେରଳର ଥିରିଅନନ୍ତପୁରମ୍ର ଗ୍ରୀନଫିଲ୍ଡ ଷ୍ଟାଡିୟମ୍ ଠାରେ ରବିବାର ଖେଳାଯାଇଥିଲା ସିରିଜର ଦ୍ୱିତୀୟ ମ୍ୟାଚ୍ । ଟସ୍ ଜିତି ଅଷ୍ଟ୍ରେଲିଆ ଫିଲ୍ଡି ନିଷ୍ପତି ନେଇଥିଲା । ହେଲେ ଆରମ୍ଭରୁ ଭାରତୀୟ ବ୍ୟାଟର ଅଷ୍ଟ୍ରେଲୀୟ ବୋଲରଙ୍କୁ ନିଧୁମ ଛେଚିଥିଲେ । ଫଳରେ ପ୍ରଥମ ପାଓାର ପ୍ଲେର ୬ ଓଭରରେ ୭୭ ରନ୍ ହୋଇଥିଲା । ଏବଂ ଯଶସ୍ୱୀ ଜୟସ୍ୱାଲ ମାତ୍ର ୨୫ଟି ବଲରେ ୯ଟି ଚୌକା ୨ଟି ଛକା ସହ ୫୩ ରନ କରି ଆଉଟ ହୋଇଥିଲେ । ଏହାପରେ ରୁଜୁରାଜ ଓ ଇଶାନଙ୍କ ମଧ୍ୟରେ ୮୭ ରନର ଭାଗିଦାରୀ ହୋଇଥିଲା । ରୁତୁରାଜ ୪୩ ବଲରୁ ୩ଟି ଚୌକା ଓ ୨ଟି ଛକା ସହ ୫୮ ରନ କରିଥିଲେ । ଇଶାନ ୩୨ଟି ବଲରୁ ୩ଟି ଚୌକା ଓ ୪ଟି ଛକା ସହ ୫୨ ରନ୍ କରିଥିଲେ । ଶେଷରେ ରିଙ୍କୁ ସିଂ ଆକ୍ରମଣାତ୍ମକ ବ୍ୟାଟିଂ କରି ମାତ୍ର ୯ଚି ବଲରୁ ୪ଟି ଚୌକା ଓ ୨ଟି ଛକା ସହ ୩୧ ରନ କରିଥିଲେ ।
ଫଳରେ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୪ଟି ୱିକେଟ ହରାଇ ୨୩୪ ରନ କରିଥିଲା । ନଥନ ଏଲିସ ୩ଟି ଓ ମାର୍କସ ଷ୍ଟୋଇନିସ ଗୋଟିଏ ୱିକେଟ ନେଇଥିଲେ । ଜବାବରେ ଅଷ୍ଟ୍ରେଲିଆ ପ୍ରଥମ ୩ ଓଭରରେ ୩୫ ରନ କରିଥିଲେ ବି – ୱିକେଟ ହରାଇ ଥିଲେ । ୮ମ ଓଭରରେ ଅଷ୍ଟ୍ରେଲିଆ ୪ ୱିକେଟ ହରାଇ ୫୮ ରନ୍ କରିଥିଲା । ତେବେ ୫ମ ୱିକେଟରେ ଷ୍ଟୋଇନିସ ଓ ଟିମ୍ ଡେଭିଡ୍ଙ୍କ ମଧ୍ୟରେ ୮୧ ରନର ଭାଗିଦାରୀ ହେବାକୁ ଅଷ୍ଟ୍ରେଲିଆ ମ୍ୟାଚକୁ ଫେରିଥିଲା । ଷ୍ଟୋଇନିସ ୨୫ଟି ବଲରୁ ୨ଟି ଚୌକା ଓ ୪ଟି ସହ ୪୫ ରନ ଏବଂ ଟିମ୍ ଡେଭିଡ ୨୩ ବଲରୁ ଗୋଟିଏ ଚୌକା ଓ ୪ଟି ଛକା ସହ ୩୭ ରନ କରିଥିଲେ । କିନ୍ତୁ ନିୟମିତ ୱିକେଟ ପଡିବାରୁ ଅଷ୍ଟ୍ରେଲିଆ ଶେଷ ସୁଧା ୯ ୱିକେଟ ହରାଇ ୧୯୫ ରନରେ ସୀମିତ ରହିଥିଲା ।
ମାଥ୍ୟୁ ୱେତ୍ ୨୩ ବଲରୁ ୪୨ ରନ କରିଥିଲେ । ଶେଷରେ ଭାରତ ୪୪ ରନରେ ମ୍ୟାଚ୍ ଜିତି ନେଇଥିଲେ । ଭାରତ ପକ୍ଷରୁ ରବି ବିଶୋଇ ଓ ପ୍ରସିଦେଧ କ୍ରିଷ୍ଣା ୩ ଟି ଲେଖାଏଁ ୱିକେଟ ନେଇଥିଲେ । ଅକ୍ଷର ପଟେଲ, ଅର୍ଶଦୀପ ସିଂ ଓ ମୁକେଶ କୁମାର ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ । ଜୟସ୍ୱାଲ ପ୍ଲେୟର ଅଫ୍ ଦ ମ୍ୟାଚ୍ ହୋଇଥିଲେ ।