ସମ୍ବଲପୁରରେ ଦଙ୍ଗାକୁ ନଜର ରଖିଛି ପୋଲିସ ଆଜି ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଉଗ୍ରରୂପ ନେଲା ସମ୍ବଲପୁରରେ ହନୁମାନ ଜୟନ୍ତୀ ଶୋଭାଯାତ୍ରା ଉପରୁକୁ ପଥର ମାଡ଼ ଘଟଣା। କୌଣସି ଅଘଟଣ ଯେମିତି ନଘଟିବ ତେଣୁ ଆଜି ଦିନ ୧୦ଟାରୁ ଆସନ୍ତା ୪୮ ଘଣ୍ଟା ଲାଗି ସମ୍ବଲପୁର ଜିଲ୍ଲାରେ ଇଣ୍ଟରନେଟ ସେବା ବନ୍ଦ ରହିବ। ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ ସୂଚନା ଦିଆଯାଇଛି। ହନୁମାନ ଜୟନ୍ତୀ ବାଇକ ରାଲିରେ ପଥରମାଡ଼ ଘଟଣା ପରେ ହିଂସା ରୋକିବା ସହ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ଏପରି ପଦକ୍ଷେପ ନିଆଯାଇଛି। ଏହାଛଡ଼ା ଫେସବୁକ୍, ଇନଷ୍ଟାଗ୍ରାମ୍ ଓ ଟୁଇଟର ଆଦିର ପୋଷ୍ଟ ଉପରେ ବି କଟକଣା ଜାରି କରାଯାଇଛି। ଆଜି ବି ସମ୍ବଲପୁରରେ ପୁଲିସ ଛାଉଣି ହୋଇଛି। ଏଣେ ପ୍ରଶାସନ ପକ୍ଷରୁ ଅନିର୍ଦ୍ଦିଷ୍ଟ କାଳ ପାଇଁ ୧୪୪ ଧାରା ଜାରି ହୋଇଛି।
ସୂଚନାଯୋଗ୍ୟ, ସମ୍ବଲପୁରରେ ହନୁମାନ ଜୟନ୍ତୀ ବାଇକ୍ ରାଲି ବେଳେ ପଥର ମାଡ଼ । ୨ ଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳରୁ ପଥର ମାଡ଼। ଗୋବିନ୍ଦତଲାରୁ ବିଶାଳ ବାଇକ ଶୋଭାଯାତ୍ରା ବାହାରିଥିବା ବେଳେ ମୋତିଝରଣ ନିକଟରେ ଅନ୍ୟ ଏକ ଗୋଷ୍ଠୀ ପଥର ମାଡ଼ କରିଥିଲେ। ପୋଲିସ କର୍ମଚାରୀଙ୍କ ଉପରେ ମଧ୍ୟ ପଥର ମାଡ଼ ହୋଇଥିଲା। ଏଥିରେ ଅତିରିକ୍ତ ଏସପି ତପନ ମହାନ୍ତି, ଧନୁପାଲି ଥାନା ଅଧିକାରୀ ଅନିତା ପ୍ରଧାନ ଓ ଟାଉନଥାନା ଅଧିକାରୀ ପ୍ରକାଶ କର୍ଣ୍ଣଙ୍କ ସମେତ ୧୦ ଜଣ ଆହତ ହୋଇଥିବା ଜଣାପଡିଛି।
ମୋତିଝରଣ ଓ ଜିଲ୍ଲା ସ୍କୁଲ ଛକରେ ମଧ୍ୟ ପଥର ମାଡ଼ ହେବାରୁ ପୋଲିସ ପକ୍ଷରୁ ସ୍ଥିତି ନିୟତ୍ରଣ ପାଇଁ ଲାଠି ଚାଳନା କରାଯାଇଥିବା ଜଣାପଡ଼ିଛି। ଆହତ ପୋଲିସ କର୍ମଚାରୀ ଓ ହନୁମାନ ଜୟନ୍ତୀ ସମନ୍ଵୟ ସମିତି ସଦସ୍ୟଙ୍କୁ ସଦର ମେଡିକାଲରେ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଛି। ସହରରେ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହେବାରୁ ମୋତିଝରଣ ସମେତ ବିଭିନ୍ନ ପ୍ରମୁଖ ଛକରେ ୭ ପ୍ଲାଟୁନ ପୋଲିସ ମୁତୟନ କରାଯାଇଛି। ମୋତିଝରଣ ଅଞ୍ଚଳରେ ବହୁ ସଂଖ୍ୟାରେ ଯାନବାହାନ ଭଙ୍ଗାଯାଇଥିବା ସୂଚନା ମିଳିଛି।
ଶାନ୍ତି ଭଙ୍ଗ ଓ ଆଇନ ଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ସମ୍ବଲପୁର ସଦର ଅଞ୍ଚଳରେ ୧୪୪ ଧାରା ଲାଗୁ କରାଯାଇଛି। ଟାଉନ ଥାନା ଅଞ୍ଚଳ, ଧନୁପାଲି ଥାନା, ଖେତରାଜପୁର ଥାନା, ଅଇଁଠାପାଲି ଥାନା, ବରେହି ପାଲି ଓ ସଦର ଥାନା ଅଞ୍ଚଳରେ ଲାଗୁ ହୋଇଛି ୧୪୪ ଧାରା। ସଂଧ୍ୟା ୭ଟା ପରଠାରୁ ୪୮ ଘଣ୍ଟା ପାଇଁ କଟକଣା ଜାରି ହୋଇଛି। କୌଣସି ସ୍ଥାନରେ ୨ଜଣରୁ ଅଧିକ ବ୍ୟକ୍ତି ଜମା ହେବା ଉପରେ ବାରଣ କରାଯାଇଛି।