ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିରଣ ବିଭାଗ ପକ୍ଷରୁ ମିଲେଟ ସମ୍ବନ୍ଧୀୟ ଏକ ୨ ଦିନିଆ ଆନ୍ତର୍ଜାତୀୟ ସମ୍ମିଳନୀ ଆୟୋଜିତ ହୋଇଛି । ଦୁଇଦିନିଆ ମିଲେଟ୍ସ (ପୁଷ୍ଟିଶସ୍ୟ) ସମ୍ବନ୍ଧୀୟ ଅନ୍ତର୍ଜାତୀୟ ସମ୍ମିଳନୀ ଆଜିଠାରୁ ଆରମ୍ଭ ହେଉଛି। ଜନତା ମଇଦାନରେ ଏଥିପାଇଁ ପ୍ରସ୍ତୁତି ଶେଷ ହୋଇଛି।
ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ସମ୍ମିଳନୀକୁ ପୂର୍ବାହ୍ନ ସାଢ଼େ ୧୦ଟାରେ ଉଦ୍ଘାଟନ କରିବେ। ଏହି ଅବସରରେ କୃଷି ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ବାଇଁ, କେନ୍ଦ୍ର ସରକାରଙ୍କ କୃଷି ଏବଂ କୃଷକ କଲ୍ୟାଣ ସଚିବ ମନୋଜ ଆହୁଜା, ଆଇସିଏଆରର ମହାନିର୍ଦେଶକ ଡ. ହିମାଂଶୁ ପାଠକ, ଉନ୍ନୟନ ଆୟୁକ୍ତ ଅନୁ ଗର୍ଗ ଏବଂ ଖାଦ୍ୟ ଏବଂ କୃଷି ସଂଗଠନ (ଏଫ୍ଏଓ)ର ପ୍ରତିନିଧି ଉପସ୍ଥିତ ରହିବେ। ସେହିପରି ଉଦ୍ଯାପନୀ ଦିବସରେ ରାଜ୍ୟପାଳ ରଘୁବର ଦାସ ମୁଖ୍ୟ ଅତିଥି ଭାବେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି। ସମ୍ମିଳନୀରେ ମିଲେଟ ଚାଷ, ପ୍ରକ୍ରିୟାକରଣରେ କୃଷକଙ୍କ ସଂପୃକ୍ତିରେ ବିଭିନ୍ନ କାର୍ଯ୍ୟକ୍ରମର ଆୟୋଜନ ସମେତ ବୈଷିୟକ ଅଧିବେଶନ, ନୀତି ନିର୍ଦ୍ଧାରଣ ନିମନ୍ତେ ରାଉଣ୍ଡ ଟେବୁଲ ବୈଠକ, ବି-ଟୁ-ବି ବୈଠକ, ଅନ୍ତର୍ଜାତୀୟ ଖାଦ୍ୟ ମେଳା, କୁଇଜ ପ୍ରତିଯୋଗିତା, ରନ୍ଧନ ପ୍ରତିଯୋଗିତା ଆଦି ନାନାବିଧ କାର୍ଯ୍ୟକ୍ରମ ଆୟୋଜିତ ହେବ ।
ସୂଚନା ଅନୁସାରେ, ରାଜ୍ୟରେ ମାଣ୍ଡିଆ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ ଆଗାମୀ ଚାରିବର୍ଷ ଅର୍ଥାତ ୨୦୨୩-୨୪ରୁ ୨୦୨୬-୨୭ ବର୍ଷ ପର୍ଯ୍ୟନ୍ତ ୨୬୮୭ କୋଟି ୪୫ ଲକ୍ଷ ଟଙ୍କାର ବ୍ୟୟ ମଞ୍ଜୁର କରାଯାଇଛି। ଦୁଇଦିନିଆ ଅନ୍ତର୍ଜାତୀୟ ମିଲେଟ୍ସ ସମ୍ମିଳନୀର ବିଷୟବସ୍ତୁ ରହିଛି ‘ଆଧୁନିକ ଯୁଗର ଆହ୍ୱାନ ନିମନ୍ତେ ପ୍ରାଚୀନ ଶସ୍ୟ-ମିଲେଟସ୍’।