ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ନୂଆବର୍ଷରେ ଶ୍ରୀ ରାମ ଜନ୍ମଭୂମି ଅଯୋଧ୍ୟାରେ ହେବ ପ୍ରଭୁଙ୍କର ପ୍ରାଣପ୍ରତିଷ୍ଠା। ଜାନୁଆରୀ 22ରେ ମନ୍ଦିର ପ୍ରତିଷ୍ଠା ସହ ଘଟ ସ୍ଥାପନ ପାଇଁ ବିଶାଳ ସମାରୋହର ଆୟୋଜନ କରାଯାଇଛି। ଏହି ଐତିହାସିକ ମୁହୂର୍ତ୍ତର ମୁକ ସାଖି ହେବାକୁ ବହୁ ମାନ୍ୟ ଗଣ୍ୟ ବ୍ୟକ୍ତିଙ୍କୁ ନିମନ୍ତ୍ରଣ କରିଛନ୍ତି କେନ୍ଦ୍ରର ବିଜେପି ସରକାର। ରିପୋର୍ଟ ଅନୁସାରେ ସମାରୋହକୁ କଂଗ୍ରେସର ଏକାଧିକ ବରିଷ୍ଠ ନେତା ମଧ୍ୟ ନିମନ୍ତ୍ରିତ ହୋଇଛନ୍ତି।
ବିଶ୍ୱ ହିନ୍ଦୁ ପରିଷଦ କାର୍ଯ୍ୟକାରୀ ସଭାପତି ଅଲୋକ କୁମାରଙ୍କ ସୂଚନା ଅନୁସାରେ, ଶ୍ରୀରାମ ଜନ୍ମଭୂମି ତୀର୍ଥ କ୍ଷେତ୍ର ବରିଷ୍ଠ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ମନମୋହନ ସିଂହ, ମଲ୍ଲିକାର୍ଜୁନ ଖଡ଼ଗେ, ଅଧୀର ରଞ୍ଜନ ଚୌଧୁରୀ ଏବଂ ଜେଡିଏସ୍ ସୁପ୍ରିମୋ ଦେବଗୌଡାଙ୍କୁ ରାମ ମନ୍ଦିର ଉଦଘାଟନୀ ସମାରୋହକୁ ଆମନ୍ତ୍ରିତ କରିଛି । ଖଡ଼ଗେ, ସୋନିଆ ଗାନ୍ଧୀ ଏବଂ ଅଧୀର ଚୌଧୁରୀଙ୍କୁ ବ୍ୟକ୍ତିଗତ ଭାବେ ନିମନ୍ତ୍ରଣ ପଠାଯାଇଛି । ଆଗାମୀ ଦିନରେ ଅନ୍ୟ ବିରୋଧୀ ନେତାଙ୍କୁ ଆମନ୍ତ୍ରିତ କରାଯିବାର କାର୍ଯ୍ୟକ୍ରମ ଅଛି । କିନ୍ତୁ କଂଗ୍ରେସ ନେତାମାନେ ଏହି ସମାରୋହରେ ସାମିଲ ହେବାର ସମ୍ଭାବନା ନାହିଁ । ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ଉତ୍ସବ ପାଇଁ ପ୍ରସ୍ତୁତି ଜୋରସୋରରେ ଚାଲିଛି ।
ଆସନ୍ତା ଜାନୁଆରୀ ୧୫ ସୁଦ୍ଧା ସମସ୍ତ କାର୍ଯ୍ୟ ଶେଷ ହେବ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଓ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ରାମଲାଲଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହେବ । ରାଜନେତାଙ୍କ ବ୍ୟତୀତ ଦେଶର ପ୍ରତିଷ୍ଠିତ ଶିଳ୍ପପତି, ସିନେ ତାରକାଙ୍କୁ ମଧ୍ୟ ଉତ୍ସବକୁ ଆମନ୍ତ୍ରିତ କରାଯାଇଛି । ପୁରା ଗୋଟିଏ ସପ୍ତାହ ଧରି ରାମଲଲାଙ୍କ ପ୍ରତିଷ୍ଠା ଉତ୍ସବ ଚାଲିବ । ଏହି ସମୟରେ ପ୍ରଭୁ ରାମଚନ୍ଦ୍ରଙ୍କ ଜନ୍ମରୁ ବନବାସ ପର୍ଯ୍ୟନ୍ତ ଜୀବନ, ଲଙ୍କା ବିଜୟ ଏବଂ ଅଯୋଧ୍ୟା ପ୍ରତ୍ୟାବର୍ତ୍ତନର ଚିତ୍ର ପ୍ରଦର୍ଶିତ ହେବ ।