ଆଇପିଏଲ ମହାକୁମ୍ଭ: ଉଦ୍‌ଘାଟନୀ ମ୍ୟାଚରୁ ବିଜୟ ଯାତ୍ରା ଆରମ୍ଭ କଲା ଗୁଜରାଟ

0

 

ଓଢ଼ିଆ ନ୍ୟୁଜ(ବ୍ୟୁରୋ): ଆଇପିଏଲ୍‌ର ୧୬ତମ ସଂସ୍କରଣ ଶୁକ୍ରବାର ରଙ୍ଗାରଙ୍ଗ ଉଦ୍‌ଘାଟନୀ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ପ୍ରଥମ ମ୍ୟାଚ୍‌ରେ ଗତବର୍ଷର ବିଜେତା ଗୁଜରାଟ ଟାଇଟନ୍ସ ୫ ୱିକେଟ୍‌ରେ ୪ ଥର ବିଜେତା ଚେନ୍ନାଇ ସୁପର୍‌ କିଙ୍ଗ୍ସକୁ ପରାସ୍ତ କରିଛି। ଫଳରେ ଆଇପିଏଲ୍‌ ଇତିହାସରେ ଚେନ୍ନାଇ ସୁପର୍‌ କିଙ୍ଗ୍ସ ବିପକ୍ଷରେ ସମସ୍ତ ୩ ମ୍ୟାଚ୍‌ ଜିତି ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ହ୍ୟାଟ୍ରିକ୍ ଅର୍ଜନ କରିଛି। ଚେନ୍ନାଇ ସୁପର୍‌ କିଙ୍ଗ୍ସ ପକ୍ଷରୁ ଦିଆଯାଇଥିବା ୧୭୯ ରନ୍‌ ବିଜୟ ଲକ୍ଷ୍ୟକୁ ଗୁଜରାଟ ଟାଇଟନ୍ସ ୪ ବଲ୍ ପୂର୍ବରୁ ଜିତିଯାଇଥିଲା। ଇମ୍ପାକ୍ଟ ପ୍ଲେୟାର୍‌ ତୁ‌ଷା‌ର ଦେଶପାଣ୍ଡେଙ୍କୁ ଛକା ଓ ଚୌକା ମାରି ରାହୁଲ ତିୱାତିଆ ମ୍ୟାଚ୍‌ ଶେଷ କରିଥିଲେ। ତେବେ ଶୁବମନ ଗିଲଙ୍କ ୩୬ ବଲ୍‌ ୬୩ ରନ୍‌ ପାଳି ଗୁଜରାଟ ବିଜୟ ପାଇଁ ନିର୍ଣ୍ଣାୟକ ହୋଇଥିଲା। ରସିଦ ଖାନ୍‌ଙ୍କୁ ମ୍ୟାଚ୍‌ର ଶ୍ରେଷ୍ଠ ଖେଳାଳି ପୁରସ୍କାର ମିଳିଛି।’ଟସ୍ ଜିତି ହାର୍ଦିକ ପାଣ୍ଡ୍ୟା ପ୍ରଥମେ କ୍ଷେତ୍ରରକ୍ଷଣ କରିଥିଲେ। ଚେନ୍ନାଇ ସୁପର୍‌ କିଙ୍ଗ୍ସ ପାୱାର ପ୍ଲେ ୬ ଓଭର ଭିତରେ ୫ ୱିକେଟ୍ ହରାଇଥିଲେ ମଧ୍ୟ ୫୧ ରନ୍ ସଂଗ୍ରହ କରି ଦୃଢ଼ ମୂଳଦୁଆ ପକାଇଥିଲା। ଡେଭନ୍ କନ୍‌ୱେଙ୍କୁ ମହମ୍ମଦ ସାମି ତୃତୀୟ ଓଭରରେ ବୋଲ୍ଡ କରି ନିଜର ୧୦୦ତମ ଆଇପିଏଲ୍‌ ଶିକାର କରିଥିଲେ। ‌ମୋଇନ୍ ଅଲୀ କିଛି ଆକର୍ଷଣୀୟ ସଟ୍ ଖେଳିଥିଲେ ମଧ୍ୟ ୧୭ ବଲ୍‌ରୁ ୨୩ ରନ୍ କରିପାରିଥିଲେ। ଦୁଇ ଇଂଲିସ୍ ଖେଳାଳି ‌ମୋଇନ୍ ଅଲୀ ଏବଂ ବେନ ଷ୍ଟୋକ୍ସଙ୍କୁ ଲଗାତାର ଓଭରରେ ଆଉଟ୍ କରି ରସିଦ୍‌ ଖାନ୍‌ ଚେନ୍ନାଇକୁ ରୋକିବାକୁ ଚେଷ୍ଟା କରିଥିଲେ। ପ୍ରାରମ୍ଭିକ ବ୍ୟାଟର୍‌ ଋତୁରାଜ ଗାଏକ୍ବାଡ କିନ୍ତୁ ମାତ୍ର ୨୩ ବଲ୍‌ରୁ ଅର୍ଦ୍ଧଶତକ ସହିତ ଛକା ଭରା ପାଳି ଖେଳିଥିଲେ। ୧୮ତମ ଓଭରରେ ଆଉଟ୍ ହେବା ବେଳକୁ ଗାଏକ୍ବାଡ ୫୦ ବଲ୍‌ରୁ ୯୨ ରନ୍ (୯ ‌ଛକା, ୪ ଚୌକା) କରିଥିଲେ। ୧୬ତମ ସଂସ୍କରଣର ପ୍ରଥମ ଅର୍ଦ୍ଧଶତକ ଗାଏକ୍ବାଡଙ୍କ ନାମରେ ଏବଂ ପ୍ରଥମ ୱିକେଟ୍‌ ସାମିଙ୍କ ନାମରେ ରହିଥିଲା। ଚେନ୍ନାଇ ପାଳି ବେଳେ ଅମ୍ବାତି ରାୟୁଡୁ (୧୨) ଏବଂ ଶିବମ ଦୁବେ (୧୯) ବିଶେଷ ଛାପ ଛାଡ଼ିପାରିନଥିଲେ। ଶେଷ ଓଭରରେ କିନ୍ତୁ ମହେନ୍ଦ୍ର ସିଂହ ଧୋନି ପୁଲରୁୁଣା ଫର୍ମକୁ ଫେରିଥିଲେ।  ଲଗାତାର ଛକା ଓ ଚୌକା ମାରି  ଦଳକୁ ୧୭୮ ରନ୍‌ର ଶୀର୍ଷ ଛୁଆଁଇଥିଲେ।

ତେବେ ପ୍ରଥମ ଥର ପାଇଁ ଆଇପିଏଲ୍‌ରେ ଇମ୍ପାକ୍ଟ ପ୍ଲେୟାର୍‌ ନିୟମ ଲାଗୁ ହୋଇଥିବା ବେଳେ ପ୍ରଥମ ମ୍ୟାଚ୍‌ରେ ହିଁ ଉଭୟ ଦଳ ଏହାକୁ ପ୍ରୟୋଗ କରିଛନ୍ତି। ପ୍ରଥମ ପାଳି ପରେ ବ୍ୟାଟର୍ ଅମ୍ବାତି ରାୟୁଡୁଙ୍କ ବଦଳରେ ଚେନ୍ନାଇ ସୁପର୍ କିଙ୍ଗ୍ସ ପେସ୍‌ ବୋଲର ତୁଷାର ଦେଶପାଣ୍ଡେଙ୍କୁ ଖେଳାଇଥିଲା। ଦେଶପାଣ୍ଡେ କିନ୍ତୁ ତାଙ୍କ ପ୍ରଥମ ଓଭରରେ ୧୫ ରନ୍ ବ୍ୟୟ କରିଥିଲେ। ଶେଷକୁ ଲଜ୍ଜାଜନକ ବୋଲିଂ ଚିତ୍ର (୩.୨-୦-୫୧-୧) ପାଇଥିଲେ। ସେହିଭଳି ପ୍ରଥମ ପାଳି ବେଳେ ଆହତ ହୋଇଥିବାରୁ କେନ୍‌ ୱିଲିୟମସନ୍‌ଙ୍କ ବଦଳରେ ଗୁଜରାଟ ଟାଇଟନ୍ସ ସାଇ ସୁଦର୍ଶନଙ୍କୁ ଖେଳାଇଥିଲା। ସୁଦର୍ଶନ ୧୭ ବଲ୍‌ରୁ ୨୨ ରନ୍‌ କରି ହାଙ୍ଗରେକର୍‌ଙ୍କ ନିରାଶ କରାଇଥିଲେ।

 

Leave A Reply

Your email address will not be published.