ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ନାବାଳିକାକୁ ଗଣ ବଳାତ୍କାର ଓ ହତ୍ୟା ଅପରାଧୀଙ୍କୁ ଫାଶୀଦଣ୍ଡ। ଫାଶୀଦଣ୍ଡ ରାୟ ଦେଇଛନ୍ତି ଜଗତସିଂହପୁର ପୋକସୋ ଫାଷ୍ଟ ଟ୍ରାକ କୋର୍ଟ। ଦୁଷ୍କର୍ମ ଓ ହତ୍ୟା ମାମଲାର ଶୁଣାଣି କରି ଦୁଇ ଅଭିଯୁକ୍ତ ଶେଖ ଆସିଫ ଓ ଶେଖ ଅକିଲଙ୍କୁ ଦୋଷୀ ସାବ୍ୟସ୍ତ କରିବା ସହିତ ଫାଶୀ ଦଣ୍ଡରେ ଦଣ୍ଡିତ କରିଛନ୍ତି l ଭାରତୀୟ ଦଣ୍ଡବିଧି ଆଇନର ୩୦୨, ୩୭୬, ୩୭୬(ଡି) ଓ ପ୍ରୋଟେକସନ ଅଫ ଚିଲଡ୍ରେନ ଫ୍ରମ ସେକ୍ସୁଆଲ ଅଫେନସସ ଧାରା ୬ ଅନୁସାରେ ଦୁଇ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି ଫାଶୀ ଦଣ୍ଡାଦେଶ ପ୍ରଦାନ କରିଛନ୍ତି ଅଦାଲତ। ତିର୍ତ୍ତୋଲ ଥାନା ଅନ୍ତର୍ଗତ କୃଷ୍ଣାନନ୍ଦପୁରରେ ୨୦୧୪ ମସିହାର ଘଟିଥିଲା ନାବାଳିକାଙ୍କ ଦୁଷ୍କର୍ମ ଓ ହତ୍ୟା ଘଟଣା l ୮ ବର୍ଷର ଜଣେ ନାବାଳିକା ଚକୋଲେଟ କିଣି ଘରକୁ ଫେରୁଥିବା ବେଳେ କିଛି ଦୁବୃତ୍ତ ତାଙ୍କୁ ଅପହରଣ କରି ନେଇଥିଲେ। ପରେ ବଳାତ୍କାର ସହ ହତ୍ୟା କରି ଦେଇଥିଲେ ଅପରାଧୀ l ଏକ ଘରର ତାଜା ଉପରେ ମୃତଦେହକୁ ଫିଙ୍ଗି ଦେଇଥିଲେ l
ପୋଲିସ ସେତେବେଳେ ଏହି ବିଭତ୍ସ ହତ୍ୟାକାଣ୍ଡ ଘଟଣାରେ ୪ଜଣଙ୍କୁ ଗିରଫ କରିଥିଲା l ମାମଲାର ବିଚାର କରି ଅଦାଲତ ସାକ୍ଷ୍ୟ ପ୍ରମାଣ ଅଭାବରୁ ଦୁଇ ଜଣ ଅଭିଯୁକ୍ତଙ୍କୁ ନିର୍ଦୋଷରେ ଖଲାସ କରିଛନ୍ତି l ସେ ସମୟରେ ତିର୍ତ୍ତୋଲ ଥାନା ଅଧିକାରୀ ଦୟାନିଧି ନାୟକ ଓ ବରିଷ୍ଠ ପୋଲିସ ଅଧିକାରୀ ଭବାନୀ ଶଙ୍କର ମିଶ୍ର ଅଭିଯୁକ୍ତମାନଙ୍କୁ ଧରିବାକୁ ବେଶ ତନାଘନା କରିଥିଲେ । ସରକାରଙ୍କ ପକ୍ଷରୁ ଏହି ମାମଲା ସ୍ୱତନ୍ତ୍ର ପବ୍ଲିକ ପ୍ରସ୍ୟୁକୁଟର ଦୋଳ ଗୋବିନ୍ଦ ଦାଶ ପରିଚାଳନା କରୁଥିଲେ ।