ଝାରସୁଗୁଡ଼ା ଉପନିର୍ବାଚନ ଭାର ୩ ନେତାଙ୍କ ଉପରେ, ପୂରା ଦାୟିତ୍ବରେ ରହିବେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପରିଚାଳନା ଦାୟିତ୍ୱ ବରିଷ୍ଠ ନେତାଙ୍କ ଉପରେ ଛାଡ଼ିଛି ବିଜେଡି । ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର ଏବଂ ସାରଦା ପ୍ରସାଦ ନାୟକଙ୍କୁ ପର୍ଯ୍ୟବେକ୍ଷକ ଭାବେ ନିଯୁକ୍ତି ଦିଆଯାଇଛି । ସଭାପତିଙ୍କ ନିର୍ଦ୍ଦେଶକ୍ରମେ ସେମାନଙ୍କୁ ନିଯୁକ୍ତି ଦିଆଯାଇଥିବା ନେଇ ବିଜେଡି ସାଂଗଠନିକ ସମ୍ପାଦକ ପ୍ରଣବ ପ୍ରକାଶ ଦାସଙ୍କ ଦସ୍ତଖତରେ ନିର୍ଦ୍ଦେଶନାମା ଜାରି ହୋଇଛି ।
ଝାରସୁଗୁଡ଼ା ଉପନିର୍ବାଚନରେ ଦିବଙ୍ଗତ ମନ୍ତ୍ରୀ ନବ ଦାସଙ୍କ ଝିଅ ଦୀପାଳି ଦାସଙ୍କୁ ବିଜେଡି ପ୍ରାର୍ଥୀ କରିଛି । ନିର୍ବାଚନ ତାରିଖ ଘୋଷଣା ହେବାର ଦୁଇ ଦିନରେ ଗତ ମାର୍ଚ୍ଚ ୩୧ ତାରିଖ ଦିନ ବିଜେଡି ସଭାପତି ତଥା ମୁଖ୍ୟ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦଳୀୟ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଥିଲେ ।
ମେ’ ୧୦ ରେ ଉପନିର୍ବାଚନ ଭୋଟ ହେବ । ଏପ୍ରିଲ୍ ୨୦ ତାରିଖ ନାମାଙ୍କନପତ୍ର ଦାଖଲର ଶେଷ ଦିନ ରହିଛି । ତେବେ ତାରିଖ ଘୋଷଣା ହେଉ ହେଉ ବିଜେଡି ଦଳୀୟ ପ୍ରାର୍ଥୀ ଘୋଷଣା କରିବା ସହିତ ଉପନିର୍ବାଚନ କସରତ ଆରମ୍ଭ କରିଦେଇଛି । ଯେଉଁଥିରେ ୩ ବରିଷ୍ଠ ନେତାଙ୍କୁ ପର୍ଯ୍ୟବେକ୍ଷକ ଦାୟିତ୍ୱ ଦିଆଯାଇଛି । ଖୁବ୍ ଶୀଘ୍ର ବ୍ଲକ୍ ଓ ପଞ୍ଚାୟତୱାରୀ ଦାୟିତ୍ୱ ବଣ୍ଟନ କରାଯିବ ବୋଲି ସୂଚନା ମିଳିଛି ।
ସେପଟେ କଂଗ୍ରେସରୁ ୭ ଜଣ ସମ୍ଭାବ୍ୟ ପ୍ରାର୍ଥୀଙ୍କ ନାଁ ଏଆଇସିସିକୁ ପଠାଯାଇଛି । ପ୍ରାର୍ଥୀ ଚୟନ ପାଇଁ ଗଠିତ କମିଟି ଆଜି ପିସିସି ସଭାପତି ଶରତ ପଟ୍ଟନାୟକଙ୍କୁ ନାଁ ଦେଲା ପରେ ସେ ଏଆଇସିସିକୁ ପଠାଇ ଦେଇଛନ୍ତି । ଖୁବ୍ ଶୀଘ୍ର ପ୍ରାର୍ଥୀଙ୍କ ନାଁ ଘୋଷଣା ହେବ ବୋଲି ପିସିସି ସଭାପତି କହିଛନ୍ତି ।
ବିଜେପି ପ୍ରାର୍ଥୀ ଚୟନ କାର୍ଯ୍ୟ ମଧ୍ୟ ସରିପାରୁନାହିଁ । ଟଙ୍କଧର ତ୍ରିପାଠୀଙ୍କ ପ୍ରାର୍ଥୀତ୍ୱକୁ ନେଇ ଅଧିକ ଚର୍ଚ୍ଚା ହେଉଥିଲେ ମଧ୍ୟ ଦଳ ପକ୍ଷରୁ କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ତେବେ ଦିନେ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀ ଘୋଷଣା ହୋଇଯିବ ବୋଲି ଦଳୀୟ ସୂତ୍ରରୁ ଜଣାପଡ଼ିଛି ।

Leave A Reply

Your email address will not be published.