ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ । ମେ’ ୧୦ ତାରିଖରେ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ନିଆଯିବ ଭୋଟ୍ । ମେ’ ୧୩ ତାରିଖରେ ଭୋଟ୍ ଗଣତି ଓ ଫଳାଫଳ ପ୍ରକାଶ ପାଇବ । ଉପନିର୍ବାଚନ ନେଇ ଆସନ୍ତା ୧୩ ତାରିଖରେ ବିଧିବଦ୍ଧ ବିଜ୍ଞପ୍ତି ବାହାରିବ । ଏପ୍ରିଲ ୨୦ ନାମାଙ୍କନ ଦାଖଲର ଶେଷ ତାରିଖ । ୨୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ । ଏପ୍ରିଲ ୨୪ ନାମାଙ୍କନପତ୍ର ପ୍ରତ୍ୟାହାରର ଶେଷ ଦିନ ରହିଛି । ନବ ଦାସଙ୍କୁ ହତ୍ୟା ପରେ ଖାଲି ପଡିଛି ଝାରସୁଗୁଡ଼ା ଆସନ । ଉପନିର୍ବାଚନ ତାରିଖ ଘୋଷଣା ସହ ଝାରସୁଗୁଡ଼ାରେ ବଢ଼ିଛି ନିର୍ବାଚନୀ ଉଷ୍ଣତା । ଆଜି କର୍ଣ୍ଣାଟକ ବିଧାନସଭା ନିର୍ବାଚନ ସହ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି ।
ଝାରସୁଗୁଡା ଉପନିର୍ବାଚନ।ଆଜିଠାରୁ ଆଦର୍ଶ ଆଚରଣ ବିଧି ଲାଗୁ। ଝାରସୁଗୁଡା ଉପ ନିର୍ବାଚନ ନେଇ ଆଜି ନିର୍ବାଚନ କମିଶନଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ମେ 10ରେ ଭୋଟିଂ,13ରେ ଫଳାଫଳ ପ୍ରକାଶ ପାଇବ । ତେଣୁ ଆଜିଠାରୁ ଝାରସୁଗୁଡା ଜିଲ୍ଲାରେ ଆଦର୍ଶ ଆଚରଣ ବିଧି ଲାଗୁ ହୋଇଯାଇଛି । ଏ ନେଇ ସୂଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ। ଆସନ୍ତା ଏପ୍ରିଲ 13ରେ ଉପ ନିର୍ବାଚନ ପାଇଁ ପ୍ରକାଶ ପାଇବ ବିଧିବଦ୍ଧ ବିଜ୍ଞପ୍ତି। ଝାରସୁଗୁଡାରେ ମୋଟ 2 ଲକ୍ଷ 21 ହଜାର 70 ଜଣ ଭୋଟର ଥିବା ବେଳେ ପୁରୁଷ ଭୋଟର 1 ଲକ୍ଷ 10 ହଜାର 320 ଏବଂ ମହିଳା ଭୋଟର 1 ଲକ୍ଷ 10 ହଜାର 687 ଅଛନ୍ତି। 80 ବର୍ଷରୁ ଉର୍ଦ୍ଧ ବ୍ୟକ୍ତି 4074 ଜଣ ଥିବା ବେଳେ 2526 ଜଣ ଭିନ୍ନ କ୍ଷମ ଭୋଟର ରହିଛନ୍ତି , ନିର୍ବାଚନ ସମୟରେ ଖରାଦିନ ଥିବାରୁ ଗିଷ୍ମପ୍ରବାହ ଦୃଷ୍ଟିରେ ରଖି ସ୍ୱତନ୍ତ୍ର ବ୍ୟବସ୍ଥା କରାଯିବ। ନିର୍ବାଚନ ପାଇଁ EVM ମହଜୁଦ ଅଛି। ରାଜ୍ୟରେ କୋଭିଡକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟ ବିଭାଗର ସହାୟତା ନିଆଯିବ।