ଝାରସୁଗୁଡା ଉପନିର୍ବାଚନ: ବିଜେଡିର ରଣହୁଙ୍କାର, ବ୍ୟାକଫୁଟରେ ବିରୋଧୀ !

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାତି ପାହିଲେ ଆରମ୍ଭ ହେବ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପ୍ରାର୍ଥୀପତ୍ର ଦାଖଲ ପ୍ରକ୍ରିୟା । ଗୋଟେପଟେ ବିଜେଡି ନିର୍ବାଚନ ପାଇଁ ରଣହୁଙ୍କାର ଦେଇଥିବା ବେଳେ ବିରୋଧୀ କିନ୍ତୁ ଅଛନ୍ତି ବ୍ୟାକଫୁଟରେ । ରାଜ୍ୟ ରାଜନୀତିରେ ସିରିୟସ ପାର୍ଟି କୁହାଯାଉଥିବା ଶାସକ ବିଜେଡି କୌଣସି ସୁଯୋଗକୁ ଛାଡିବାକୁ ଚାହୁଁନି। ତେଣୁ ଅନ୍ୟ ନିର୍ବାଚନ ଭଳି ଝାରସୁଗୁଡ଼ା ଉପନିର୍ବାଚନକୁ ଅତ୍ୟନ୍ତ ଗୁରୁତ୍ୱର ସହ ନେଇ ଜୋରଦାର ପ୍ରଚାର ଆରମ୍ଭ କରିଛି ଦଳ। ବରିଷ୍ଠ ମନ୍ତ୍ରୀ ନେତା ବିଧାୟକଙ୍କୁ ପର୍ଯ୍ୟବେକ୍ଷକ ଦାୟୀତ୍ୱ ଦେବା ପରେ ତୃଣମୂଳ ସ୍ତରରେ ନିଜର ଛାତ୍ର ଯୁବ ଓ ମହିଳା ସଂଗଠନର ରାଜ୍ୟସ୍ତରୀୟ ନେତାଙ୍କୁ କ୍ରିୟାଶୀଳ କରିଛି ଦଳ। ବିଭିନ୍ନ ନିର୍ବାଚନୀ ସଭାରେ ବିଜେଡି ସାଂଗଠନିକ ସଂପାଦକ ପ୍ରଣବ ପ୍ରକାଶ ଦାସଙ୍କ ସମେତ ବରିଷ୍ଠ ନେତା ପ୍ରଚାର ଆରମ୍ଭ କରିଛନ୍ତି। ଏପରିକି ବିଭିନ୍ନ ବ୍ଲକରେ କର୍ମୀ ସମ୍ମିଳନୀ ଆୟୋଜିତ ହୋଇଛି। ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ବିଜେଡି ପର୍ଯ୍ୟବେକ୍ଷକ ଥିବା ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ, ଟୁକୁନି ସାହୁ ପ୍ରମୁଖ ପ୍ରଚାରରେ ଲାଗି ପଡିଛନ୍ତି।

ବିଜେଡି ନିଜ ସପକ୍ଷରେ ନିର୍ବାଚନୀ ବାତାବରଣ ତିଆରି କରିବା ପ୍ରକ୍ରିୟାକୁ ଜୋରଦାର କରିଛି। ସେପଟେ ବିରୋଧୀ କିନ୍ତୁ ବହୁ ପଛରେ ପଡିଯାଇଥିବା କୁହାଯାଉଛି। କଂଗ୍ରେସ ନିଜର ପ୍ରାର୍ଥୀ ଘୋଷଣା କରି ନେତାଙ୍କୁ ଦାୟୀତ୍ୱ ବାଣ୍ଟିଛି। କିନ୍ତୁ ଝାରସୁଗୁଡ଼ାର ତୃଣମୂଳ ସ୍ତରରେ କଂଗ୍ରେସ ବିଶେଷ ପ୍ରଭାବି ପ୍ରଚାର ଦେଖିବାକୁ ମିଳୁନି। ସେପଟେ ବିଜେପି ଏ ଯାଏ ପ୍ରାର୍ଥୀ ଘୋଷଣା କରିପାରି ନାହିଁ। ଦଳ କୌଣସି ପ୍ରଚାର କାର୍ଯ୍ୟକ୍ରମ ଆରମ୍ଭ କରିଥିବା ବିଶେଷ ଦେଖାଯାଉନି। ତେଣୁ ଏଭଳି ସ୍ଥିତିରେ ବିଜେଡି ବହୁ ଆଗରେ ଥିବା ଦେଖାଯାଇଛି ।

ଉପ-ନିର୍ବାଚନ ପାଇଁ ଜୋରଦାର ପ୍ରସ୍ତୁତି ଆରମ୍ଭ କରିଦେଲାଣି ଶାସକ ଦଳ। ଏହି କ୍ରମରେ ଆସନ୍ତା ୧୮ରେ ନାମାଙ୍କନ ଭରିବେ ବିଜେଡ଼ି ପ୍ରାର୍ଥୀ ଦୀପାଳି ଦାସ । ଏନେଇ ବୁଧବାର ସୂଚନା ଦେଇଛନ୍ତି ଝାରସୁଗୁଡ଼ା ପର୍ଯ୍ୟବେକ୍ଷକ ତଥା ବରିଷ୍ଠ ବିଜେଡି ବିଧାୟକ ଦେବୀ ମିଶ୍ର । ସେପଟେ କଂଗ୍ରେସ ନାମାଙ୍କନ ଭରିବା ନେଇ କଂଗ୍ରେସ ବିଧାୟକ ସୁରେଶ ରାଉତରାୟ ସୂଚନା ଦେଇଛନ୍ତି। ସୁରେଶ କହିଛନ୍ତି, ଆସନ୍ତା ୧୫ ତାରିଖରେ କଂଗ୍ରେସ ପ୍ରାର୍ଥୀ ତରୁଣ ପାଣ୍ଡେ ନାମାଙ୍କନ ଭରିବେ। ସେପଟେ ବିଜେପି କିନ୍ତୁ ଏପର୍ଯ୍ୟନ୍ତ ନିଜର ପ୍ରାର୍ଥୀ ଘୋଷଣା କରି ନଥିବା ବେଳେ ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରି ଦଳ ମଇଦାନକୁ ଓହ୍ଲାଇବ ବୋଲି ସୂଚନା ମିଳିଛି। ତେବେ ଏପ୍ରିଲ ୧୩ ତାରିଖରେ ଝାରସୁଗୁଡା ଉପନିର୍ବାଚନ ନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇବ। ସେହି ଦିନଠାରୁ ପ୍ରାର୍ଥୀପତ୍ର ଦାଖଲ ଆରମ୍ଭ କରାଯିବ।

୨୦ ଏପ୍ରିଲ ପ୍ରାର୍ଥୀପତ୍ର ଦାଖଲ କରିବାର ଶେଷ ଦିନ ଏବଂ ଏପ୍ରିଲ ୨୪ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରିବାର ଶେଷ ଦିନ ରହିଛି। ମେ’ ୧୦ ତାରିଖରେ ଭୋଟ ଗ୍ରହଣ କରାଯିବାକୁ ଥିବା ବେଳେ ମେ’ ୧୩ରେ ଭୋଟ୍ ଗଣତି ପରେ ଫଳାଫଳ ପ୍ରକାଶ ପାଇବ। ଝାରସୁଗୁଡା ଉପ-ନିର୍ବାଚନ ପରିପ୍ରେକ୍ଷୀରେ ମଙ୍ଗଳବାର ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ ଜିଲ୍ଲା ଗସ୍ତରେ ଆସି ସମୀକ୍ଷା କରି ଫେରିଯାଇଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ମୁଖ୍ୟ ନିର୍ବାଚନ ଅଧିକାରୀ ନିକୁଞ୍ଜ ବିହାରୀ ଧଳ କହିଥିଲେ ଯେ, ଖରା ତାତି ଓ କାଳ ବୈଶାଖୀ ସମ୍ଭାବନାକୁ ଆଖି ଆଗରେ ରଖି ନିର୍ବାଚନ ଓ ମତଦାନ ପ୍ରକ୍ରିୟାର ପ୍ରସ୍ତୁତି ନେଇ ଆଲୋଚନା କରାଯାଉଛି । ମତଦାତାଙ୍କ ପାଇଁ ସମସ୍ତ ସୁବିଧା କରାଯିବ । ଶାନ୍ତି ଶୃଙ୍ଖଳା ପାଇଁ କେନ୍ଦ୍ରୀୟ ସୁରକ୍ଷା ବଳ ନିୟୋଜନ କରାଯିବା ସହ ମତଦାନ ଯେପରି ସୁରୁଖୁରରେ ଶେଷ ହେବ ସେଥିପାଇଁ ବ୍ୟାପକ ପ୍ରସ୍ତୁତି କରାଯାଉଛି ବୋଲି ସେ କହିଥିଲେ। ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ୍‌ଙ୍କ ମୃତ୍ୟୁ ପରେ ଖାଲି ପଡିଛି ଆସନ ।

Leave A Reply

Your email address will not be published.