ଓଡିଆ ନ୍ୟୁଜ (ବ୍ୟୁରୋ): ଆଜି ଓଡ଼ିଶା ହାଇକୋର୍ଟର ୩୩ତମ ମୁଖ୍ୟ ବିଚାରପତି ଭାବେ ଜଷ୍ଟିସ ଶୁଭାଶିଷ ତାଳପତ୍ର ଶପଥ ନେଇଛନ୍ତି । ହାଇକୋର୍ଟ ପରିସରରେ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ତାଙ୍କୁ ଶପଥ ପାଠ କରାଇଛନ୍ତି। ଜଷ୍ଟିସ ଶୁଭାଶିଷ ତାଳପତ୍ର ୧୯୬୧ ଅକ୍ଟୋବର ୪ରେ ତ୍ରିପୁରାର ଉଦୟପୁର ଠାରେ ଜନ୍ମ ଗ୍ରହଣ କରିଥିଲେ।
୨୦୨୨ ଜୁନ୍ ୧୦ରୁ ଜଷ୍ଟିସ ତାଳପତ୍ର ଓଡ଼ିଶା ହାଇକୋର୍ଟରେ ବିଚାରପତି ଭାବେ କାର୍ୟ୍ୟ କରୁଛନ୍ତି। ୨୦୧୧ ନଭେମ୍ବର ୧୫ରେ ସେ ଗୌହାଟୀ ହାଇକୋର୍ଟର ଅତିରିକ୍ତ ବିଚାରପତି ଭାବେ ଶପଥ ଗ୍ରହଣ କରିଥିଲେ।
୨୦୧୩ ସେପ୍ଟେମ୍ବର ୧୩ରେ ତ୍ରିପୁରାରେ ନୂତନ ହାଇକୋର୍ଟ ପ୍ରତିଷ୍ଠା ହେବା ପରେ ତ୍ରିପୁରା ହାଇକୋର୍ଟର ସ୍ଥାୟୀ ବିଚାରପତି ଭାବେ ଶପଥ ନେଇଥିଲେ। ୨୦୧୮ ନଭେମ୍ବର ୨ରୁ ୧୩ ତାରିଖ ଓ ୨୦୧୯ ନଭେମ୍ବର ୧୧ରୁ ୧୫ ତାରିଖ ପର୍ୟ୍ୟନ୍ତ ସେ ତ୍ରିପୁରା ହାଇକୋର୍ଟର କାର୍ୟ୍ୟକାରୀ ମୁଖ୍ୟ ବିଚାରପତି ଭାବେ ଦାୟିତ୍ୱ ନିର୍ବାହ କରିଥିଲେ। ଏହାପରେ ୨୦୨୨ ଜୁନ୍ ୧୦ ତାରିଖରୁ ସେ ଓଡିଶା ହାଇକୋର୍ଟର ବିଚାରପତି ଅଛନ୍ତି ।