କମଳା ହାରିସ୍ ହେଲେ ରାଷ୍ଟ୍ରପତି ପ୍ରାର୍ଥୀ

0

ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କିଛି ଦିନର କଳ୍ପନା ଜଳ୍ପନା ପରେ ଶେଷରେ ପୂର୍ବତନ ଆମେରିକା ରାଷ୍ଟ୍ରପତି ବାରାକ ଓବାମା ଏବଂ ତାଙ୍କ ପତ୍ନୀ ମିସେଲ୍‌ ଓବାମା ଉପରାଷ୍ଟ୍ରପତି କମଳା ହାରିସଙ୍କୁ ଡେମୋକ୍ରାଟିକ୍‌ ଦଳର ରାଷ୍ଟ୍ରପତି ପ୍ରାର୍ଥୀ ଭାବେ ସମର୍ଥନ କରିଛନ୍ତି।  ଚଳିତବର୍ଷ ନଭେମ୍ବରରେ ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି। ଡୋନାଲଡ ଟ୍ରମ୍ପ ରିପବ୍ଲିକାନ ପାର୍ଟି ତରଫରୁ ପ୍ରାର୍ଥୀ ହୋଇଥିବାବେଳେ ବର୍ତ୍ତମାନର ରାଷ୍ଟ୍ରପତି ତଥା ଡେମୋକ୍ରାଟିକ ପ୍ରାର୍ଥୀ ଜୋ ବାଇଡେନ୍‌ ଏହି ଦୌଡରୁ ଓହରି ଯାଇଛନ୍ତି।

ତେବେ ହାରିସଙ୍କ ପ୍ରାର୍ଥିତ୍ବକୁ ପୂର୍ବତନ ରାଷ୍ଟ୍ରପତି ବରାକ ଓବାମା ଏବଂ ପତ୍ନୀ ମିସେଲ ଓବାମା ଦୃଢ ସମର୍ଥନ କରିଛନ୍ତି। ରାଷ୍ଟ୍ରପତି ପଦରୁ ଅବସର ନେବାର ପ୍ରାୟ ଦଶବର୍ଷ ଅତିକ୍ରାନ୍ତ ହୋଇସାରିଥିଲେ ସୁଦ୍ଧା ଓବାମାଙ୍କ ଲୋକପ୍ରିୟତା ଏବେ ମଧ୍ୟ ଶିଖରରେ ରହିଛି। ଡେମୋକ୍ରାଟିକ ପାର୍ଟି ନେତା ଓବାମା ୨୦୦୯ରେ ପ୍ରଥମ କୃଷ୍ଣକାୟ ବ୍ୟକ୍ତିଭାବେ ଆମେରିକାର ସର୍ବୋଚ୍ଚ ପଦକୁ ନିର୍ବାଚିତ ହୋଇଥିଲେ। ସେ ୨୦୧୭ ପର୍ଯ୍ୟନ୍ତ ଏହି ଦାୟିତ୍ବ ତୁଲାଇଥିଲେ। ହାରିସଙ୍କ ପ୍ରାର୍ଥିତ୍ବକୁ ସମର୍ଥନ ଜଣାଇବାରେ ଓବାମାଙ୍କ ମତ ବେଶ ଗୁରୁତ୍ବ ବହନ କରୁଛି। ଓବାମା କହିଛନ୍ତି, ଆମ ଦେଶର ଏଭଳି ଜଟିଳ ମୁହୂର୍ତ୍ତରେ ଆମେ ହାରିସଙ୍କ ବିଜୟ ପାଇଁ ଯାହାକିଛି ଆବଶ୍ୟକ କରିବାପାଇଁ ପ୍ରସ୍ତୁତ।

ଆମେ ଆଶା କରୁଛୁ ଯେ ଆପଣମାନେ ମଧ୍ୟ ଆମ ସହ ଯୋଗଦେବେ। ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ କରିବା ସହ ତାଙ୍କ ସହ ଫୋନ୍‌ କଲ୍‌‌ରେ କଥା ହେବାର ଏକ କ୍ଲିପ୍‌ ମଧ୍ୟ ଏକ୍ସରେ ପୋଷ୍ଟ୍‌ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଗତ କିଛିଦିନ ଧରି ଓବାମା ହାରିସଙ୍କ ସମର୍ଥନରେ କିଛି କହୁନଥିବା ନେଇ ଚର୍ଚ୍ଚା ‌ହେଉଥିଲା। ଓବାମା ହାରିସଙ୍କୁ ଖୋଲାଖୋଲି ସମର୍ଥନ ନକରି ତାଙ୍କୁ ପରୋକ୍ଷରେ ସମର୍ଥନ କରୁଛନ୍ତି ବୋଲି କୁହାଯାଉଥିଲା।

Leave A Reply

Your email address will not be published.