ଓଡିଆ ନ୍ୟୁଜ୍ (ବ୍ୟୁରୋ) : ପ୍ରଧାନମନ୍ତ୍ରୀଙ୍କୁ ରାକ୍ଷୀ ପଠାଇଲେ କେନ୍ଦ୍ରାପଡ଼ାର କମଳା ମହାରଣା । ସେ ଅଳିଆ ଆବର୍ଜନାରୁ ଜରି ଗୋଟାଇ ରାକ୍ଷୀ ତିଆରି କରିଛନ୍ତି। ଭଉଣୀ ହିସାବରେ ସେହି ରାକ୍ଷୀକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ପାଖକୁ ପଠାଇଛନ୍ତି । ଏଥିସହ ଭାଇ(ପ୍ରଧାନମନ୍ତ୍ରୀ)ଙ୍କ ମଙ୍ଗଳ କାମନା ମଧ୍ୟ କରିଛନ୍ତି କମଳା ମାଉସୀ। ସୂଚନା ଅନୁସାରେ କେନ୍ଦ୍ରାପଡ଼ା ଖଇରାବାଦ ଗାଁର କମଳା ମହାରଣା। ବୟସ ୬୦ ବର୍ଷରୁ ଅଧିକ ହେବ। ଏ ବୟସରେ କୌଣସି କାମ ନକରି ଘରେ ବସିଥିଲେ। ହେଲେ ତାଙ୍କ ହାତଗୋଡ଼ ଥୟ ଧରୁନଥିଲା। କିଛି କୋଟିଏ କ’ଣ କରିବେ, ସେହି ଚିନ୍ତାରେ ପଡ଼ି ଯାଇଥିଲେ କମଳା ମାଉସୀ। ସେଥିପାଇଁ ସେ ପଲିଥିନ୍କୁ ଗୋଟାଇ କିଛି କରିବା ପାଇଁ ଚିନ୍ତା କରିଥିଲେ। କମଳା ମାଉସୀଙ୍କୁ କାମ ମିଳି ଯାଇଥିଲା। ପରିବେଶକୁ ନଷ୍ଟ କରୁଥିବା ଏଣେ ତେଣେ ପଡ଼ିଥିବା ପଲିଥିନକୁ ସଂଗ୍ରହ କରିବାରେ ଲାଗି ପଡ଼ିଲେ କମଳା ମାଉସୀ। ପରେ ସେହି ସବୁ ପଲିଥିନ୍କୁ ପରିଷ୍କାର ପରିଚ୍ଛନ୍ନ କରିଥିଲେ। ତା’ପରେ ସେ ସବୁ ପଲିଥିନକୁ ସରୁ ସରୁ କାଟି ସେଥିରେ ବିଭିନ୍ନ ସାମଗ୍ରୀ ବୁଣିବା ଆରମ୍ଭ କରିଥିଲେ। ପଲିଥିନ୍କୁ ବ୍ୟବହାର କରି ସେ ପେଡ଼ି, ପାଛିଆ, ଡାଲା, ବିଞ୍ଚଣା, ବଡି ଓ ପାମ୍ପଡ ସୁଖାଇବା ପାଇଁ ଝାମ୍ପି, ମନିପର୍ସ, ପାପୋଚ୍ଛ ଓ କାନ୍ଥରେ ଟଙ୍ଗାଇବା ପାଇଁ ବିଭିନ୍ନ ସାମଗ୍ରୀ ତିଆରି କରୁଛନ୍ତି। ଯାହାର ଚାହିଦା ଭଲ ରହିଛି। ପରିବେଶକୁ ବଞ୍ଚାଇବା ସହିତ ଭଲ ଦୁଇ ପଇସା ରୋଜଗାର କରିପାରୁଛନ୍ତି କମଳା ମାଉସୀ।
କମଳା ମାଉସୀଙ୍କ ଏହି କାମ କେନ୍ଦ୍ରାପଡ଼ାରୁ ଯାଇ ଦିଲ୍ଲୀରେ ପହଞ୍ଚିଥିଲା। ଆଉ ତାଙ୍କ କାମରେ ପ୍ରଭାବିତ ହୋଇଥିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସେଥିପାଇଁ ଗତ ୨୬ ତାରିଖରେ ୨୫ ତମ ମନ୍ କି ବାତ୍ କାର୍ୟ୍ୟକ୍ରମରେ କମଳା ମାଉସୀଙ୍କୁ ପ୍ରଶଂସା କରିଥିଲେ । କମଳାଙ୍କୁ ନିଜ ଭଉଣୀ ବୋଲି ସମ୍ବୋଧନ କରିଥିଲେ ମୋଦି। ସେହିଦିନ ଠୁଁ ସବୁଆଡେ ପ୍ରଶଂସାର ପାତ୍ର ହୋଇଛନ୍ତି କମଳା। ସେଥିପାଇଁ ଚଳିତବର୍ଷ ରକ୍ଷା ବନ୍ଧନରେ ଭାଇ (ନରେନ୍ଦ୍ର ମୋଦି) ପାଇଁ ଅଳିଆ ଆବର୍ଜନାରୁ ଜରି ଗୋଟାଇ ଗୋଟିଏ ରାକ୍ଷୀ ତିଆରି କରିଛନ୍ତି। ସେହି ରାକ୍ଷୀକୁ ପୋଷ୍ଟାଲ୍ରେ ପ୍ରଧାନମନ୍ତ୍ରୀଙ୍କ ପାଖକୁ ପଠାଇଛନ୍ତି। ଏହା ଏବେ ଚାରିଆଡେ ଚର୍ଚ୍ଚାରେ ବିଷୟ ପାଲଟିଛି ।