ଓଡ଼ିଆ ନ୍ୟୁଜ,(ବ୍ୟୁରୋ): କଟକ ମହାନଦୀରେ ଗତକାଲି ଭାସି ଯାଇଥିବା କାଉଡ଼ିଆ ବିଶ୍ୱଜିତ ବେହେରାଙ୍କ ମୃତଦେହ ଆଜି ଉଦ୍ଧାର ହୋଇଛି। ଭଦିମୂଳ ଘାଟ ନିକଟରୁ ମୃତଦେହ ଉଦ୍ଧାର କରିଛନ୍ତି ଅଗ୍ନିଶମ କର୍ମଚାରୀ । ତେବେ ସୂଚନା ମୁତବକ, ରବିବାର ପାଣି ଉଠାଇବା ବେଳେ ଭଦିମୂଳ-ଗତିରାଉତପାଟଣା ମଧ୍ୟସ୍ଥଳର ଏକ ମଠ ନିକଟସ୍ଥ ମହାନଦୀ ଘାଟରେ ଜଣେ କାଉଡ଼ିଆ ବୁଡ଼ି ନିଖୋଜ ହୋଇଯାଇଥିଲେ। କାଉଡ଼ିଆ ଜଣକ ହେଲେ ମଧୁପାଟଣା ଥାନା ଅନ୍ତର୍ଗତ ତିନିଘରିଆ ଅଞ୍ଚଳର ରବୀନ୍ଦ୍ର ବେହେରାଙ୍କ ପୁଅ ବିଶ୍ବଜିତ୍ ।
ଜଳ ସଂଗ୍ରହ କରିବା ସମୟରେ ସେ ପ୍ରଖର ସ୍ରୋତରେ ଭାସି ଯାଇଥିଲେ। ସିଆରଆରଆଇ ଥାନା ପୁଲିସ ଓ ଚାଉଳିଆଗଞ୍ଜ ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚିଥିଲେ। ରାତି ପ୍ରାୟ ୧୦ଟା ପର୍ଯ୍ୟନ୍ତ ନଦୀରେ ତଲାସି ଜାରି ରହିଥିଲା। ହେଲେ ଅନ୍ଧକାର ସହିତ ପାଣିସୁଅ ଅଧିକ ଥିବାରୁ ନିଖୋଜ ବିଶ୍ୱଜିତ୍ଙ୍କୁ ଠାବ କରିବା ସମ୍ଭବ ହୋଇପାରିନଥିଲା। ଆଜି ସକାଳୁ ପୁଣି ଥରେ ଆରମ୍ଭ ହୋଇଥିଲା ସର୍ଚ୍ଚ ଅପରେସନ। କିଛି ଘଣ୍ଟାର ଖୋଜାଖୋଜି ପରେ ଭଦିମୂଳ ଘାଟ ନିକଟରୁ ବିଶ୍ୱଜିତଙ୍କ ମୃତଦେହ ଉଦ୍ଧାର କରି ଅଗ୍ନିଶମ କର୍ମଚାରୀ କୂଳକୁ ଆଣିଥିଲେ।
ସେଠାରୁ ତାଙ୍କ ମୃତଦେହକୁ ବ୍ୟବଚ୍ଛେଦ ନିମନ୍ତେ କଟକ ଏସସିବିକୁ ପଠାଇ ଦିଆଯାଇଛି। ପୁଅର ମୃତଦେହ ଉଦ୍ଧାର ହେବା ପରେ ବିଶ୍ୱଜିତଙ୍କ ପରିବାର ଲୋକେ ଦୁଃଖରେ ଭାଙ୍ଗି ପଡ଼ିଛନ୍ତି। ହସଖୁସିରେ ଶିବଙ୍କୁ ଜଳଲାଗି ନିମନ୍ତେ ଘରୁ ପୁଅ ଗୋଡ଼ କାଢ଼ିଥିବା ବେଳେ ଏବେ ତା’ର ମୃତ୍ୟୁ ଘଟଣାକୁ ସେମାନେ ବିଶ୍ୱାସ କରି ପାରୁ ନାହାନ୍ତି।
Comments are closed.