ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ଯମୁନା ନଦୀର ଜଳସ୍ତର ବଢିଥିବାରୁ ଦିଲ୍ଲୀରେ ପଶିଛି ବନ୍ୟା ପାଣି । ତେବେ ରବିବାର ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ବନ୍ୟା ପ୍ରଭାବିତଙ୍କ ଲାଗି ଆର୍ଥିକ ସହାୟତା ରାଶି ଘୋଷଣା କରିଛନ୍ତି ।ବନ୍ୟାରେ ପ୍ରଭାବିତ ହୋଇଥିବା ପ୍ରତି ପରିବାର ପିଛା 10 ହଜାର ଟଙ୍କା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ।
ଦିଲ୍ଲୀରେ ଯୁମୁନା ନଦୀକୂଳରେ ବାସ କରୁଥିବା ଅନେକ ପରିବାର ବନ୍ୟାରେ ଗଭୀର ଭାବେ ପ୍ରଭାବିତ ହୋଇଛନ୍ତି । କିଛି ଲୋକଙ୍କର ସବୁକିଛି ବନ୍ୟାରେ ଭାସି ଯାଇଛି । ଏଣୁ ଦିଲ୍ଲୀ ସରକାର ପ୍ରତି ପରିବାର ପିଛା ସହାୟତା ପ୍ୟାକେଜ ଘୋଷଣା କରିଛନ୍ତି । ଏ ନେଇ ମୁଖ୍ୟମନ୍ତ୍ରୀ କେଜ୍ରିୱାଲ କହିଛନ୍ତି, “ଅନେକ ଲୋକଙ୍କ ଜରୁରୀ କାଗଜପତ୍ର ମଧ୍ୟ ବନ୍ୟାରେ ଭାସି ଯାଇଛି । ସେମାନଙ୍କୁ ବହୁ ସମସ୍ୟାର ସମ୍ମୁଖୀନ ହେବାକୁ ପଡିବ । ହେଲେ ସରକାର ତାଙ୍କୁ ସେସବୁ ପୁଣି ଥରେ ଯୋଗାଇ ଦେବା ପାଇଁ ତ୍ବରିତ ପ୍ରକ୍ରିୟା ଗ୍ରହଣ କରିବେ ।
ସରକାରଙ୍କ ପକ୍ଷରୁ ବିଭିନ୍ନ କ୍ୟାମ୍ପ ଖୋଲାଯାଇ ଲୋକଙ୍କ ଆଧାର କାର୍ଡ ସମେତ ଅନ୍ୟ ସମସ୍ତ ସରକାରୀ ପ୍ରମାଣପତ୍ର ଯୋଗାଇ ଦିଆଯିବ ।” ସେହିପରି ଆହୁରି ମଧ୍ୟ କହିଛନ୍ତି ଯେ ଯେଉଁ ଛାତ୍ରଛାତ୍ରୀ ବନ୍ୟାରେ ସେମାନଙ୍କ ପାଠ୍ଯ ପୁସ୍ତକ ଓ ଅନ୍ୟ ପାଠପଢା ସମଗ୍ରୀ ହରାଇଛନ୍ତି, ସେମାନଙ୍କୁ ମଧ୍ୟ ସରକାରଙ୍କ ପକ୍ଷରୁ ସେସବୁ ଯୋଗାଇ ଦିଆଯିବ । ଛାତ୍ରଛାତ୍ରୀ ପାଠ ପଢୁଥିବା ସ୍କୁଲରେ, କିଭଳି ପାଠ୍ଯ ପୁସ୍ତକ ଓ ଅନ୍ୟ ପାଠପଢା ସାମଗ୍ରୀ ପାଇବେ ସେହି ବ୍ୟବସ୍ଥା କରିବେ ସରକାର ।
ତେବେ ଆଜି(ରବିବାର) ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ବାଲ ନିଜେ ଏକାଧିକ ରିଲିଫ କ୍ୟାମ୍ପ୍ ଗସ୍ତ କରି ବନ୍ୟା ପ୍ରଭାବିତଙ୍କୁ ଭେଟି ଆଲୋଚନା କରିଥିଲେ । ସେମାନଙ୍କୁ ସମସ୍ତ ସହଯୋଗ କରାଯିବା ନେଇ ଶାନ୍ତ୍ବନା ଦେବା ସହ ସରକାର ସେମାନଙ୍କ ପାଇଁ ଖୁବଶୀଘ୍ର ବନ୍ୟା ସହୟତା ରାଶି ଘୋଷଣା କରିବେ ବୋଲି କେଜ୍ରିଓ୍ବାଲ କହିଥିଲେ ।