କେନ୍ଦ୍ରାପଡା ବାଲିଆରେ ବାଣ ବିସ୍ଫୋରଣ ଘଟଣା:ଜାତୀୟ ମାନବାଧିକାର କମିଶନରେ ହେଲା ଅଭିଯୋଗ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ):  କେନ୍ଦ୍ରାପଡା ଜିଲ୍ଲା ବାଲିଆ ବାଣ ବିସ୍ଫୋରଣ ଘଟଣାରେ ଜାତୀୟ ମାନବାଧିକାର କମିଶନରେ ଅଭିଯୋଗ ହୋଇଛି । ସମାଜସେବୀ ପ୍ରଭାତ ମାର୍ଥା ଏହି ଘଟଣା ପାଇଁ ଜିଲ୍ଲାପାଳ ଓ ଏସପିଙ୍କୁ ଦାୟୀ କରି ଏନଏଚଆରସିଙ୍କ ନିକଟରେ ଫେରାଦ ହୋଇଛନ୍ତି । କମିଶନ ଘଟଣାକୁ ଗମ୍ଭୀରତାର ସହ ନେଇଥିବା ଜଣାପଡିଛି ।

ସମାଜସେବୀ ପ୍ରଭାତ ମାର୍ଥା ଏନଏଚଆରସିରେ କରିଥିବା ଅଭିଯୋଗ ଅନୁସାରେ, ମାନ୍ୟବର ସୁପ୍ରିମକୋର୍ଟ ସାରାଦେଶରେ ବାଣ ଫୁଟା ଉପରେ କଟକଣା ଜାରି କରିଛନ୍ତି । ଜନବସତି, ସ୍କୁଲ-ଶିକ୍ଷାନୁଷ୍ଠାନ, ବଜାର ଓ ଜନଗହଳୀ ସ୍ଥାନରେ ବାଣ ଫୁଟାକୁ ନିଷେଧ କରିଛନ୍ତି । କେବଳ ଗ୍ରୀନ ବାଣ ଫୁଟାଇବାକୁ ଅନୁମତି ପ୍ରଦାନ କରାଯାଉଛି । ହେଲେ ବାଲିଆ ବଜାର ତଥା ଭସାଣୀ ସମୟରେ ବାଣ ପ୍ରତିଯୋଗୀତାକୁ ଜିଲ୍ଲା ପ୍ରଶାସନ କେମିତି ଅନୁମତି ଦେଲା? କେବଳ ଏତିକି ନୁହେଁ ସୁପ୍ରିମକୋର୍ଟ କହିଥିଲେ, ଯେଉଁ ସହର ଓ ଅଂଚଳର ବାୟୁ ପ୍ରଦୁଷଣ ହେଉଥିବା ସେଠାରେ ମଧ୍ୟ ବାଣ ଫୁଟାଇବାକୁ ଅନୁମତି ମିଳିବ ନାହିଁ । କେନ୍ଦ୍ରାପଡା ଜିଲ୍ଲା ପ୍ରଦୂଷଣ ଯୁକ୍ତ ଜିଲ୍ଲା ତାଲିକାରେ ରହିଛି ।

ଏସବୁ ସତ୍ୱେ ଜିଲ୍ଲା ପ୍ରଶାସନ ବିଶେଷ କରି ଜିଲ୍ଲାପାଳ ଓ ଏସପି ବାଣ ପ୍ରତିଯୋଗୀତାକୁ କିପରି ଅନୁମତି ଦେଲେ? ପ୍ରଶାସନ ଅନୁମତି ମିଳିବାରୁ ଏଭଳି ଏକ ଅଘଟଣ ଘଟି ୪୦ରୁ ଅଧିକ ଲୋକେ ଗୁରୁତର ହୋଇଛନ୍ତି । ତେଣୁ ଏହି ଘଟଣା ପାଇଁ ଜିଲ୍ଲାପାଳ ଓ ଏସପି ହିଁ ଦାୟୀ । ତେଣୁ ସେମାନଙ୍କ ନିଜସ୍ୱ ଦରମାରୁ ଆହତଙ୍କ ଚିକିତ୍ସା ବ୍ୟବସ୍ଥା ସହ ପ୍ରତି ଆହତଙ୍କୁ ସର୍ବନିମ୍ନ ୫ଲକ୍ଷ ଟଙ୍କା କ୍ଷତିପୂରଣ ଦିଆଯାଉ ବୋଲି ଶ୍ରୀ ମାର୍ଥା କମିଶନଙ୍କ ନିକଟରେ ଅଭିଯୋଗ କରିଛନ୍ତି ।

ଉଲ୍ଲେଖଥାଉ କି, ଚଣ୍ଡି ଶ୍ରମିକ ସଂଘ କମିଟି ଓ ଧୋବା ସାହି ମେଢ଼ କମିଟି ମଧ୍ୟରେ ମେଢ଼ ଭସାଣି ବେଳେ ବାଣଫୁଟାକୁ ନେଇ ପ୍ରତିଯୋଗିତା ହେଉଥିଲା । ବାଲିଆ ବଜାର ପ୍ରବେଶ ପଥ ନିକଟରେ ଚଣ୍ଡି ଶ୍ରମିକ ସଂଘ ପକ୍ଷରୁ ବାଣ ଫୁଟା ଯାଉଥିବାବେଳେ ଅଚାନକ ଅନ୍ୟତ୍ର ବିସ୍ଫୋରଣ ହୋଇଥିଲା । ସିଙ୍ଗଲ୍ ସଟ୍ ବାଣ ଗୁଡ଼ିକ ସମୂହ ଭାବେ ଲୁହା ପାଇପ୍‌ରେ ରଖି ଫୁଟାଇବା ବଦଳରେ ପଟିଲ୍‌ରେ ଆବଦ୍ଧ ପାଇପ୍‌ରେ ଏକାଠି ରଖି ଫୁଟାଯାଇଥିଲା । ଫଳରେ ୧୦ଟି ବାଣ ମଧ୍ୟରୁ ୪ ନଂ. ପଟିଲ୍ ପାଇପ୍‌ରେ ଥିବା ସିଙ୍ଗଲ ସଟ୍ ବାଣ ଉପରକୁ ଉଠିବା ବଦଳରେ ପାଖରେ ଏକ ଦୋକାନରେ ରଖାଯାଇଥିବା ବାଣଗଦା ଉପରେ ଛିଟିକି ପଡ଼ିଥିଲା ।

ଉକ୍ତ ପଟିଲ୍‌ରେ ସମ୍ଭବତଃ ପୂର୍ବରୁ ଛିଦ୍ର ଥିବାରୁ ବାଣ ଉପରକୁ ନଯାଇ ଦକ୍ଷିଣ ପାଶ୍ୱର୍କୁ ମାଡ଼ିଯାଇ ସୁନା ଦୋକାନ ସାମନାରେ ଥିବା ବାଣ ବ୍ୟାଗ୍ ବା ବସ୍ତା ଉପରେ ପଡ଼ିଥିଲା । ଯେଉଁଠି ବାଣ ଗଦା ରହିଥିଲା । ବାଣୁଆ ମେଲଣ ପଡ଼ିଆ ପର‌୍ୟ୍ୟନ୍ତ ଠାଏ ଠାଏ ବାଣ ଗଦା କରି ରଖି ରଖି ଫୁଟାଇ ଆସୁଥିଲେ । ତେବେ ପଟିଲ୍ ପାଇପ୍‌ରେ ଛିଦ୍ର ଥିବା କାରଣରୁ ବାଣ ଉପରକୁ ନଯାଇ ତଳେ ବାଣଗଦା ଉପରେ ପଡ଼ି ଫୁଟିବାରୁ ଲୋକଙ୍କ ଭିଡ଼ ଭିତରେ ବିସ୍ଫୋରଣ ହୋଇଥିଲା ।

ବାଣ ଝୁଲ ବାଣ ଗଦା ଉପରେ ପଡ଼ି ଭୟଙ୍କର ଭାବେ ବିସ୍ଫୋରିତ ହେବାରୁ ଗହଳି ଭିତରେ ଲୋକେ ପୋଡ଼ି ଯାଇଥିଲେ, ଆହତ ହୋଇଥିଲେ । ବିସ୍ଫୋରଣ ଏତେ ତୀବ୍ର ଓ ଶକ୍ତିଶାଳୀ ଥିଲା ଯେ ଯେଉଁ ସ୍ଥାନରେ ବାଣ ବ୍ୟାଗ୍ ରହିଥିଲା ଉକ୍ତ ଘରର ଟିଣ କବାଟକୁ ଫଟାଇ ଦେଇଛି । ଆଜ୍‌ବେଷ୍ଟସ୍ ମଧ୍ୟ ଭାଙ୍ଗିରୁଜି ଗଳିପଡ଼ିଛି । ଗତକାଲିର ଏ ଘଟଣାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ଲାଗି ରହିଛି । ପୁଲିସ ସ୍ଥିତି ଉପରେ ନଜର ରଖିଛି ।

ବିସ୍ଫୋରଣ ଅଘଟଣକୁ ନେଇ ସଦର ପୁଲିସ ଆଜି ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶୋଭାଯାତ୍ରା ଆୟୋଜନକାରୀ କମିଟି ଚଣ୍ଡି ଶ୍ରମିକ ସଂଘର ସଭାପତି, ସମ୍ପାଦକଙ୍କ ସମେତ ୨ ବାଣୁଆଙ୍କ ନାଁରେ ମାମଲା ରୁଜୁ କରାଯାଇଥିବା ପୁଲିସ କହିଛି । ଆଜି ଏହି ଘଟଣାରେ ସଦର ଥାନା ପୁଲିସ ୧୧ ଜଣଙ୍କୁ ଉଠାଇ ଆଣି ପଚରା ଉଚରା କରୁଥିବା ଆଇଆଇସି ପବିତ୍ର ମହାରଣା କହିଛନ୍ତି ।

ସେହିପରି ଜିଲ୍ଲାପାଳ ଅମ୍ରିତ ଋତୁରାଜ କହିଛନ୍ତି ଯେ କଟକ ବଡ଼ ମେଡିକାଲରେ ୩୪ ଜଣଙ୍କର ଚିକିତ୍ସା ଚାଲିଥିବା ବେଳେ ୫ଜଣଙ୍କ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ଅଛି । ଭସାଣି ଶୋଭାଯାତ୍ରାରେ ବାଣ ଫୁଟାଇବା ପାଇଁ କୌଣସି ଅନୁମତି ଦିଆଯାଇ ନ ଥିଲା । ଆଇନ ଖିଲାପକାରୀଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି, ତଦନ୍ତ ପରେ କାର‌୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଶୋଭାଯାତ୍ରାରେ ବାଣ ଫୁଟାଇବାକୁ ଆଦୌ ଅନୁମତି ନଥିବା ବେଳେ କିପରି ପୁଲିସ ଉପସ୍ଥିତିରେ ଏତେ ବାଣ ଫୁଟାଯାଉଥିଲା ଓ ରୀତିମତ ବାଣ ପ୍ରତିଯୋଗିତା ହେଉଥିଲା, ତାହା ସବୁ ମହଲରେ ପ୍ରଶ୍ନ ଛିଡ଼ା କରିଛି ।

Leave A Reply

Your email address will not be published.