ଓଡ଼ିଆ ନ୍ୟୁଜ (ବ୍ୟୁରୋ) : କେନ୍ଦୁଝର ଜିଲ୍ଲାରେ ହୋଇଥିବା ଟ୍ରକ ଦୁର୍ଘଟଣାରେ ପାଞ୍ଚ ଜଣ ଲୋକଙ୍କ ମୃତ୍ୟୁ ଘଟଣାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଶୋକ ପ୍ରକାଶ କରିଛନ୍ତି । ଏଥିସହ ମୃତକଙ୍କ ନିକଟ ତମ ଆତ୍ମୀୟଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ତିନି ଲକ୍ଷ ଟଙ୍କା ଅନୁକମ୍ପା ମୂଳକ ସହାୟତା ଘୋଷଣା କରିଛନ୍ତି। ଏବଂ ଶୋକ ସନ୍ତପ୍ତ ପରିବାର ବର୍ଗଙ୍କୁ ଗଭୀର ସମବେଦନା ଜଣାଇଛନ୍ତି।
ଏହି ଦୁର୍ଘଟଣାରେ ଆହତମାନଙ୍କୁ ମାଗଣାରେ ଉପଯୁକ୍ତ ଚିକିତ୍ସା ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେବା ସହିତ ସେମାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି । ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ। ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ ବରଯାତ୍ରୀମାନେ ନାଚୁଥିଲେ। ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ପ୍ରାଣ ହରାଇବା ସହ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଥିଲେ ।
ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ମୃତକମାନେ ମାନପୁର ଗ୍ରାମର ଜିତ୍ ପାତ୍ର , କାଳିଆ ମହାନ୍ତ , ଲକ୍ଷ୍ମୀପାଦର ରତି ମୁଣ୍ଡା , ଷଠୀଘରର ଅମିତ ପାତ୍ର ଏବଂ କେଉଟସାହିର ବାପୁନ ଦେହୁରୀ ବୋଲି ସୂଚନା ମିଳିଛି।