ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବିଶ୍ବନିୟନ୍ତାଙ୍କ ମାନବୀୟ ଲୀଳାର ମହାପର୍ବ ବିଶ୍ବପ୍ରସିଦ୍ଧ ରଥଯାତ୍ରାକୁ ମଝିରେ ଆଉ ମାତ୍ର ତିନି ଦିନ । ଅଣସରରେ ଚତୁର୍ଦ୍ଧାମୂର୍ତ୍ତି ସୁସ୍ଥ ହୋଇସାରି ଥିବା ବେଳେ, ପରମ୍ପରା ଅନୁସାରେ ଏକଥା ଶ୍ରୀନଅରକୁ ମଧ୍ୟ ଅବଗତ କରାଯାଇ ସାରିଛି । ଅଣସର ନୀତି ଶେଷ ହେଉଥିବା ବେଳେ ରଥଯାତ୍ରା ପ୍ରାକ ପର୍ବ ମଧ୍ୟ ଆରମ୍ଭ ହୋଇଛି ।
ଆଜି ଶ୍ରୀଜିଉଙ୍କର ଘଣା ଓ ଖଳି ପ୍ରସାଦ ଲାଗି ନୀତି କରାଯିବ। ଏଥିସହ ଖଳି ପ୍ରସାଦ ଲାଗି ମଧ୍ୟ ହେବ। ଶୁଦ୍ଧ ସୁଆରଙ୍କ ଘରଠାରୁ ଘଣ୍ଟ, ଛତା, କାହାଳି ସହ ଖଳି ପ୍ରସାଦ ଶ୍ରୀମନ୍ଦିରକୁ ବିଜେ କରାଯିବ। ଶୁଦ୍ଧ ସୁଆରଙ୍କ ଦ୍ୱାରା ପ୍ରସ୍ତୁତ ଏହି ଦିବ୍ୟ ପ୍ରଲେପକୁ ରୂପା ପିଙ୍ଗଣରେ ରଖି ଦଇତାପତି ସେବକ ମହାପ୍ରଭୁଙ୍କ ଶ୍ରୀଅଙ୍ଗରେ ଲାଗି କରିବେ। ଖଳି ଲାଗି ପୂର୍ବରୁ ସଂପନ୍ନ ହେବ ପ୍ରଭୁଙ୍କ ଘଣା ଲାଗି ଗୋପନ ନୀତି। ଏହି ଖଳିକୁ ଶୁଦ୍ଧସୁଆରମାନେ ନିଜ ନିଜ ବାସଭବନରେ ଶୁଦ୍ଧପୁତ ଭାବେ ପ୍ରସ୍ତୁତ କରିଥାନ୍ତି । ଏହି ଖଳି ବିଜେ ପାଇଁ ଶ୍ରୀମନ୍ଦିରରୁ ଘଣ୍ଟ, ଛତା ସହ ଡକାରା ଯାଇଥାଏ ।
ବିଜେ କାହାଳି, ବଜୟନ୍ତ୍ରୀ, ଘଣ୍ଟ ଛତା ସହ ଶୋଭାଯାତ୍ରାରେ ମହାପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ପାଇଁ ତିନି ଶୁଦ୍ଧ ସୁଆର ଅଧିବାସିତ ଖଳି ପ୍ରସାଦକୁ ତଥା ଦିବ୍ୟ ପ୍ରଲେପ ଶ୍ରୀମନ୍ଦିରକୁ ବିଜେ କରାଇବେ । ଏହା ପୂର୍ବରୁ ଏହି ଖଳିକୁ ଶୁଦ୍ଧ ସୁଆରଙ୍କ ବାସ ଭବନରେ ଖଳି ହାଣ୍ଡିକୁ ମହିଳାମାନେ ବନ୍ଦାପନା କରିବେ । ବିଜେ କାହାଳି ବାଜିବା ପରେ ବରକନ୍ଦାଜଙ୍କ ସୁରକ୍ଷା ବଳୟ ଭିତରେ ପ୍ରଭୁଙ୍କ ଶ୍ରୀଅଙ୍ଗ ଲାଗି ଖଳି ଶ୍ରୀମନ୍ଦିରକୁ ବିଜେ କରିବ ।