ତେନ୍ଦୁଲକରଙ୍କୁ ଟପିଲେ କୋହଲିଙ୍କ କମାଲ

0

ଓଡ଼ିଆ ନ୍ୟୁଜ, (ବ୍ୟୁରୋ): ଚଳିତ ବିଶ୍ୱକପ୍ରେ ଭାରତ ଖେଳୁଥିବା ସପ୍ତମ ମ୍ୟାଚରେ ଶ୍ରୀଲଙ୍କାକୁ ୩୦୨ ରନ୍ ରେ ହରାଇ, ବିଶ୍ୱକପ୍ ଇତିହାସରେ ଦ୍ୱିତୀୟ ବଡ ବିଜୟ ହାସଲ କରିଛି । ଏଥିରେ ବିରାଟ କୋହଲିଙ୍କର ୮୮ରନର ମହତ୍ୱପୂର୍ଣ୍ଣ ଯୋଗଦାନ ରହିଥିଲା । ଏହି ଅବସରରେ କିଙ୍ଗ କୋହଲି ଏକ ବିଶ୍ୱ ରେକର୍ଡର ଅଧିକାରୀ ହୋଇଛନ୍ତି । କ୍ରିକେଟର ଭଗବାନ ରୂପେ ପରିଚିତ ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକରଙ୍କୁ ଟପି ବିରାଟ ଏହି ରେକର୍ଡ କରିଛନ୍ତି ।

ଏହି ୮୮ରନର ପାଳି ସହ ଏପର୍ଯ୍ୟନ୍ତ ଚଳିତ ବିଶ୍ୱକପ୍ ରେ ୪୪୨ ରନ କରି କୋହଲି ଶ୍ରେଷ୍ଠ ସ୍କୋରର ତାଲିକାର ଦ୍ୱିତୀୟ ସ୍ଥାନରେ ରହିଛନ୍ତି । ଏଥିସହ ସେ ଚଳିତ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ୧୦୦୦ରୁ ଉଦ୍ଧ୍ୱର୍ ରନ କରିବାରେ ସକ୍ଷମ ହୋଇଛନ୍ତି । ଏହାକୁ ମିଶାଇ କୋହଲି ଅଷ୍ଟମ ଥର ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ଦିନିକିଆରେ ଏକ ହଜାରରୁ ଅଧିକ ରନ ସଂଗ୍ରହ କରିପାରିଛନ୍ତି । ଏପରି କରିବାରେ ସେ ତେନ୍ଦୁଲକରଙ୍କୁ ପଛରେ ପକାଇ ଦେଇଛନ୍ତି ।

କାରଣ ତେନ୍ଦୁଲକର ଏହି ସଫଳତା ୭ ଥର ହାସଲ କରିଥିଲେ । କୋହଲି ୨୦୧୧ ରୁ ୨୦୧୪, ୨୦୧୭ରୁ ୨୦୧୯ ଏବଂ ୨୦୨୩ରେ ଏହି କୀର୍ତିମାନ କରିଛନ୍ତି । ସେହିପରି ତେନ୍ଦୁଲକର ୧୯୯୪,୧୯୯୬ ରୁ ୧୯୯୮, ୨୦୦୦, ୨୦୦୩ ଓ ୨୦୦୭ରେ ଏପରି ସଫଳତା ପାଇଥିଲେ । ବିଶ୍ୱ କ୍ରିକେଟରେ ଏହି ସଫଳତା ଅର୍ଜିବାରେ କୋହଲି ଓ ତେନ୍ଦୁଲକରଙ୍କ ପଛକୁ ସୌରଭ ଗାଙ୍ଗୁଲି, କୁମାର ସାଙ୍ଗାକାରା ଓ ରିକି ପଣ୍ଟିଂ ରହିଛନ୍ତି । ଏମାନେ ସଭିଏଁ ୬ଥର ଲେଖାଏଁ ଏପରି ସଫଳତା ପାଇଛନ୍ତି । ଗାଙ୍ଗୁଲି ୧୯୯୭ ରୁ ୨୦୦୦, ୨୦୦୨ ଓ ୨୦୦୭ରେ ଏହି ସଫଳତା ପାଇଥିଲେ । ସାଙ୍ଗାକାରା ୨୦୦୪, ୨୦୦୬, ୨୦୧୧ ରୁ ୨୦୧୪ରେ ଏହି କାରନାମା କରିଥିଲେ । ୨୦୧୫ରେ ଲଗାତର ୩ଟି ବିଶ୍ୱକପ୍ ଶତକ ହାସଲ କରିବାରେ ସେ ବିଶ୍ୱରେ ପ୍ରଥମ ଖେଳାଳି ହୋଇଥିଲେ । ସେହିପରି ପଣ୍ଟିଂ ୧୯୯୮-୯୯, ୨୦୦୩, ୨୦୦୫, ୨୦୦୭ ଓ ୨୦୦୯ରେ ଏହି ସଫଳତା ପାଇଥିଲେ ।

Leave A Reply

Your email address will not be published.