ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : ରାୟଗଡାରେ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା । ଜିଲ୍ଲାର ପ୍ରାୟ ୧୧ଟି ବ୍ଲକ୍ ମଧ୍ୟରେ ଏକା ସାଙ୍ଗରେ ୫୨ଟି ବସ୍ ଗଡିବ । ଭିଡିଓ କନଫରେସିଂ ଜରିଆରେ ଆଜି ଏହାର ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
ରାୟଗଡା ଜିଲ୍ଲାର ୧୧ଟି ବ୍ଲକରେ ମୋଟ ୧୮୨ଟି ପଞ୍ଚାୟତର ୩୯ଟି ରୁଟରେ ଏହି ବସ୍ ଗଡିବ । ଏହି ସେବା ଦ୍ଵାରା ପ୍ରାୟ ୯ଲକ୍ଷରୁ ଅଧିକ ଲୋକ ଉପକୃତ ହେବେ । ଆଜିର ଏହି ଉଦଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେସିଂ ଜରିଆରେ ଯୋଡିହେବେ । ଏତଦବ୍ୟତୀତ ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଏବଂ ସଚିବ ଉଷା ପାଢୀ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଡି ହେବେ ।
ସୂଚନାଯୋଗ୍ୟ ଯେ, ଅକ୍ଟୋବର ୧୨ ତାରିଖରେ ପ୍ରଥମ ପର୍ଯ୍ୟାୟରେ ମାଲକାନଗିରିରେ ‘ଲକ୍ଷ୍ମୀ ବସ୍’ ସେବା ଆରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ । ଏହାପରେ ଅକ୍ଟୋବର ୨୦ରେ ଗଜପତି ଏବଂ ନଭେମ୍ବର ୧ରେ କଳାହାଣ୍ଡି ଜିଲ୍ଲାରେ ‘ଲକ୍ଷ୍ମୀ ବସ’ର ଶୁଭାରମ୍ଭ କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।