ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଗୁରବାର ଜାମ୍ମୁ କାଶ୍ମୀରରେ ଆତଙ୍କୀ ହମଲାରେ ପ୍ରାଣ ହରାଇଥିବା ଓଡ଼ିଆ ପୁଅ ଦେବାଶିଷ ବିଶ୍ୱାଳଙ୍କ ମରଶରୀରକୁ ପ୍ରଥମେ ଭୁବନେଶ୍ୱର ଅଣାଯାଇଥିଲା। ସ୍ୱତନ୍ତ୍ର ବିମାନରେ ବିଜୁପଟ୍ଟନାୟକ ବିମାନ ବନ୍ଦରରେ ୭.୨୦ ମିନିଟ ରେ ପହଞ୍ଚିଥିଲା ମୃତଦେହ। କାରଗୋ ଗେଟ ସମ୍ମୁଖରେ ପ୍ରବରୁ ପ୍ରସ୍ତୁତ ହୋଇଥିବା ସ୍ଥାନରେ ମରଶରୀରକୁ ରଖାଯାଇଥିଲା। ରାଜ୍ୟ ସରକାରଙ୍କ ପ୍ରତିନିଧି ଭାବେ ମର ଶରୀରରେ ଶେଷ ସୁମନ ଅର୍ପଣ କରିଥିଲେ ଗୃହ ରାଷ୍ଟ୍ରମନ୍ତ୍ରୀ ତୁଷାର କାନ୍ତି ବେହେରା। ପରେ ପରେ ମହାମହିମ ରାଜ୍ୟପାଳ ପ୍ରଫେସର ଗଣେସୀ ଲାଲ, ଭୁବନେଶ୍ୱରର ୩ ବିଧାୟକ, ଭୁବନେଶ୍ୱର ମେୟର, ବିଜେପି ରାଜ୍ୟ ସଭାପତି ପ୍ରମୁଖ ସହିଦ ଯବାନ ଦେବାଶିଷଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ବୀର ଯବାନ ମାନଙ୍କ ଦ୍ୱାରା ରାଷ୍ଟୀୟ ସମ୍ମାନ ପ୍ରଦାନ କରାଯିବା ସହ ଶେଷ ସମ୍ମାନ ଜଣାଇଥିଲେ ସଭିଏଁ।
ପରେ ପରେ ମରଶରୀର ବାହାରିଥିଲା ସତ୍ୟବାଦୀ, ଅଳୁଗୁମ ପଞ୍ଚାୟତର ଖଣ୍ଡାୟତ ସାହି,ଯେଉଁଠି କଟିଥିଲା ଦେବାଶିଷଙ୍କ ସର୍ବାଧିକ ସମୟ। ଜନ୍ମ ମାଟିରେ ମାଟିର ପୁଅକୁ ଚାତକ ପରି ଚାହିଁ ବସିଥିଲେ ଗ୍ରାମବାସୀ। ଭୁବନେଶ୍ୱରରୁ ପିପିଲି, ସାକ୍ଷୀ ଗୋପାଳ ଯାଏଁ ରାସ୍ତା କଡରେ ରୁଣ୍ଡ ହୋଇଥିଲେ ଲୋକେ। କିଏ ଫୁଲ ହାର ଟିଏ ବଢ଼ାଇ ଦେଉଥାଏ ତ ଆଉ କିଏ ସମ୍ମାନ ସୂଚକ ସାଲ୍ୟୁଟ ମାରି ନିଜ ଶେଷ ସମ୍ମାନ ଜଣାଉଥାଏ। ସାକ୍ଷୀ ଗୋପାଳରୁ ଗାଁ ଘର ଯାଏଁ ୧୦ କିଲୋମିଟର ରାସ୍ତା ପାଲଟିଥିଲା ଲୋକାରଣ୍ୟ। ବିଶାଳ ପଟୁଆର ସାଙ୍ଗକୁ ଦେବାଶିଷ ଅମର ରହେ, ଭାରତ ମାତାକି ଜୟ ଧ୍ୱନିରେ ପ୍ରକମ୍ପିତ ହୋଇଥିଲା ପୁରା ପରିବେଶ। ବୀର ବାଦ୍ୟ ସହ, ବାଡ଼ି ଖେଳ, ଖଣ୍ଡା ଖେଳ ପ୍ରଦର୍ଶନ କରି ମରଶରୀରକୁ ପାଛୋଟି ନେଇଥିଲେ ପ୍ରିୟଜନ। ଶେଷରେ ଗାଁମୁଣ୍ଡ ମଶାଣିରେ ଜଳିଥିଲା ଦେବାଶିଷଙ୍କ ଶେଷ ଚିତା। ତୋପ ସଲାମି ସହ ବୀର ଯବାନଙ୍କୁ ଶେଷ ସମ୍ମାନ ଅର୍ପଣ କରାଯାଇଥିଲା। ସାନ ଭାଇ
ଦେବପ୍ରସାଦ ବିଶ୍ୱାଳ ମୁଖାଗ୍ନୀ ଦେବା ସହ ହତବାକ ହୋଇ ମାଟିର ପୁଅକୁ ବିଦାୟ ଦେଇଥିଲେ ହଜାର ହଜାର ପ୍ରିୟଜନ।