ଓଡ଼ିଆ ନ୍ୟୁଜ, (ବ୍ୟୁରୋ) : “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା” ସଚେତନତା ରଥ ଜିଲ୍ଲା ଭ୍ରମଣର ଶୁଭାରମ୍ଭ | କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହେଉଥିବା ବିଭିନ୍ନ ଜନମଙ୍ଗଳକାରୀ ଯୋଜନାର ବାର୍ତା ତୃଣମୂଳସ୍ତରରେ ପହଂଚାଇବା ସହ ଯୋଜନାରୁ ବଂଚିତ ହୋଇଥିବା ଯୋଗ୍ୟ ହିତାଧିକାରୀଙ୍କ ନାମ ଯୋଜନାରେ ସାମିଲ୍ କରିବା ଲକ୍ଷ୍ୟ ନେଇ ଆଜି କେନ୍ଦ୍ରାପଡ଼ା ଜିଲ୍ଲା ପରିଭ୍ରମଣ କରିବା ପାଇଁ ଆସିଛି “ବିକଶିତ ଭାରତ ସଙ୍କଳ୍ପ ଯାତ୍ରା”ର ଗୋଟିଏ ସଚେତନତା ରଥ ।
ଏହି ସଚେତନତା ରଥ ଆଜି ପୂର୍ବାହ୍ଣ ୧୧ଘଟିକା ସମୟରେ କେନ୍ଦ୍ରପଡ଼ା ବ୍ଲକ୍ରୁ ଓସ୍ତପୁର ଗ୍ରାମ ପଂଚାୟତ ପରିଭ୍ରମଣରେ ବାହାରିଥିଲା । ଏହି କ୍ରମରେ ସଙ୍କଳ୍ପ ଯାତ୍ରା ରଥ ଓସ୍ତପୁର ଗ୍ରାମ ପଂଚାୟତରେ ପହଂଚିବା ପରେ ଜିଲ୍ଲା ପରିଷଦର ମୁଖ୍ୟ ଉନ୍ନୟନ ଅଧିକାରୀ ଶ୍ରୀ ରାଜେନ୍ଦ୍ର କୁମାର ପଣ୍ଡା ସେଠାରେ ପ୍ରଥମ ଦିନର ପରିଭ୍ରମଣ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ । ସେଠାରେ କେନ୍ଦ୍ରାପଡ଼ା ବ୍ଲକ୍ର ଏବିଡିଓ ଶ୍ରୀ ଅନିରୁଧ ବେହେରା, ଓସ୍ତପୁର ସରପଂଚ ପ୍ରସନ୍ନ କୁମାର ରାଉତ, ଜନ ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ଶିକ୍ଷକ, ଛାତ୍ରଛାତ୍ରୀ, ଗ୍ରାମବାସୀବୃନ୍ଦ ଓ ବିଭିନ୍ନ ଗଣମାଧ୍ୟମର ପ୍ରତିନିଧିଙ୍କ ସମେତ ଜିଲ୍ଲା ପରିଷଦର ଏପିଡି ଓ କେନ୍ଦ୍ରାପଡ଼ା ବ୍ଲକ୍ର କର୍ମକର୍ତା ପ୍ରମୂଖ ଉପସ୍ଥିତ ଥିଲେ ।
ଓସ୍ତପୁର ଗ୍ରାମ ପଂଚାୟତରେ ପହଂଚିବା ପରେ ସଂକୀର୍ତନ ମଣ୍ଡଳୀ ଓ ମହିଳା ମଣ୍ଡଳୀମାନେ ରଥକୁ ସ୍ୱାଗତ ଜଣାଇଥିଲେ । ମେରି କାହାନି, ମେରି ଜୁବାନିରେ ଲୋକମାନେ କହିଥିଲେ ଯୋଜନାର ସଫଳତା ବିଷୟରେ ଓ ବିକଶିତ ଭାରତ ପାଇଁ ସଙ୍କଳ୍ପ ନେଇଥିଲେ । ସୂଚନାଯୋଗ୍ୟ ଯେ, ରଥଟି ପ୍ରତ୍ୟେକ ଦିନ କେନ୍ଦ୍ରାପଡ଼ାର ଦୁଇଟି ଲେଖାଏଁ ଗ୍ରାମ ପଂଚାୟତରେ କେନ୍ଦ୍ର ସରକାରଙ୍କ ଯୋଜନା ଏଲ୍ଇଡି ମାଧ୍ୟମରେ ପ୍ରଦର୍ଶନ କରିବ ଓ ସଚେତନତାର ବାର୍ତା ବାଂଟିବ ।