ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଅଦିନିଆ ରଥଯାତ୍ରାକୁ ନେଇ ଆଇନ୍ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ ପ୍ରତିକ୍ରିୟା ରଖିଛନ୍ତି। ସେ କହିଛନ୍ତି, ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ସମର୍ଥନ କରିବେ ରାଜ୍ୟ ସରକାର। ଆମେ ଜଗନ୍ନାଥ ସଂସ୍କୃତିକୁ ନଷ୍ଟ ହେବାକୁ ଦେବୁ ନାହିଁ। ଶ୍ରୀ ଜଗନ୍ନାଥଙ୍କର ସ୍ଵତନ୍ତ୍ର ନୀତିକାନ୍ତି ଓ ପରମ୍ପରା ରହିଛି । ମାତ୍ର ବିଶ୍ଵର ଭିନ୍ନ ଭିନ୍ନ ସ୍ଥାନରେ ଅଦିନିଆ ରଥଯାତ୍ରା ଜଗନ୍ନାଥ ପ୍ରେମୀଙ୍କୁ ବାଧୁଚି, ଯାହାକୁ ନେଇ ଉଦବେଗ ପ୍ରକାଶ ପାଇଛି।
ଯେଉଁଭଳି ଭାବରେ ସ୍ନାନଯାତ୍ରାକୁ ଇସ୍କନ କର୍ତ୍ତୃପକ୍ଷ ବନ୍ଦ କରିଛନ୍ତି ସେହିଭଳି ଅଦିନିଆ ରଥଯାତ୍ରାକୁ ବନ୍ଦ କରିବା ନେଇ ଆମେ ଆଲୋଚନା କରିବୁ। ନଚେତ୍ ଗଜପତି ମହାରାଜା ଓ ଶ୍ରୀମନ୍ଦିର ପ୍ରଶାସନର ନିଷ୍ପତ୍ତିକୁ ଆମେ ସମ୍ପୂର୍ଣ୍ଣ ସହଯୋଗ କରିବୁ। ଏନେଇ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ କହିଛନ୍ତି, ଗଜପତି ମହାରାଜା ଯାହା କହିଛନ୍ତି ଆମେ ସମର୍ଥନ ଜଣାଉଛୁ । ଶ୍ରୀଜଗନ୍ନାଥ ସଂସ୍କୃତିର ସୁରକ୍ଷା ଆମର ପ୍ରାଥମିକତା । ଜଗନ୍ନାଥ ସଂସ୍କୃତିକୁ ବିକୃତ ଏବଂ ଏହାକୁ ଅସମ୍ମାନ କଲେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ । ଆମେ ପ୍ରଥମେ ଆଲୋଚନା କରିବୁ, ସହମତ ନ ହେଲେ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରାଯିବ ବୋଲି ମନ୍ତ୍ରୀ କହିଛନ୍ତି । ପଦକ୍ଷେପ ବାବଦରେ ନିଷ୍ପତ୍ତି ନେବାରେ ଶ୍ରୀମନ୍ଦିର ପ୍ରଶାସନ ପ୍ରାଧୀକୃତ ।
ଶ୍ରୀମନ୍ଦିର ପ୍ରଶାସନ ଯାହା ନିଷ୍ପତ୍ତି ନେବେ ସେଥିରେ ବିଭାଗର ସମର୍ଥନ ରହିବ ବୋଲି ମନ୍ତବ୍ୟ ଦେିଛନ୍ତି ମନ୍ତ୍ରୀ । ତେବେ କହିରଖୁଛୁ, ପ୍ରତିବର୍ଷ ଭଳି ଏଥର ମଧ୍ୟ ଅଦିନରେ ରଥଯାତ୍ରା କରିବାକୁ ଯାଉଛି ଇସ୍କନ । ଏଥିପାଇଁ ଗଜପତି ମହାରାଜ ଇସ୍କନକୁ ଚିଠି ଲେଖିବାରୁ, ଗତ ୩ ତାରିଖରେ ହେବାକୁ ଥିବା ସ୍ନାନଯାତ୍ରା ବାତିଲ୍ କରିଥିଲା ଇସ୍କନ । ହେଲେ ରଥଯାତ୍ରା ବାତିଲ୍ ନେଇ କୌଣସି ସୂଚନା ଦେଇନଥିଲେ । ତେବେ ଏବେ ରଥଯାତ୍ରା ପାଇଁ ପ୍ରସ୍ତୁତି ଚାଲିଥିବା ସୂଚନା ମିଳିଛି । ଯାହାକୁ ନେଇ କଡା ଚେତାବନୀ ଦେଇଛନ୍ତି ଗଜପତି ।
Comments are closed.