ବସ୍ର ଫିଟନେସ ନବୀକରଣ ଫି ବୃଦ୍ଧିକୁ ଚାଲେଞ୍ଜ କରି ଦାୟର ମାମଲା: କେନ୍ଦ୍ର ସରକାର ଓ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସକୁ ନୋଟିସ୍ କଲେ ହାଇକୋର୍ଟ
ଓଡିଆ ନ୍ୟୁଜ୍(ବ୍ୟୁରୋ): ଅଲ୍ ଓଡ଼ିଶା ଘରୋଇ ବସ ମାଲିକ ସଙ୍ଘ ପକ୍ଷରୁ ବସ୍ର ଫିଟନେସ ନବୀକରଣ ଫି ବୃଦ୍ଧିକୁ ଚାଲେଞ୍ଜ କରି ଦାୟର ମାମଲାରେ ହାଇକୋର୍ଟ କେନ୍ଦ୍ର ସରକାର, ରାଜ୍ୟ ପରିବହନ କମିସନର ଓ ଅଲ୍ ଇଣ୍ଡଆ ମୋଟର ଟ୍ରାନ୍ସପୋର୍ଟ କଂଗ୍ରେସକୁ ନୋଟିସ୍ ଜାରି କରି ୮ ସପ୍ତାହ ଭିତରେ ଜବାବ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। ଏଥି ସହିତ ବସ୍ ଫିଟନେସ୍ ନବୀକରଣ ପାଇଁ ବସ୍ ମାଲିକମାନେ ପଇଠ କରିଥିବା ଅତିରିକ୍ତ ଫି’ର ଭବିଷ୍ୟତ ମାମଲାର ଚୂଡାନ୍ତ ଫଳାଫଳ ଉପରେ ନିର୍ଭର କରିବ ବୋଲି ହାଇକୋର୍ଟ ଅନ୍ତରୀଣ ନିର୍ଦ୍ଦେଶ ଦେଇଛନ୍ତି। ମୁଖ୍ୟ ବିଚାରପତି ଡକ୍ଟର ଜଷ୍ଟିସ ଏସ.ମୁରଲୀଧର ଓ ଜଷ୍ଟିସ ଆର.କେ.ପଟ୍ଟନାୟକଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ ସଂପର୍କିତ ମାମଲାର ଶୁଣାଣି କରି ଏପରି ନିର୍ଦ୍ଦେଶ ଦେଇଛନ୍ତି।
ଆବେଦନକାରୀଙ୍କ ତରଫରୁ ବରିଷ୍ଠ ଆଇନଜୀବୀ ସୂର୍ଯ୍ୟପ୍ରସାଦ ମିଶ୍ର ମାମଲା ପରିଚାଳନା କରୁଛନ୍ତି।କେନ୍ଦ୍ର ସରକାର ୨୦୨୧ରେ ୧୫ ବର୍ଷରୁ ଅଧିକ ବୟସର ବସ୍ ସମେତ ବିଭିନ୍ନ ବର୍ଗର ଗାଡିର ଫିଟନେସ୍ ନବୀକରଣ ଫି ବୃଦ୍ଧି କରି ବିଜ୍ଞପ୍ତି ପ୍ରକାଶ କରିଥିଲେ। ଗାଡିର ଫିଟନେସ୍ ସାର୍ଟିଫିକେଟର ବୈଧତା ଶେଷ ପରେ ପ୍ରତି ଦିନର ବିଳମ୍ବ ପାଇଁ ଗାଡି ମାଲିକ ଦିନକୁ ଅତିରିକ୍ତ ୫୦ ଟଙ୍କା ଲେଖାଏ ଅତିରିକ୍ତ ଫି ଦେବାକୁ ପଡିବ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ କରାଯାଇଥିଲା। ଏଭଳି ଫିଟନେସ୍ ନବୀକରଣ ଫି ବୃଦ୍ଧି ଓ ଅତିରିକ୍ତ ଫି ବ୍ୟବସ୍ଥା ଆଇନ ଅନୁସାରେ ଗ୍ରହଣୀୟ ନୁହେଁ ବୋଲି ଆବେଦନକାରୀଙ୍କ ତରଫରୁ ଦର୍ଶାଯାଇଥିଲା। ଏହି ପ୍ରସଂଗ ନେଇ ହାଇକୋର୍ଟରେ ମଧ୍ୟ କେତେକ ମାମଲା ବିଚାରାଧୀନ ରହିଥିବା ଜଣା ପଡିଥିଲା। ସମସ୍ତ ମାମଲାର ନଭେମ୍ବର ୧ରେ ଏକତ୍ର ଶୁଣାଣି ପାଇଁ ଆଜି ହାଇକୋର୍ଟ କହିଛନ୍ତି।