ରାଜ୍ୟରେ ହାଲୁକା ବର୍ଷା
ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ରାଜ୍ୟରେ ଏବେ ହାଲୁକା ଶୀତ ଅନୁଭୂତ ହେଉଥିବାବେଳେ ୩-୪ ଦିନ ପରେ ରାତି ତାପମାତ୍ରା ୨-୪ ଡିଗ୍ରୀ ହ୍ରାସ ପାଇବାର ସମ୍ଭାବନା ରହିଛି। ଅନ୍ୟପକ୍ଷରେ ସୋମବାରଠାରୁ ଦୁଇ ଦିନ ଧରି କେତେକ ଜିଲାର ଗୋଟିଏରୁ ଦୁଇଟି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ରହିଥିବା ଭୁବନେଶ୍ବର ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି। ପଶ୍ଚିମା ଝଡ଼ ଓ ପୂର୍ବାଳୀ ତରଙ୍ଗାୟିତ ବାୟୁ ପ୍ରବାହ ପ୍ରଭାବରେ ରାଜ୍ୟରେ ଆସନ୍ତାକାଲି ଓ ୨୧ ତାରିଖରେ ପାଗ ମେଘୁଆ ରହିବା ସହ ହାଲୁକା ବର୍ଷା ହେବ।
ପାଣିପାଗ ବିଭାଗର ପୂର୍ବାନୁମାନ ଅନୁସାରେ, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି, କନ୍ଧମାଳ, ରାୟଗଡ଼ା, ଗଜପତି, ଗଞ୍ଜାମ, ପୁରୀ, ଜଗତସିଂହପୁର, ବରଗଡ଼, ଝାରସୁଗୁଡ଼ା, ସମ୍ବଲପୁର, ସୁନ୍ଦରଗଡ଼, ଦେବଗଡ଼, କେନ୍ଦୁଝର ଓ ମୟୂରଭଞ୍ଜ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। ୨୧ ତାରିଖରେ ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି, ଗଞ୍ଜାମ, ସୁନ୍ଦରଗଡ଼, କେନ୍ଦୁଝର, ମୟୂରଭଞ୍ଜ, ବାଲେଶ୍ବର ଓ ଭଦ୍ରକ ଆଦି ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସମ୍ଭାବନା ଅଧିକ। ସେହିଭଳି ଝାରସୁଗୁଡ଼ା, ଦେବଗଡ଼, ସମ୍ବଲପୁର, ଅନୁଗୁଳ, ଢେଙ୍କାନାଳ, ଯାଜପୁର, କେନ୍ଦ୍ରାପଡ଼ା, ଜଗତସିଂହପୁର, ପୁରୀ, ଖୋର୍ଧା, ନୟାଗଡ଼, କନ୍ଧମାଳ, କଳାହାଣ୍ଡି, କଟକ ଓ ନବରଙ୍ଗପୁର ଆଦି ଜିଲ୍ଲାର ଗୋଟିଏରୁ ଦୁଇଟି ସ୍ଥାନରେ ବର୍ଷା ସମ୍ଭାବନା ରହୁଛି। ଏହି ଦୁଇ ଦିନରେ ରାଜ୍ୟର ରାତି ତାପମାତ୍ରାରେ ହ୍ରାସ ଘଟିବ ନାହିଁ।
ଏହାର ୩ରୁ ୪ ଦିନରେ ରାଜ୍ୟର ରାତି ତାପମାତ୍ରା ଧୀରେଧୀରେ ଖସିବ। ପରବର୍ତ୍ତୀ ସମୟରେ ରାଜ୍ୟରେ ପାଗ ଶୁଖିଲା ରହିବ। ଆସନ୍ତା ୩-୪ ଦିନ ପର୍ଯ୍ୟନ୍ତ ରାଜ୍ୟରେ ସର୍ବନିମ୍ନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ଦେଖାଯିବ ନାହିଁ। ଏହାପରେ ରାତି ତାପମାତ୍ରା ୨-୪ ଡିଗ୍ରୀ ହ୍ରାସ ପାଇବ। ଗତକାଲି ରାତିରେ କୋରାପୁଟରେ ସବୁଠୁ କମ୍ ସର୍ବନିମ୍ନ ତାପମାତ୍ରା ୧୨.୪ ଡିଗ୍ରୀ ରେକର୍ଡ଼ ହୋଇଥିଲା। ଜି. ଉଦୟଗିରିରେ ୧୩.୪ ଡିଗ୍ରୀ, ସେମିଳିଗୁଡ଼ାରେ ୧୪.୫ ଡିଗ୍ରୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ୧୫.୫ ଡିଗ୍ରୀ ଲେଖାଏଁ ଏବଂ କିରେଇରେ ୧୫.୭ ଡିଗ୍ରୀ ଲେଖାଏଁ ରେକର୍ଡ଼ ହୋଇଛି।