ଅକ୍ଷମଣୀୟ ବିଭ୍ରାଟ: ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ରଖୁଥିବା ବେଳେ ୯ ମିନିଟ୍ ପାଇଁ କଟିଗଲା ଲାଇଟ୍, କିଟମିଟ ଅନ୍ଧାରରେ ବସିଲେ ଅତିଥି
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଅଭାବନୀୟ । ଲଜ୍ଜାଜନକ ଘଟଣା । ଅକ୍ଷମଣୀୟ ବିଭ୍ରାଟ । ଦୀକ୍ଷାନ୍ତ ଭାଷଣ ରଖୁଥିଲେ ରାଷ୍ଟ୍ରପତି । ହଠାତ୍ କଟିଗଲା ଲାଇଟ୍ । କିନ୍ତୁ ଚାଲୁଥିଲା ଏସି । ମାଇକ୍ରୋଫୋନ୍ ବି କାମ କରୁଥିଲା । ଅନ୍ଧାରରେ ରାଷ୍ଟ୍ରପତି ଦୀକ୍ଷାନ୍ତ ଭାଷଣ ରଖିଲେ । ବାରିପଦା ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଘଟିଥିଲା ଏମିତି ଘଟଣା । ୯ ମିନିଟ୍ ଲାଇଟ୍ ଚାଲିଗଲା । ପୋଡିୟମରେ ଜଳୁଥିବା କ୍ଷୀଣ ଲାଇଟରେ ଭାଷଣ ରଖିଥିଲେ ରାଷ୍ଟ୍ରପତି । ଘଟଣାକୁ ସକାରାତ୍ମକ ଭାବେ ନେଇ ପରିସ୍ଥିତି ସହ ନିଜକୁ ଖାପଖୁଆଇ ନେଇଥିଲେ ମହାମହିମ । ମାୟାଧର ମାନସିଂହଙ୍କ ଅନୁବାଦ କବିତାରୁ ପଦେ ଗାଇଥିଲେ । ସମାବର୍ତ୍ତନ ଉତ୍ସବ ଆୟୋଜିତ ହୋଇଥିବା ଅଡିଟୋରିୟମରେ ଲାଇଟ୍ ଚାଲିଥିବା ଯେମିତି ଆଶ୍ଚର୍ଯ୍ୟ କରିଥିଲା ତାଠୁ ବେଶୀ ଆଶ୍ଚର୍ଯ୍ୟଜନ ଥିଲା ସେହି ସମୟରେ ଚାଲୁଥିଲା ଏସି । ସାଉଣ୍ଡ ସିଷ୍ଟମ ଠିକ୍ଠାକ୍ କାମ କରୁଥିଲା । ତାହେଲେ କେମିତି କଟିଗଲା ଲାଇଟ୍ । ହଲରେ ପୂରା କିଟିମିଟି ଅନ୍ଧାରରେ ବସିଥିଲେ ନିମନ୍ତ୍ରିତ ଅତିଥି ।
ଦେଶର ରାଷ୍ଟ୍ରପତିଙ୍କ ଭାଷଣ ବେଳେ ଲାଇନ୍ କଟିଯିବା ଏବଂ ରାଷ୍ଟ୍ରପତି ଅନ୍ଧାରରେ ରହିବା ବୋଧହୁଏ ଭାରତବର୍ଷର ପ୍ରଥମ ଘଟଣା । ଏଭଳି ଘଟଣା କିଭଳି ହେଲା ତାହା ସମସ୍ତଙ୍କୁ ଚକିତ୍ କରିଛି । ଆହୁରି ଗମ୍ଭୀର କଥା ହେଉଛି, ଅଡିଟୋରିୟମ୍ ରୁ ତ ବିଜୁଳି ଗଲା ଗଲା । ଏର୍ମଜେନ୍ସୀ ପାଇଁ ପ୍ରସ୍ତୁତ ରହିଥିବା ଡେଡିକେଟେଡ୍ ଜେନେରେଟର ବି କାମ କଲାନାହିଁ । ଯେଉଁଥିପାଇଁ ରାଷ୍ଟ୍ରପତିଙ୍କୁ ଦିନ ୧୧.୫୬ ରୁ ୧୨ଟା ୫ ପର୍ଯ୍ୟନ୍ତ ୯ ମିନିଟ୍ ପାଇଁ ଅନ୍ଧାରରେ ରହିବାକୁ ପଡ଼ିଲା ।
ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ସନ୍ତୋଷ ତ୍ରିପାଠୀ ଏହି ତ୍ରୁଟି ପାଇଁ କ୍ଷମା ମାଗିଥିଲେ ମଧ୍ୟ ତାହାର କିଛି ମୂଲ୍ୟ ନାହିଁ । ତାଙ୍କର କହିବା କଥା ହେଲା, ୭ ଦିନ ପୂର୍ବରୁ ସବୁ ପ୍ରସ୍ତୁତି ହୋଇଥିଲା । ଅଡିଟୋରିୟମ୍ ର ଲାଇଟ୍ ବ୍ୟବସ୍ଥାକୁ ଇଡକୋ ତଦାରଖ କରିଥିଲା । କାଳେ କିଛି ବିଭ୍ରାଟ ହେବ ସେଥିପାଇଁ ଡେଡିକେଟେଡ୍ ଜେନେରେଟର ବ୍ୟବସ୍ଥା ବି ହୋଇଥିଲା । ମାତ୍ର ତାହା ବି କାମ କଲାନାହିଁ । ଏହି ବିଭ୍ରାଟର ତଦନ୍ତ ହେବ ଏବଂ ବିଶ୍ୱବିଦ୍ୟାଳୟ କର୍ମଚାରୀଙ୍କ ତ୍ରୁଟି ଥିଲେ କଠୋର କାର୍ଯ୍ୟାନୁଷ୍ଠାନ ହେବ ବୋଲି କୁଳପତି କହିଛନ୍ତି । ଇତିମଧ୍ୟରେ ଦାୟିତ୍ୱରେ ଥିବା ଜଣ ଟେକନିସିଆନ୍ ଙ୍କୁ କୁଳପତି ସସପେଣ୍ଡ କରିଛନ୍ତି ।
ବିଜୁଳି ପ୍ରଦାନକାରୀ ଟାଟା ପାୱାର ଏବଂ ବିତରଣ ସଂସ୍ଥା ସିଡିଏନଓଡିଏଲ ନିଜ ହାତ ଝାଡ଼ି ଦେଇଛନ୍ତି । ସେମାନଙ୍କର କୌଣସି ଦୋଷ ତ୍ରୁଟି ନାହିଁ ବୋଲି ଅଧିକାରୀମାନେ ସଫେଇ ଦେଇଛନ୍ତି । ଅଡିଟୋରିୟମ୍ ର ଇଣ୍ଟରନାଲ୍ ୱେୟାରିଂରେ ସମସ୍ୟା ଯୋଗୁଁ ପାୱାର୍ ଟ୍ରିପ୍ କରିଥାଇପାରେ । ତେଣୁ ସେମାନେ ଦାୟୀ ନୁହଁନ୍ତି । ଏହା ଇଡକୋର କାମ ବୋଲି ସିଡିଏନଓଡିଏଲ ସିଇଓ ଭାସ୍କର ସରକାର ପ୍ରତିକ୍ରିୟା ଦେଇଛନ୍ତି ।
ଜିଲ୍ଲା ପ୍ରଶାସନ ପକ୍ଷରୁ ଏହାର ତନାଘନା ଆରମ୍ଭ ହୋଇଛି । ଆରଡିସି, ଜିଲ୍ଲାପାଳ ବୈଠକ ପରେ ବୈଠକ କରୁଛନ୍ତି । ମାତ୍ର ଦୋଷ କାହାର ତାହା ଏ ପର୍ଯ୍ୟନ୍ତ ସାମନାକୁ ଆସିନାହିଁ । ଦେଶର ରାଷ୍ଟ୍ରପତିଙ୍କ ଭାଷଣ ବେଳେ ପାୱର ଟ୍ରିପ୍ ଭଳି ଅତ୍ୟନ୍ତ ଗୁରୁତର ପ୍ରସଙ୍ଗ ଉପରେ ବିଭାଗୀୟ ମନ୍ତ୍ରୀ ଏ ପର୍ଯ୍ୟନ୍ତ ମୁହଁ ନ ଖୋଲିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।
ସୂଚନାଯୋଗ୍ୟ, ରାଜ୍ୟବାସୀ ନାହିଁ ନ ଥିବା ବିଜୁଳି ସମସ୍ୟା ଭୋଗୁଛନ୍ତି । ଉଭୟ ସହରାଞ୍ଚଳ ଓ ଗ୍ରାମାଞ୍ଚଳରେ ଲୋକମାନେ ବିଜୁଳି ସଙ୍କଟର ସାମନା କରୁଥିବା ବେଳେ କିଛି ଦିନ ତଳେ ଶକ୍ତିମନ୍ତ୍ରୀ ପ୍ରତାପ ଦେବ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । କହିଥିଲେ, ଆମ ପାଖରେ ଯଥେଷ୍ଟ ବିଜୁଳି ମହଜୁଦ ଅଛି । ତେଣୁ ପାୱାର୍ କଟ୍ ର ପ୍ରଶ୍ନ ଉଠୁନାହିଁ । ବୈଷୟିକ ତ୍ରୁଟି ଯୋଗୁଁ କେଉଁଠି ପାୱାର ଟ୍ରିପ୍ ହେଉଥିବ । ମନ୍ତ୍ରୀଙ୍କର ଏହି ମନ୍ତବ୍ୟକୁ ଢ଼େର ସମାଲୋଚନା ହୋଇଥିବା ବେଳେ ଏବେ ଦେଶର ମହାମହିମ୍ ରାଷ୍ଟ୍ରପତିଙ୍କ ଭାଷଣ ବେଳେ ତଥାକଥିତ ପାୱାର୍ ଟ୍ରିପ୍ ଜାତୀୟସ୍ତରରେ ଓଡ଼ିଶାକୁ ନିନ୍ଦିତ କରିଛି । ଅଧିକାରୀମାନଙ୍କର ଦାୟିତ୍ୱହୀନତା ଓ ହେୟଜ୍ଞାନର ଏହା ନିଚ୍ଛକ ଉଦାହରଣ ବୋଲି କୁହାଯାଉଛି ।