ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ପବିତ୍ର ରୁକୁଣା ରଥଯାତ୍ରା ଉପଲକ୍ଷେ ଏକାମ୍ର ସାଂସ୍କୃତିକ ପ୍ରକାଶନୀ ପକ୍ଷରୁ ତ୍ରୟୋଦଶ ଲିଙ୍ଗରାଜ ମହୋତ୍ସବ ଆସନ୍ତା ୨୪ତାରିଖରୁ ଆରମ୍ଭ ହେବ । ଏହା ୬ଦିନ ବ୍ୟାପି ଚାଲିବାକୁ ଥିବା ଏହି ଉତ୍ସବରେ ୫ଶହ କଳାକାର ବିଭିନ୍ନ ପ୍ରାନ୍ତରୁ ଆସି ନୃତ୍ୟ ପରିବେଷଣ କରିବେ । ଓଡ଼ିଶାର କଳା ସଂସ୍କୃତିକୁ ପ୍ରତ୍ସୋହନ ଦେବା ଓ ରଥଯାତ୍ରା ପାଇଁ ଆସୁଥିବା ଅଗଣିତ ଭକ୍ତ ଓ ପର୍ଯ୍ୟଟକଙ୍କ ମନୋରଞ୍ଜନ ପାଇଁ ଏହି କାର୍ଯ୍ୟକ୍ରମ କରାଯିବ ।
ଅନୁଷ୍ଠାନର ଅସ୍ଥାୟୀ ଲିଙ୍ଗରାଜ ଲାଇବ୍ରେରୀ ହଲ୍ଠାରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇ ପ୍ରକାଶନୀର ସଭାପତି ତଥା ବିଧାୟକ ସୁରେଶ କୁମାର ରାଉତରାୟ ଓ ସାଧାରଣ ସମ୍ପାଦକ ସନତ ମିଶ୍ର କହିଥିଲେ ଯେ, ଚଳିତ ବର୍ଷ ପଡ଼ୋଶୀ ରାଜ୍ୟର କଳାକାରମାନେ ଅଧିକ ସଂଖ୍ୟାରେ ଯୋଗଦେଇ ନୃତ୍ୟ ପରିବେଷଣ କରିବେ । ଏହି ଉପଲକ୍ଷେ ସଂସ୍କୃତିକ କାର୍ଯ୍ୟକ୍ରମରେ କୋଳକତା, ଉତରାଖଣ୍ଡ, ମଥୁରା, ଆସାମର କଳାକାରମାନେ ତାଙ୍କ ଲୋକ ନୃତ୍ୟ ଓ କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରିବେ । ସେହିପରି ଓଡ଼ିଶାର ସୁନାଧନ୍ୟ କଳାକାରଙ୍କ ଦ୍ୱାରା ଦୁଲ୍ଦୁଲି, ସମ୍ବଲପୁରୀ, ଛଉ, ଗୋଟିପୁଅ, ଘୋଡ଼ା ନାଚ, କ୍ରୀଏଟିଭ୍ ନୃତ୍ୟ ପରିବେଷଣ କରାଯିବ । ଏହି ସମ୍ମିଳନୀରେ ରଶ୍ମି ମହାପାତ୍ର ଶିବାନନ୍ଦ ରାୟ ଓ ସଭ୍ୟମାନେ ସାମିଲ ହୋଇଥିଲେ ।