ଲକଡାଉନ ପ୍ରଭାଭ, ହାତଯୋଡି ବସିଛନ୍ତି ଜଳଖିଆ ଦୋକାନୀ

0

ବାରିକପୁର :  କରୋନା ଦ୍ୱିତୀୟ ଲହରୀ ପରିପ୍ରେକ୍ଷୀରେ ସର୍ଟଡାଉନ, ଲକଡାଉନ ଭଳି ନିୟମ ସରିଥିଲେ ସୁଦ୍ଧା ସାଧାରଣ ଜୀବନ ଯାପନ ସ୍ୱଭାବିକ ହୋଇପାରିନାହିଁ । ଆଇନ ଅନୁଯାୟୀ ମାସମାସ ଧରି ଦୋକାନ ବଜାର ବନ୍ଦ ରହିଥିବାବେଳେ ଜୀବନଯାତ୍ରା ମଧ୍ୟ ଗଭୀର ପ୍ରଭାବିତ ହୋଇଥିଲା । ଏବେ ଚାରିପାଞ୍ଚ ଦିନ ହେବ ସର୍ଟଡାଉନ ଲକଡାଉନ ନିୟମ କୋହଳ ହେବା ପରେ ଭଣ୍ଡାରିପୋଖରୀ ବ୍ଲକ ଅଞ୍ଚଳରେ ପୂର୍ବସ୍ଥିତି ଧିରେଧିରେ ଖୋଲୁଥିବା ଲକ୍ଷ୍ୟ କରାଯାଉଛି । ମଞ୍ଜୁରୀରୋଡ, ମାଳଦା, ଛତାବର ପ୍ରମୁଖ ଗ୍ରାମାଞ୍ଚଳ ଗୁଡିକ ବସ ଚଳାଚଳା ହୋଇଥିବାବେଳେ ଗାଡିରେ ଯାତ୍ରୀ ସଂଖ୍ୟା କମ ରହୁଥିବା ଦେଖିବାକୁ ମିଳୁଛି । ସେହିଭଳି ବିଭିନ୍ନ ଗ୍ରାମ୍ୟ ବଜାରରେ ବ୍ୟବସାୟ ପ୍ରତିଷ୍ଠାନ ସକାଳ ୬ଟାରୁ ରାତି ୮ଟାଯାଏଁ ଖୋଲା ହେଉଛି । ବିଶେଷକରି ଯେଉଁ ଜଳଖିଆ ଦୋକାନ ଗୁଡିକ ପୂର୍ବରୁ ଅହରହ ଗ୍ରାହକଙ୍କ ଭିଡ ଦେଖିବାକୁ ମିଳୁଥିଲା ସେଠାରେ ବେପାର ଏବେ ମାନ୍ଦା ପଡିଯାଇଛି । ବିଶେଷକରି ଗାଁ ଗଳିକନ୍ଦିରେ କରୋନା ମହାମାରୀ ବେଳେ ଛୋଟବଡ ଦୋକାନ ମାନ ଗଢି ଉଠିଥିବାରୁ ପରିଚିତ ଗ୍ରାମ୍ୟ ବଜାର ଗୁଡିକରେ ଥିବା ଜଳଖିଆ ଦୋକାନରେ ବେପାର ମାନ୍ଦା ହେଉଥିବା ଦେଖାଯାଉଛି ।

ବ୍ଲକ ଅଧିନ କୁଲଣା, ପଟ୍ଟପୋଲ, ନାଆମୀ, ଛଞ୍ଚିଣା, ଆଖୁଆପଦା, ସରସଦା, ରାଢୋଛକ ପ୍ରମୁଖ ଗ୍ରାମ୍ୟ ବଜାରରେ ଥିବା ଜଳଖିଆ ଦୋକାନୀ ଏବେ ଆଗଭଳି ଆଉ ବିକ୍ରୟ କରିପାରୁନାହାଁନ୍ତି । ଦୋକାନରେ ପ୍ରତ୍ୟକ ଦିନ ସକାଳୁ ବିଭିନ୍ନ ପ୍ରକାର ଜଳଖିଆ ତିଆରି କରି ଦିନ ତମାମ ଦୋକାନ ଖୋଲା ରଖୁଥିଲେ ସୁଦ୍ଧା ତାହା ବିକ୍ରୟ ହୋଇପାରୁନାହିଁ । ସଂକ୍ରମଣ ପ୍ରଭାବ ଭୟରେ ଲୋକେ ଏକପ୍ରକାର ଘରେ ରହିଯାଉଥିବାବେଳେ ଚାହା ଜଳଖିଆ ପାଇଁ ପୂର୍ବବତଃ ଗ୍ରାମ୍ୟ ବଜାର ଗୁଡିକୁ ନଆସି ପାଶ୍ୱର୍ ଦୋକାନରେ କାମ ଚଳାଇଦେଉଛନ୍ତି । ତେଣୁ ପରିବର୍ତ୍ତିତ ଆଇନରେ ସର୍ଟଡାଉନ, ଲକଡାଉନ ନିୟମ କୋହଳ ହୋଇଥିଲେ ସୁଦ୍ଧା ପୁରୁଣା ଦୋକାନୀ ଏବେ କ୍ଷତି ସହୁଛନ୍ତି । ଏହା ଉପରେ ସରକାର ଦୃଷ୍ଟିଦେଇ କିଛି ସହାୟତା ଯୋଗାଇଦେଲେ ସେମାନେ ଉପକୃତ ହୁଅନ୍ତେ ବୋଲି କିଛି ବ୍ୟବସାୟୀ ମତ ଦିଅନ୍ତି ।

ରିପୋର୍ଟ – ଦୁର୍ଯ୍ୟଧନ ଲେଙ୍କା , ଭଦ୍ରକ

Leave A Reply

Your email address will not be published.