ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ । ବାତ୍ୟା ନେଇ ସ୍ପଷ୍ଟ ହୋଇନଥିବା ବେଳେ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି ସ୍ୱତନ୍ତ୍ର ରିଲିଫ କମିସନର। ମତ୍ସ୍ୟଜୀବୀଙ୍କୁ ସମୁଦ୍ର ମଧ୍ୟକୁ ନ ଯିବା ପାଇଁ ପରାମର୍ଶ ଦିଆଯାଇଛି। ଅସ୍ତରଙ୍ଗ ଅଞ୍ଚଳର ମତ୍ସ୍ୟଜୀବୀମାନେ ଏଥିପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି। ସେମାନଙ୍କ ଘର ସଜାଡ଼ିବା ସହ ଡଙ୍ଗା ସବୁକୁ ଉପରକୁ ଉଠାଇଛନ୍ତି। ଦକ୍ଷିଣ-ପଶ୍ଚିମ ପାର୍ଶ୍ୱବର୍ତ୍ତୀ ପଶ୍ଚିମ କେନ୍ଦ୍ରୀୟ ଓ ତତ୍ ସଂଲଗ୍ନ ଉତ୍ତର ତାମିଲନାଡୁ-ଦକ୍ଷିଣ ଆନ୍ଧ୍ର ପ୍ରଦେଶ ଉପକୂଳରେ ଆଜି ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହା ସହିତ ଜଡିତ ଘୂର୍ଣ୍ଣିବଳୟ ବାୟୁମଣ୍ଡଳର ୫.୮ କିଲୋମିଟର ଯାଏ ବ୍ୟାପିଛି।
ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ଦିଆଯାଇଛି। ଏହା ଉତ୍ତରପୂର୍ବ ଦିଗରେ ଗତି କରିବା ସହ ଆସନ୍ତା ୨୪ ତାରିଖ ସକାଳେ ଅବପାତର ରୂପ ନେବ । ପାଣିପାଗ ବିଭାଗର ପୂର୍ବାନୁମାନ ଅନୁଯାୟୀ, ଏହି ଲଘୁଚାପର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହେବା ସହ ସମୁଦ୍ର ଅଶାନ୍ତ ରହିବ । ଦକ୍ଷିଣ ବଙ୍ଗୋପସାଗରରେ ଘଣ୍ଟାପ୍ରତି ୩୫ରୁ ୪୫ କିଲୋମିଟର ବେଗରେ ପବନ ବହିପାରେ । ୨୪ ତାରିଖରେ ପବନରେ ବେଗ ଅଧିକ ରହିବ । ଏହାକୁ ଦୃଷ୍ଟିରେ ରଖି ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ରକୁ ଯିବାକୁ ବାରଣ କରାଯାଇଛି । ଯେଉଁମାନେ ମାଛ ମାରିବାକୁ ସମୁଦ୍ର ମଧ୍ୟରେ ଅଛନ୍ତି, ଫେରି ଆସିବାକୁ ସତର୍କ କରାଯାଇଛି ।
ତେବେ ଲଘୁଚାପ ଅବପାତରେ ପରିଣତ ହୋଇ ଅଧିକ ଘନୀଭୂତ ହେଲେ ଅଥବା ଗଭୀର ଅବପାତର ରୂପ ନେଲେ ବାତ୍ୟା ଆଶଙ୍କା ରହିଛି । ଏହାକୁ ଦୃଷ୍ଟିରେ ରଖି ୨୩ ତାରିଖରୁ ସମୁଦ୍ର ମଧ୍ୟକୁ ଯିବାକୁ ମତ୍ସ୍ୟଜୀବୀଙ୍କୁ ବାରଣ କରାଯାଇଛି। ଯେଉଁମାନେ ସମୁଦ୍ରରେ ଅଛନ୍ତି ଫେରି ଆସିବାକୁ ସତର୍କ କରାଯାଇଛି। ଆସନ୍ତା ୨୫ ତାରିଖ ସୁଦ୍ଧା ଉପକୂଳ ଓ ଉତ୍ତର ଓଡ଼ିଶାର କେତେକ ସ୍ଥାନରେ କାଳବୈଶାଖୀ ବର୍ଷା ସହ ବିଜୁଳି ଘଡ଼ଘଡ଼ି ହୋଇପାରେ। ୨୫ ତାରିଖରେ ପ୍ରବଳ ବର୍ଷା ନେଇ ବାଲେଶ୍ୱର ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି।