ବଙ୍ଗୋପସାଗରରେ ଲଘୁଚାପ, କାଲିଠୁ କାଚିବ ବର୍ଷା

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) :  ସକ୍ରିୟ ରହିଛି ବଙ୍ଗୋପସାଗରରେ ସୃଷ୍ଟି ଲଘୁଚାପ । ଏହାର ପ୍ରଭାବରେ ଆଗାମୀ ୪ରୁ ୫ ଦିନ ମଧ୍ୟରେ ରାଜ୍ୟବ୍ୟାପୀ ବିସ୍ତୃତ ବର୍ଷା ସମ୍ଭାବନା ରହିଛି । କିଛି ଜିଲ୍ଲାରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ଆକଳନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଆସନ୍ତା ୨୪ ଘଣ୍ଟା ପାଇଁ ରାଜ୍ୟର ଅଧିକାଂଶ ଜିଲ୍ଲାରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା ସହ ୪ଟି ଜିଲ୍ଲାରେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା ରହିଛି । ସମ୍ବଲପୁର, ବୌଦ୍ଧ, ନୟାଗଡ଼, ଅନୁଗୋଳ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ ଜାରି କରାଯାଇଛି ।

ସେହିପରି ପ୍ରବଳ ବର୍ଷା ନେଇ ୧୭ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ସୁନ୍ଦରଗଡ଼, ବରଗଡ଼, ଝାରସୁଗୁଡ଼ା, ଦେଓଗଡ଼, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, କଟକ, ଜଗତସିଂହପୁର, ପୁରୀ, ସୋନପୁର, ବଲାଙ୍ଗୀର ,କଳାହାଣ୍ଡି, ମାଲକାନଗିରି, କୋରାପୁଟ, କନ୍ଧମାଳ ଓ ନବରଙ୍ଗପୁରକୁ ପ୍ରବଳ ବର୍ଷା ନେଇ ସତର୍କ କରାଯାଇଛି । ଆସନ୍ତାକାଲି ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ୫ ଜିଲ୍ଲାକୁ ଅରେଞ୍ଜ୍‌ ଓ ୧୬ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।

ଲଘୁଚାପ ସକ୍ରିୟ ରହିଥିବା ଯୋଗୁଁ ସମୁଦ୍ର ଅଶାନ୍ତ ରହିଛି । ତେଣୁ ଆସନ୍ତା ୧ ତାରିଖରୁ ୩ ତାରିଖ ପର୍ଯ୍ୟନ୍ତ ମତ୍ସଜୀବୀଙ୍କୁ ସମୁଦ୍ର ଭିତରକୁ ଯିବାକୁ ପାଣିପାଗ ବିଭାଗ ବାରଣ କରିଛି ।ଗତ ୨୪ ଘଣ୍ଟାରେ ରାଜ୍ୟର ଅନେକ ସ୍ଥାନରେ ହାଲୁକା ଓ ମଧ୍ୟମ ଧରଣର ବର୍ଷା ହୋଇଥିବା ବେଳେ ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହୋଇଥୂବା ସୂଚନା ଦେଇଛି ପାଣିପାଗ ବିଭାଗ । କନ୍ଧମାଳର ବାଲିଗୁଡ଼ାରେ ସର୍ବାଧିକ ୧୩୫ ମିମି ବର୍ଷା ରେକର୍ଡ ହୋଇଛି । ବରଗଡ଼ ଅତାବିରାରେ ୧୨୪ ମିମି ଏବଂ ଝାରସୁଗୁଡ଼ାର ଲଇକେରାରେ ୧୦୩.୪ ମିମି ବର୍ଷା ରେକର୍ଡ କରାଯାଇଛି । ଅନ୍ୟପଟେ ରାଜ୍ୟରେ ବର୍ତ୍ତମାନ ଗୋଟିଏ ପରେ ଗୋଟିଏ ଲଘୁଚାପ ଆସୁଥିଲେ ମଧ୍ୟ କେତେକ ସ୍ଥାନରେ ବର୍ଷା ଉଭାନ ହୋଇଛି । ଶ୍ରାବଣରେ ବର୍ଷାର ଦେଖାନାହିଁ ।

ରାଜ୍ୟରେ କାଁ ଭାଁ ବର୍ଷା ହେଉଥିଲେ ମଧ୍ୟ ବିସ୍ତୃତି ବର୍ଷା ନଥିବାରୁ ଗୁଳୁଗୁଳିରୁ ତ୍ରାହି ମିଳୁନି । କାହିଁକି ନା, ୧ ଜୁନରୁ ୩୦ ଜୁଲାଇ ମଧ୍ୟରେ ସ୍ୱାଭାବିକ ୫୩୯.୨ ମିମି ବର୍ଷା ହେବା କଥା, କିନ୍ତୁ ବର୍ତ୍ତମାନ ସୁଦ୍ଧା ୪୭୫.୪ ମିମି ବର୍ଷା ରେକର୍ଡ ହୋଇଛି ।

Leave A Reply

Your email address will not be published.