ଓଡ଼ିଆ ନ୍ୟୁଜ୍: ରିମାଣ୍ଡରେ ଗଲା ରାଜା ସାହାଣୀ। ୭ ଦିନିଆ ରିମାଣ୍ଡରେ ନେଲା ମହୀଶୂର ପୋଲିସ । ଚୌଦ୍ଵାର ଜେଲ୍ରୁ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରାଜାକୁ ନେଲା ପୋଲିସ । ମହୀଶୂର ସୁନା ଦୋକାନ ଲୁଟ୍ ଘଟଣାରେ ପଚରାଉଚରା କରିବ ପୋଲିସ ।
ଚୌଦ୍ଵାର ଜେଲ୍ରୁ ଦୁଇ ଦୁର୍ଦ୍ଦାନ୍ତ ଅପରାଧୀ ମଧୁକାନ୍ତ ଓ ରାଜା ସାହାଣୀ ଫେରାର ହୋଇଥିଲେ । ଫେରାରର ୭ ମାସ ପରେ କଟକ କମିଶନରେଟ୍ ପୋଲିସକୁ ଚକମା ଦେଇ ଏଇ ରାଜ୍ୟରୁ ସେଇ ରାଜ୍ୟକୁ ବୁଲିଥିବା ରାଜାକୁ ଋଷିକେଶରୁ ଗିରଫ କରିଥିଲା କଟକ ସ୍ପେଶାଲ ସ୍କ୍ୱାର୍ଡ । ଗତ ଫେବ୍ରୁଆରୀ ୧୪ ତାରିଖରେ ମଧୁକାନ୍ତକୁ ବୃନ୍ଦାବନରୁ ପୋଲିସ ଧରିଥିବା ବେଳେ ଚକମା ଦେଇ ଖସି ଯାଇଥିଲା ରାଜା ସାହାଣୀ । ଫେରାର୍ ହେବା ପରେ ରାଜା ସାହାଣୀ କର୍ଣ୍ଣାଟକ ମହୀଶୂର ଜିଲ୍ଲାର ହୁନ୍ସୁର୍ ଟାଉନରେ ୨୦୨୫ ଡିସେମ୍ବର ୨୮ରେ ଏକ ଗହଣା ଦୋକାନରୁ କରିଥିଲା ଡକାୟତି। ଦିନ ପ୍ରାୟ ୨ଟା ସମୟରେ ହୁନସୁର ବସଷ୍ଟାଣ୍ଡ ନିକଟରେ ଥିବା ସ୍କାଏ ଗୋଲଡ୍ ଏବଂ ଡାଇମଣ୍ଡ ଗହଣା ଦୋକାନରୁ ରାଜା ନେତ୍ବତ୍ବରେ ୫ଜଣ ମୁଖାପିନ୍ଧା ଦୁର୍ବୃତ୍ତ ବ୍ଲାଙ୍କ ଫାୟାରିଂ କରି ମାତ୍ର ୬ ମିନିଟରେ ୮କେଜି ସୁନା ଓ ହୀରା ଅଳଙ୍କାର ଲୁଟି ନେଇଥିଲେ। ଯାହା ମୂଲ୍ୟ ପ୍ରାୟ କୋଟି କୋଟି ଟଙ୍କା ହେବ। ଏହି ଘଟଣା ପରେ ଓଡ଼ିଶାର ଚୌଦ୍ବାର ଜେଲରୁ ଫେରାର୍ ରାଜା ସାହାଣୀ ପଛରେ ପଡ଼ିଯାଇଥିଲା କର୍ଣ୍ଣାଟକ ପୋଲିସ।