ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଭାରତୀୟ ବିମାନଗୁଡିକୁ ଲଗାତାର ଭାବେ ବୋମାରେ ଉଡାଇ ଦେବାକୁ ମିଳୁଥିବା ଧମକକୁ ନେଇ ସାମ୍ବାଦିକ ସମ୍ମିଳନୀରେ ପ୍ରତିକ୍ରିୟା ରଖିଛନ୍ତି ବେସାମରିକ ଚଳାଚଳ ମନ୍ତ୍ରୀ ରାମ ମୋହନ ନାଇଡୁ। ଏପରି ଅପରାଧକୁ ରୋକିବା ପାଇଁ ଆଇନରେ ସଂଶୋଧନ ଆଣିବାକୁ ଆଲୋଚନା ହେଉଥିବା ସେ ସୂଚନା ଦେଇଛନ୍ତି। ବର୍ତ୍ତମାନ ସମୟରେ ଯେଉଁପରି ଭାବେ ବିମାନଗୁଡ଼ିକୁ ବୋମା ଥିବା ନେଇ ମିଛ କଲ୍ ମିଳୁଛି ଏକ ସମ୍ବେଦନଶୀଳ ପରିସ୍ଥିତି ସୃଷ୍ଟି କରିଛି।
ଏପରି କାର୍ଯ୍ୟକଳାପକୁ ଆମେ ‘ଧର୍ତ୍ତବ୍ୟ ଅପରାଧ’ ତାଲିକାରେ ରଖିବାକୁ ଆଲୋଚନା କରୁଛୁ। ଯେଉଁମାନେ ଧରାପଡ଼ିବେ, ସେମାନଙ୍କୁ ତୁରନ୍ତ ନୋ-ଫ୍ଲାଏ ଲିଷ୍ଟରେ ରଖାଯିବ ବୋଲି ରାମ ମୋହର ନାଇଡୁ କହିଛନ୍ତି। ସୂଚନା ଅନୁସାରେ, ଏକ ସାମ୍ବାଦିକ ସମ୍ମିଳନୀରେ ମନ୍ତ୍ରୀ ନାଇଡୁ କହିଛନ୍ତି, “ଆମେ ଏହି ପ୍ରସଙ୍ଗରେ ଏକାଧିକ ବୈଠକ କରିଛୁ। ନିୟମେର ସଂଶୋଧନ କରାଯିବା ଆବଶ୍ୟକ ବୋଲି ବିଚାର କରାଯାଇଛି। ପରିବର୍ତ୍ତନ ଆସିବା ପରେ ଏପରି ସମସ୍ୟାର ସମାଧାନ ହେବ।
ଅପରାଧୀଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ନିଆଯିବ। ଏଥିପାଇଁ ବିମାନ ମନ୍ତ୍ରଣାଳୟ ଅନ୍ୟ ମନ୍ତ୍ରଣାଳୟ ସହ କଥାବାର୍ତ୍ତା କରୁଛି। ଫୋନରେ ଦିଆଯାଉଥିବା ମିଛ ଧମକକୁ ‘ଧର୍ତ୍ତବ୍ୟ ଅପରାଧ’ ତାଲିକାରେ ରଖିବାକୁ ଆଲୋଚନା ଚାଲିଛି।” ସେ ଆହୁରି କହିଛନ୍ତି, ଏପରି ମିଛ କଲ୍ ପାଇଁ ଦେଶ ଭରି ଅନେକ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି। ବିମାନ କମ୍ପାନୀମାନେ ଆର୍ଥିକ ସମସ୍ୟା ସହ ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଯେଉଁମାନେ ଏପରି ଅପରାଧ ଘଟାଉଛନ୍ତି, ସେମାନଙ୍କୁ ବିମାନ ସେବାରୁ ବଞ୍ଚିତ କରାଯିବ।
Comments are closed.