ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ଆଜି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ନୂଆଦିଲ୍ଲୀରେ ବସିବ ନୀତି ଆୟୋଗ ବୈଠକ। ଏଥିରେ ଯୋଗଦେବା ଲାଗି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ଶୁକ୍ରବାର ଦିଲ୍ଲୀ ଗସ୍ତ କରିଛନ୍ତି। ନୀତି ଆୟୋଗ ବୈଠକକୁ ବିରୋଧୀ ଇଣ୍ଡି ମେଣ୍ଟ ବର୍ଜନ କରିବାକୁ ଘୋଷଣା କରିଥିବାବେଳେ ମମତା ବୈଠକରେ ଯୋଗଦେବେ ବୋଲି କହିଛନ୍ତି।
କେନ୍ଦ୍ର ସରକାରଙ୍କ ଏହି ନୀତି ଆୟୋଗରେ ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀ, ବିଭିନ୍ନ କେନ୍ଦ୍ରଶାସିତ ଅଞ୍ଚଳର ଲେଫ୍ଟନାଣ୍ଟ ଗଭର୍ନର୍ସ (ଏଲଜି) ଏବଂ ଅନେକ କେନ୍ଦ୍ର ମନ୍ତ୍ରୀ ଏହାର ସଦସ୍ୟ ଭାବରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ସୂଚନାନୁସାରେ, ବିଜେପି ଶାସିତ ରାଜ୍ୟଗୁଡିକର ମୁଖ୍ୟମନ୍ତ୍ରୀମାନଙ୍କୁ ଏହି ବୈଠକରେ ଭାଗ ନେଇ ସରକାରଙ୍କ ପ୍ରମୁଖ ସଫଳତାକୁ ଦର୍ଶାଇ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ମୁଖରେ ଏକ ଉପସ୍ଥାପନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ମମତା ଓ ହେମନ୍ତ ନୀତି ଆୟୋଗ ବୈଠକରେ ଯୋଗଦେବାକୁ ନେଇ ଇଣ୍ଡି ମେଣ୍ଟରେ ଫାଟ ସୃଷ୍ଟି ହୋଇଥିବା କୁହାଯାଇଛି।
ମାତ୍ର ମମତା କହିଛନ୍ତି ଯେ ବୈଠକରେ ସେ ଓ ହେମନ୍ତ ଇଣ୍ଡି ମେଣ୍ଟ ପକ୍ଷରୁ ପ୍ରତିନିଧିତ୍ବ କରିବେ। ସେ କହିଛନ୍ତି ଯେ କେନ୍ଦ୍ର ବଜେଟ୍ରେ ଯେଉଁ ପକ୍ଷପାତିତା କରାଯାଇଛି ସେ ସମ୍ପର୍କରେ ବୈଠକରେ କହିବେ। ଏହା ସହିତ ପଶ୍ଚିମବଙ୍ଗକୁ ବିଭାଜନ କରିବା ଲାଗି ଶାସକ ଦଳ ଚଳାଇଥିବା ଷଡଯନ୍ତ୍ରର ସେ ପ୍ରତିବାଦ କରିବେ ବୋଲି କହିଛନ୍ତି। ନୀତି ଆୟୋଗ ବୈଠକକୁ କଂଗ୍ରେସ ଶାସିତ ରାଜ୍ୟ ହିମାଚଳ ପ୍ରଦେଶ, କର୍ଣ୍ଣାଟକ ଓ ତେଲଙ୍ଗାନା ସହିତ ପଞ୍ଜାବ ଓ କେରଳ ମୁଖ୍ୟମନ୍ତ୍ରୀମାନେ ବର୍ଜନ କରିବାକୁ ଘୋଷଣା କରିଛନ୍ତି।