ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ନେଇ ଯାଉଥିବା ହେଲିକପ୍ଟରର ଜରୁରୀକାଳୀନ ଅବତରଣ କରାଯାଇଥିଲା। ଜଲପାଇଗୁଡିର କ୍ରିଣ୍ଟିଠାରେ ଆୟୋଜିତ ଏକ ସାଧାରଣ ସଭାକୁ ସମ୍ବୋଧିତ କରିବା ପରେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାଗଡୋଗ୍ରା ଯାଉଥିଲେ। ବର୍ଷା ହେତୁ ଦୃଶ୍ୟମାନତା ହଠାତ୍ ବହୁତ କମ୍ ହୋଇଯାଇଥିଲା। ଏହି କାରଣରୁ ହେଲିକପ୍ଟରକୁ ଉତ୍ତର ପଶ୍ଚିମବଙ୍ଗର ସାଲୁଗଡ଼ାର ସେନା ଏୟାରବେସରେ ଜରୁରୀକାଳୀନ ଅବତରଣ କରିବାକୁ ପଡିଲା।
ଜରୁରୀକାଳୀନ ଅବତରଣ ସମୟରେ ଦିଦିଙ୍କ ପିଠି ଓ ଆଣ୍ଠୁରେ ଆଘାତ ଲାଗିଛି। ଟିଏମସି ନେତା ରାଜୀବ ବାନାର୍ଜୀ କହିଥିଲେ ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ସୁରକ୍ଷିତ ଅଛନ୍ତି। ହେଲିକପ୍ଟର ଜରୁରୀକାଳୀନ ଅବତରଣ କରିବା ପରେ ମୁଖ୍ୟମନ୍ତ୍ରୀମ ମତା ବାନାର୍ଜୀ ରାସ୍ତା ଦେଇ କୋଲକାତା ଆସିଥିଲେ। ତେବେ କୋଲକାତାରେ ପହଞ୍ଚିବା ପରେ ତାଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନା ନିଆଯାଇ ଥିଲା ।
ତେବେ ପଶ୍ଚିମବଙ୍ଗରେ ଅନୁଷ୍ଠିତ ହେବାକୁ ଥିବା ପଞ୍ଚାୟତ ନିର୍ବାଚନ ପାଇଁ ନାମାଙ୍କନ ପତ୍ର ଜୁଲାଇ ୮ରେ ଦାଖଲ ହେବ। ପୂର୍ବରୁ ନାମାଙ୍କନ ପତ୍ର ଦାଖଲ ବେଳେ ରାଜ୍ୟର ବିଭିନ୍ନ ଅଞ୍ଚଳରେ ହିଂସା ହୋଇଥିବା ଖବର ଆସିଥିଲା।
ହିଂସାକୁ ନେଇ ବିଜେପି ହାଇକୋର୍ଟର ଦ୍ବାରସ୍ଥ ହୋଇଥିଲା, ଯାହା ପରେ କେନ୍ଦ୍ରୀୟ ସାମରିକ ବାହିନୀ ମୁତୟନ ପାଇଁ ନିର୍ଦ୍ଦେଶ ଜାରି କରାଯାଇଥିଲା। ହାଇକୋର୍ଟଙ୍କ ନିଷ୍ପତ୍ତି ବିରୋଧରେ ପଶ୍ଚିମବଙ୍ଗ ସରକାର ଏବଂ ରାଜ୍ୟ ନିର୍ବାଚନ ଆୟୋଗ ସୁପ୍ରିମକୋର୍ଟଙ୍କ ନିକଟକୁ ଯାଇଥିଲେ ମଧ୍ୟ କୌଣସି ସୁଫଳ ପାଇନଥିଲେ।