ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି 103ତମ ରେଡିଓ ସମ୍ବାଦ କାର୍ଯ୍ୟକ୍ରମ ‘ମନ କୀ ବାତ’ ରେ ଦେଶକୁ ସମ୍ବୋଧିତ କରିଛନ୍ତି । ବିଭିନ୍ନ ସାମ୍ପ୍ରତିକ ପ୍ରସଙ୍ଗ ସହ ଏବେ ଦେଶର ବିଭିନ୍ନ ଭାଗରେ ଜାରି ରହିଥିବା ବର୍ଷା ଓ ବନ୍ଯା ପ୍ରସଙ୍ଗକୁ ନିଜ ସମ୍ବୋଧନରେ ସ୍ଥାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ । ବନ୍ୟା ପରି ବିପର୍ଯ୍ୟୟର ମୁକାବିଲା ପାଇଁ ସଚେତନତା ତଥା ସାମୂହିକ ଉଦ୍ୟମ ପ୍ରଦର୍ଶନ କରିଥିବାରୁ ସେ ଦେଶବାସୀଙ୍କୁ ପ୍ରଶଂସା କରିଛନ୍ତି । ନିଶା ବିରୋଧରେ ଦେଶର ଲଢେଇକୁ ମଧ୍ୟ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ସେ କହିଛନ୍ତି, 12,000 କୋଟିରୁ ଅଧିକ ମୂଲ୍ୟର 10 ଲକ୍ଷ କିଲୋଗ୍ରାମରୁ ଅଧିକ ନିଶାଦ୍ରବ୍ୟ ନଷ୍ଟ କରାଯିବା ଦେଶ ପାଇଁ ଏହା ଏକ ନୂଆ ରେକର୍ଡ । ଯାହା ଏକ ସମ୍ବେଦନଶୀଳ ବର୍ଗକୁ ବିପଥଗାମୀ ହେବାରୁ ରକ୍ଷା କରିବା ଦିଗରେ ଏକ ବଡ଼ ସଫଳତା ମଧ୍ୟ ।
ସେହିପରି ଆସନ୍ତା ମାସରେ ପାଳନ ହେବାକୁ ଯାଉଥିବା ସ୍ବାଧୀନତା ଦିବସ ଅବସରରେ ‘ହର ଘର ତିରଙ୍ଗା’ କାର୍ଯ୍ୟକ୍ରମର ପ୍ରତ୍ୟେକ ଘରେ ତ୍ରିରଙ୍ଗା ଉତ୍ତୋଳନ କରି ପୂର୍ବ ବର୍ଷ ପରି ଦେଶପ୍ରେମ ପରମ୍ପରା ଜାରି ରଖିବାକୁ ମଧ୍ୟ ସେ ଦେଶବାସୀଙ୍କୁ ଅନୁରୋଧ କରିଛନ୍ତି । ଉତ୍ତର ପ୍ରଦେଶରେ ଗୋଟିଏ ଦିନରେ 30 କୋଟି ଚାରା ରୋପଣ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି, ଏହା ଏକ ରେକର୍ଡ । ସମୂହ ସ୍ବାର୍ଥ ସମ୍ବଳିତ କାର୍ଯ୍ୟକ୍ରମରେ ସକ୍ରିୟ ଜନଭାଗିଦାରୀର ଏହା ଏକ ଉଜ୍ଜ୍ୱଳ ଉଦାହରଣ। ନିକଟରେ ତାଙ୍କର ମଧ୍ୟ ପ୍ରଦେଶ ଗସ୍ତ ସମ୍ପର୍କରେ ମଧ୍ୟ ପ୍ରଧନମନ୍ତ୍ରୀ ନିଜ ସମ୍ବୋଧନରେ ଉଲ୍ଲେଖ କରିଛନ୍ତି । ମଧ୍ୟ ପ୍ରଦେଶର ସ୍ଥାନୀୟ ପାକରିଆ ଗାଁର ଆଦିବାସୀ ବାସିନ୍ଦାଙ୍କ ପାରମ୍ପରିକ ବର୍ଷା ଜଳ ସଂରକ୍ଷଣ ପ୍ରଣାଳୀକୁ ମଧ୍ୟ ସେ ପ୍ରଶଂସା କରିଛନ୍ତି । ଏହା ସହିତ ଅନେକ ବିଷୟରେ ସେ ଦେଶବାସୀଙ୍କୁ ସମ୍ବୋଧିତ କରିଛନ୍ତି ।