ଖୋର୍ଦ୍ଧାରେ କଙ୍ଗାରୁ କୋର୍ଟ ଚଳାଇ ଗିରଫ ହୋଇଥିବା ଗୁରୁଜୀ ମାନସ ରଞ୍ଜନ ଦାସଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ, ସର୍ତ୍ତ ଉଲଂଘନ କଲେ ଜାମିନ ରଦ୍ଦ ହେବ
ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ଖୋର୍ଦ୍ଧା ବେଗୁନିଆ ଅଞ୍ଚଳରେ କଙ୍ଗାରୁ କୋର୍ଟ ଘଟଣାକୁ ନେଇ ଚର୍ଚ୍ଚିାରେ ଥିବା ଗୁରୁଜୀ ଓରଫ ମାନସ ରଂଜନ ଦାସଙ୍କୁ ଓଡିଶା ହାଇକୋର୍ଟରୁ ଜାମିନ ମିଳିଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କୁ ନେଇ ଗଠିତ ଖଣ୍ଡପୀଠ ମାନସଙ୍କୁ ୩୦ ହଜାର ଟଙ୍କାର ଦୁଇ ଜଣ ଜାମିନଦାରଙ୍କ ବଦଳରେ ଜାମିନରେ ଛାଡିବାକୁ ନିମ୍ନ ଅଦାଲତଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।
ଜାମିନରେ ଛାଡ ପାଇବା ପରେ ସେ ସମାନ ଧରଣର କୌଣସି ଅପରାଧିକ ମାମଲାରେ ସଂପୃକ୍ତ ହେବେ ନାହିଁ, ସାକ୍ଷ୍ୟ ପ୍ରମାଣକୁ ପ୍ରଭାବିତ କରିବା ଭଳି କାର୍ଯ୍ୟ କରିବେ ନାହିଁ, ଶୁଣାଣି ବେଳେ ନିମ୍ନ ଅଦାଲତରେ ସବୁ ତାରିଖରେ ହାଜର ହେବେ, ସପ୍ତାହରେ ଦିନ ଟିଏ ସ୍ଥାନୀୟ ଥାନାରେ ହାଜର ହେବେ ବୋଲି ହାଇକୋର୍ଟ ସର୍ତ୍ତାରୋପ କରିଛନ୍ତି। ଏଥି ସହିତ ନିମ୍ନ ଅଦାଲତ ଚାହିଁଲେ ଜାମିନ ପାଇଁ ଅନ୍ୟ ସର୍ତ୍ତ ରଖି ପାରିବେ। ଯଦି ସର୍ତ୍ତ ଉଲ୍ଲଂଘନ କରନ୍ତି ତେବେ ତାଙ୍କ ଜାମିନ ରଦ୍ଦ ହେବ ବୋଲି ହାଇକୋର୍ଟଙ୍କ ରାୟରେ ଉଲ୍ଲେଖ କରାଯାଇଛି।
ଅପହରଣ, ହତ୍ୟା, ଧମକ ଦେବା, ପ୍ରମାଣ ନଷ୍ଟ କରିବା, ଷଡଯନ୍ତ୍ର ଭଳି ଅଭିଯୋଗ ନେଇ ମାନସଙ୍କ ବିରୋଧରେ ବେଗୁନିଆ ଥାନାରେ ମାମଲା ରୁଜୁ ହୋଇଥିଲା। ଆଇପିସିର ଦଫା ୩୬୩, ୩୬୪, ୩୦୨, ୨୦୧, ୧୨୦-ଖ, ୧୦୯, ୩୭୯, ୫୦୬, ୩୪ ଓ ଏସ୍ସି ଅାଣ୍ଡ ଏସ୍ଟି (ପିଏ) ଆଇନର ଧାରା ୩ରେ ରୁଜୁ ମାମଲାରେ ମାନସଙ୍କୁ ପୋଲିସ ୨୦୨୧, ସେପ୍ଟେମ୍ବର ୨ରେ ଗିରଫ କରିଥିଲା। ୨୦୨୧, ନଭେମ୍ବର ୧୨ରେ ମାନସଙ୍କ ଜାମିନ ଆବେଦନ ଖୋର୍ଦ୍ଧା ଅତିରିକ୍ତ ଦୌରା ଜଜ୍ ଅଦାଲତ ଖାରଜ କରିବା ପରେ ସେ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ତାଙ୍କର ଏହି ସବୁ ଘଟଣା ସହିତ ସିଧା ସଳଖ ସଂପୃକ୍ତି ନେଇ କୌଣସି ପ୍ରମାଣ ନାହିଁ ବୋଲି ମାନସଙ୍କ ତରଫରୁ ଜାମିନ ଶୁଣାଣି ବେଳେ ଦର୍ଶାଯାଇଥିଲା। ମାନସଙ୍କ ତରଫରୁ ଆଇନଜୀବୀ ଲକ୍ଷ୍ମଣ ପ୍ରଧାନ ମାମଲା ପରିଚାଳନା କରୁଥିଲେ।