ମଣିପୁର ଲଜ୍ଜା ପ୍ରସଙ୍ଗ, ସଂସଦ ଭବନ ଆଗରେ ବିରୋଧୀଙ୍କ ପ୍ରତିବାଦ

0

ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ଲଜ୍ଜା ପ୍ରସଙ୍ଗ ଥମିବାର ନାଁ’ ନେଉନି । ସାରା ଦେଶରେ ଏହାକୁ କଡା ନିନ୍ଦା କରାଯାଉଥିବାବେଳେ ଆଜି ସଂସଦରେ ତାତି ଦେଖିବାକୁ ମିଳିଛି । ସଂସଦ ଭବନ ବାହାରେ ଏକାଠି ହୋଇଛନ୍ତି ବିରୋଧୀ । ମଣିପୁର ପ୍ରସଙ୍ଗ ଉଠାଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଜବାବ ଲୋଡିଛନ୍ତି ବିରୋଧୀ । ସଂସଦରେ ମୋଦୀ ଏହି ପ୍ରସଙ୍ଗରେ ବିବୃତି ରଖନ୍ତୁ ବୋଲି ଦାବି କରିଛନ୍ତି ବିରୋଧୀ ଦଳର ସାଂସଦ ।
ଶାସକ ଦଳ ଏନଡିଏ ବିରୋଧରେ ତିଆରି ହୋଇଥିବା ଇଣ୍ଡିଆ ମେଂଟରେ ଥିବା ସମସ୍ତ ଦଳର ସାଂସଦ ପ୍ରଥମ ଥର ପାଇଁ ସଂସଦ ଭବନ ପରିସରରେ ଏକାଠି ହୋଇଛନ୍ତି । ଆଉ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ମଣିପୁର ହିଂସାକୁ ୨ ମାସରୁ ଅଧିକ ଦିନ ବିତିଛି । ମୋଦୀ ଏହି ପ୍ରସଙ୍ଗରେ ମୌସୁମୀ ଅଧିବେଶନ ଆରମ୍ଭ ଦିନ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖି ନିନ୍ଦା କରିଥିଲେ । ଆଉ ଦୋଷୀ ବିରୋଧରେ କାର୍ୟ୍ୟାନୁଷ୍ଠାନ ହେବ ବୋଲି କହିଥିଲେ । ଏଥିସହ ଦେଶରେ ବିଭିନ୍ନ ସମୟରେ ବଢୁଥିବା ହିଂସା କଥା ଉଠାଇଥିଲେ ।
କିନ୍ତୁ ବିରୋଧୀ ଏହି ପ୍ରସଙ୍ଗରେ ଗୃହରେ ମୋଦୀଙ୍କ ଜବାବ ଲୋଡିଛନ୍ତି । ଗତ ସପ୍ତାହରେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଥିଲେ, ସଂସଦରେ ମଣିପୁର ପ୍ରସଙ୍ଗରେ ଆଲୋଚନା ପାଇଁ ସରକାର ରାଜି । ବାଚସ୍ପତି ତାରିଖ ସ୍ଥିର କରିବେ । ଗୃହମନ୍ତ୍ରୀ ଏ ବାବଦରେ ଉତର ରଖିବେ । ବିରୋଧୀ କିନ୍ତୁ ପ୍ରଧାନମନ୍ତ୍ରୀଙ୍କ ଉତ୍ତର ଦାବି କରି ଅଡି ବସିଛନ୍ତି । ସେପଟେ ମହିଳା ନିର୍ୟାତନା କଥା କହି ବିରୋଧୀ କଂଗ୍ରେସ ଏବଂ ତୃଣମୂଳ କଂଗ୍ରେସକୁ ଘେରିଛି ବିଜେପି । ସଂସଦର ଗାନ୍ଧୀ ପ୍ରତିମୂର୍ତ୍ତି ତଳେ ବିଜେପି ସାଂସଦ ଏକାଠି ହୋଇ ପ୍ରତିବାଦ କରିଛନ୍ତି । ପଶ୍ଚିମବଙ୍ଗରେ ମହିଳାଙ୍କୁ ନିର୍ୟାତନା ଓ ରାଜସ୍ଥାନରେ ମହିଳାଙ୍କ ପ୍ରତି ବଢୁଥିବା ଅତ୍ୟାଚାର କଥା କହି ବିଜେପି ସାଂସଦ ମାନେ ପ୍ରତିବାଦ କରିଛନ୍ତି ।

Leave A Reply

Your email address will not be published.