ଓଡ଼ିଆ ନ୍ୟୁଜ (ବ୍ୟୁରୋ) : ମଣିପୁରରେ ଗୁରୁବାର ଦୁଇ ଜଣ ମହିଳାଙ୍କୁ ଉଲଗ୍ନ କରି ବୁଲାଇବା ଓ ଅସଦାଚରଣ କରିବା ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାପରେ ଏହି ଘଟଣାକୁ କେନ୍ଦ୍ରକରି ସମଗ୍ର ଦେଶରେ ପ୍ରବଳ ହଇଚଇ ସୃଷ୍ଟି ହେବା ସହ ପୂରା ଦେଶକୁ ଦୋହଲାଇ ଦେଇଥିଲା। ତେବେ ଏହି ଜଘନ୍ୟ ଘଟଣାର ଦୁଇ ମୁଖ୍ୟ ଅଭିଯୁକ୍ତଙ୍କୁ ଆଜି ଗିରଫ କରାଯାଇଛି। ମଣିପୁରରେ ଦୀର୍ଘ ଅଢ଼େଇମାସ ଧରି ସଂଘର୍ଷ ଲାଗି ରହିଥିବା ବେଳେ ୨ଜଣ ଆଦିବାସୀ ମହିଳାଙ୍କୁ ଉଲଗ୍ନକରି ରାସ୍ତାରେ ବୁଲାଯାଇଥିବା ଭିଡିଓ ଭାଇରାଲ ହୋଇଛି।
ଏହି ଘଟଣାକୁ ନେଇ ବିଭିନ୍ନ ମହଲରେ ନିନ୍ଦା କରାଯାଇଛି। ଶୁକ୍ରବାର ସମ୍ପୃକ୍ତ ଘଟଣାକୁ ନେଇ ମଣିପୁରର ଚୁରାଚାନ୍ଦପୁର ରାସ୍ତାରେ ହଜାର ହଜାରେ ଲୋକ ଏକତ୍ରିତ ହୋଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି, ଅନ୍ୟପକ୍ଷେ ମଣିପୁର ପୋଲିସ ଗୁରୁବାର ଘଟଣାର ମୁଖ୍ୟ ଅଭିଯୁକ୍ତଙ୍କୁ ଗିରଫ କରିଛି।
ପୋଲିସ ଅଧିକାରୀଙ୍କ କହିବାନୁସାରେ, ଗିରଫ ଅଭିଯୁକ୍ତ ଜଣକ ଘଟଣାର ମାଷ୍ଟରମାଇଣ୍ଡ।ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଘଟଣାକୁ ନେଇ ଦୁଃଖ ପ୍ରକାଶ କରିଛନ୍ତିି। ଏଭଳି ଘଟଣା ମୋତେ ବ୍ୟଥିତ କରିଛି। ମୁଁ ସମସ୍ତ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରୁଛି ଯେ ମା’ ଏବଂ ଭଉଣୀମାନଙ୍କୁ ସୁରକ୍ଷା ଦେବା ପାଇଁ କଠୋର ପଦକ୍ଷେପ ନିଅନ୍ତୁ।
ଘଟଣାରେ ସମ୍ପୃକ୍ତ ଅଭିଯୁକ୍ତଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ପ୍ରତିଶ୍ରୁତି ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ଏନ୍. ବୀରେନ ସିଂ ଜନସାଧାରଣଙ୍କୁ ଆଶ୍ୱାସନା ଦେଇ କହିଛନ୍ତି, ଏହି ଘୃଣ୍ୟ କାର୍ଯ୍ୟରେ ସମ୍ପୃକ୍ତ ସମସ୍ତ ଦୋଷୀଙ୍କ ବିରୋଧରେ କଠୋର ଦଣ୍ଡବିଧାନ ଗ୍ରହଣ କରାଯିବ। ଯେଉଁଥିରେ ମୃତ୍ୟୁଦଣ୍ଡର ମଧ୍ୟ ସମ୍ଭାବନା ରହିଛି।
ଘଟଣାର ଅନୁସନ୍ଧାନ କରିବା ପାଇଁ ପୋଲିସର ଏକ ସ୍ବତନ୍ତ୍ର ଟିମ୍ ଗଠନ କରାଯାଇଥିବା ମୁଖ୍ୟମନ୍ତ୍ରୀ କହିଛନ୍ତି।