ଓଡିଆ ନ୍ୟୁଜ (ବ୍ୟୁରୋ) : ମଣିପୁର ହିଂସାକୁ ନେଇ ଏବେ ସାରା ଦେଶରେ ଚର୍ଚ୍ଚା । ଏହି ପ୍ରସଙ୍ଗରେ ଆଜି ଭାରତ ବନ୍ଦ ଡାକରା ଦିଆଯାଇଛି। ଦେଶରେ ଆଦିବାସୀଙ୍କ ଉପରେ ଅତ୍ୟାଚାର ହେଉଥିବା ଅଭିଯୋଗ ନେଇ ବନ୍ଦ ଡାକରା ଦିଆଯାଇଛି । ମାଲକାନଗିରି ଜିଲ୍ଲାରେ ବନ୍ଦର ପ୍ରଭାବ ଦେଖିବାକୁ ମିଳିଛି । ବିଭିନ୍ନ ସ୍ଥାନରେ ଆଦିବାସୀ ଏକତା ପରିଷଦ କର୍ମକର୍ତ୍ତା ପିକେଟିଙ୍ଗ କରୁଛନ୍ତି । ଦୋକାନ ବଜାର, ଯାନବାହନ ଚଳାଚଳ ପ୍ରଭାବିତ ହୋଇଛି । ଅନେକ ଘରୋଇ ଶିକ୍ଷାନୁଷ୍ଠାନ ମଧ୍ୟ ବନ୍ଦ ରହିଛି । ରାଷ୍ଟ୍ରୀୟ ଆଦିବାସୀ ଏକତା ପରିଷଦ ପକ୍ଷରୁ ବନ୍ଦ ଡାକରା ଦିଆଯାଇଛି । ଏହାରି ଭିତରେ ମଣିପୁରରେ ବିଜେପି ସରକାରକୁ ଲାଗିଛି ଏକ ବଡ଼ ଝଟକା । ଏନଡିଏର ସହଯୋଗୀ କୁକୀ ପିପୁଲ୍ସ ଆଲାଏନ୍ସ ସରକାରରୁ ସମର୍ଥନ ପ୍ରତ୍ୟାହାର କରିନେଇଛି । ରବିବାର ସଂନ୍ଧ୍ୟାରେ ପାର୍ଟି ଏନେଇ ଘୋଷଣା କରିଛି ।
ଅନ୍ୟପଟେ ରାଜ୍ୟରେ ଜାରି ରହିଥିବା ହିଂସା ଓ ୩ମାସ ପରେ ବି ହିଂସା ରୋକିବାରେ ସରକାର ବିଫଳ ହେବାକୁ କୁକୀ ପିପୁଲ୍ସ ଆଲାଏନ୍ସ ପାର୍ଟି ଏଭଳି ନିଷ୍ପତ୍ତି ନେଇଛି । ମଣିପୁର ସରକାରରେ କୁକୀ ପିପୁଲ୍ସ ଅଲାଏନ୍ସ ପାର୍ଟିର ୨ଜଣ ବିଧାୟକ ରହିଛନ୍ତି । ସୂଚନା ଥାଉକି ମେ ୪ ତାରିଖରୁ ମଣିପୁରରେ ଦୁଇ ସଂପ୍ରଦାୟ ମଧ୍ୟରେ ହିଂସା ଜାରି ରହିଛି । ମୈତେଇ ସଂପ୍ରଦାୟକୁ ଜନଜାତି ଭାବେ ଘୋଷଣା କରିବା ପରେ କୁକୀ ସଂପ୍ରଦାୟ ଏହାକୁ ବିରୋଧ କରିଛି । ସେପଟେ ମଣିପୁରରେ ମହିଳାଙ୍କ ଉପରେ ହେଉଥିବା ଅକଥନୀୟ ଅତ୍ୟାଚାରର ଭିଡିଓ ଭାଇରାଲ ହେବା ପରେ ସାରା ବିଶ୍ୱରେ ମଣିପୁର ହିଂସାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଯାଇଛି।