ପିଇବା ପାଣିର ସୁବିଧା ପାଇଁ ରାଜଧାନୀ ଭୁବନେଶ୍ୱରର ବିଭିନ୍ନ ସ୍ଥାନରେ ୱାଟର ଏଟିଏମ୍‌ ଖୋଲାଗଲା, ଏବେ କିନ୍ତୁ ସବୁ ଗୁଡ଼ିକ କୋମାରେ

0

ଓଡ଼ିଆ ନ୍ୟୁଜ୍(ବ୍ୟୁରୋ): ରାଜଧାନୀରେ ସ୍‌ୱଚ୍ଛ ପାଣି ଯୋଗାଇ ଦେବା ପାଇଁ ବିଏମ୍‌ସି ପକ୍ଷରୁ ୨୦୧୪ରେ ୱାଟର ଏଟିଏମ୍‌ ପରିକଳ୍ପନା କରାଯାଇଥିଲା। ଏକ ଘରୋଇ ସଂସ୍ଥା ପରିମଳ ସହ ୱାଟର ଏଟିଏମ୍‌ ଲଗାଇବା ପାଇଁ ବିଏମସି ସହିତ ଚୁକ୍ତି ସ୍‌ାକ୍ଷର କଲା । ୨୦୧୬ ମସିହାରେ ଝରଣା ସାହିରେ ଲାଗିଥିଲା ପ୍ରଥମ ମେସିନ । ଏହା ପରେ ସହରର ବିଭିନ୍ନ ସ୍ଥାନରେ ଆଉ ୩୯ଟି ୱାଟର ଏଟିଏମ୍‌ ଲଗା ଯାଇଥିଲା । ସହରବାସୀଙ୍କୁ ୨୪ ଘଣ୍ଟିଆ ଶୁଦ୍ଧ ଓ ସ୍‌ୱଚ୍ଛ ପାଣି ଯୋଗାଇ ଦେବା ଥିଲା ମୂଳ ଲକ୍ଷ୍ୟ । ମାର୍କେଟ, ହସ୍ପିଟାଲ, ବସ ଷ୍ଟପ, କୋର୍ଟ ଭଳି ଜନ ଗହଳିପୂର୍ଣ୍ଣ ସ୍ଥାନରେ ଲାଗିଲା ଏହି ମେସିନ୍‌ । ଅନେକ ସ୍ଥାନରେ ସ୍ଥାୟୀ ବିଦ୍ୟୁତ୍ ସଂଯୋଗ ହୋଇପାରୁ ନଥିବାରୁ ସୋଲାର ପାୱାର ଦ୍ୱାରା ବିଦ୍ୟୁତ୍ ଯୋଗାଇ ଦିଆଗଲା । ୨୪ ଘଣ୍ଟିଆ କାମ କରିବାକୁ ଥିବା ମେସିନ୍ରୁ ଦୈନିକ ପ୍ରାୟ ୫ ଲକ୍ଷ ଲିଟର ଜଳ ମିଳିବା ବ୍ଯବସ୍ଥା ରହିଛି ।

୪୦ଟି ୱାଟର ଏଟିଏମ୍‌ ଲଗାଇବା ପାଇଁ ୪ କୋଟି ଟଙ୍କା ଖର୍ଚ୍ଚ କରାଯାଇଥିଲା । କମ୍‌ ପଇସା ବିନିମୟରେ ବିଶୁଦ୍ଧ ପାଣି ଯୋଗାଇ ଦେବାର ଏକ ମହତ ଉଦ୍ଦେଶ୍ଯ ନେଇ । ପ୍ରଥମେ ଲୋକେ କଏନ ପକାଇ ଏଟିଏମ୍ରୁ ଜଳ ସଂଗ୍ରହ କରୁଥିଲେ । ପରେ କାର୍ଡ ବ୍ଯବସ୍ଥା କରାଗଲା । ଏହି କାର୍ଡକୁ ସ୍‌ୱାଇପ କରି ଲୋକେ ପାଣି ନେଲେ । ଏହାର ବ୍ଯବହାର କମିବାରୁ ବିଏମସି ମାଗଣାରେ ଜଳ ଯୋଗାଇ ଦେବା ଲାଗି ଘୋଷଣା କଲେ । ଆଉ ଏଥିପାଇଁ ପଇସା ଦେବାକୁ ପଡ଼ିଲା ନାହିଁ । ମାତ୍ର ରକ୍ଷଣା ବେକ୍ଷଣ ଅଭାବରୁ ଅନେକ ଅନେକ ୱାଟର ଏଟିଏମ୍‌ ଏବେ ଅକାମୀ । ପରିଚାଳନା ଓ ରକ୍ଷଣା ବେକ୍ଷଣ ଦାୟିତ୍ବ ନେଇଥିବା ସଂସ୍ଥା ପିରାମଳ ର ଟେଣ୍ଡର ଗତ ବର୍ଷ ଜୁନ ମାସରୁ ସରି ଯାଇଛି । ଟେଣ୍ଡର ସରିବାର ଏକ ବର୍ଷ ପାଖାପାଖି ହୋଇ ଗଲାଣି । ଏବେବି ବିଏମ୍ସି ଟେଣ୍ଡର ନବୀକରଣ କରିନାହିଁ । ସେଥିଲାଗି ବିନା ରକ୍ଷଣା ବେକ୍ଷଣରେ ଅଦରକାରୀ ହୋଇ ପଡ଼ି ରହିଛି ଓ୍‌ାଟର ଏଟିଏମ୍‌ ସବୁ ।

ସେହିପରି ସହରରେ ଅନ୍ଯ ଏକ ସଂସ୍ଥାକୁ ବିଏମସି ଆଉ ୧୦ଟି ୱାଟର ଏଟିଏମ୍‌ର ପରିଚାଳନା ଦାୟିତ୍ୱ ଦେଇଥିଲା । ପରବର୍ତ୍ତୀ ସମୟରେ କୌଣସି କାରଣରୁ ଚାରିଟି ମେସିନ୍କୁ ହଟା ଯାଇଥିଲା । ଏବେ ୬ଟି ମେସିନ୍ର ଦାୟିତ୍  ମିଳିଛି ଉକ୍ତ ସଂସ୍ଥାକୁ । ସେହି ସଂସ୍ଥା କିନ୍ତୁ ଠିକ୍‌ରେ ତାର କାମ ନକରିବାରୁ ବିଏମସି ଏହାକୁ ମନା କରିଦେଇଛି । ଫଳରେ ଓ୍‌ାଟର ଏଟିଏମ୍‌ ଅଚଳ । ଲୋକେ ଦୋକାନରୁ ଅଧିକ ଖର୍ଚ୍ଚ କରି ପାଣି କିଣୁଛନ୍ତି । ବିଏମସି ନିକଟ, କଳ୍ପନା ଟ୍ରାଫିକ ପୋଷ୍ଟ, ରବୀନ୍ଦ୍ର ମଣ୍ଡପ, ବୟନିକା ଭବନ୍‌, ବାଣୀ ବିହାର , କଳିଙ୍ଗ ଷ୍ଟାଡିୟମ, ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟ ଭଳି ଏକାଧିକ ସ୍ଥାନରେ ୱାଟର ଏଟିଏମ୍‌ ଆଦୌ କାମ କରୁନାହିଁ । ଦିଲ୍ଲୀ ପରେ ଭୁବନେଶ୍ଵର ହେଉଛି ଦେଶରର ଏକମାତ୍ର ସହର ଯେଉଁଠି ୱାଟର ଏଟିଏମ୍‌ ବ୍ଯବସ୍ଥା ରହିଛି । ମାତ୍ର ରକ୍ଷଣା ବେକ୍ଷଣ ଅଭାବରୁ ଏହି ସୁନ୍ଦର ଯୋଜନା କେବଳ ଉପହାସ କରୁଛି କର୍ତ୍ତୃକ୍ଷଙ୍କୁ । ଏହାକୁ ପୁନଃ ଚାଲୁ କରି ଉଦ୍ଦେଶ୍ଯ ପୂରଣ କରିବାରେ ରହିଥିବା ସମସ୍ଯାଗୁଡ଼ିକର କଣ ତୁରନ୍ତ ସମାଧାନ କରାଯାଇ ପାରିବନି ?

Leave A Reply

Your email address will not be published.