ଓଡ଼ିଆ ନ୍ୟୁଜ୍: ଛତିଶଗଡ଼ ବିଜାପୁରରେ ପୁଣି ମାତିଲେ ମାଓବାଦୀ। ଘରୁ ଡାକି ନେଇ ବିଜେପି କର୍ମୀଙ୍କୁ ହତ୍ୟା କଲେ।ପୋଲିସ ଇନ୍ଫର୍ମର ସନ୍ଦେହରେ ବିଜେପି କର୍ମୀଙ୍କୁ ହତ୍ୟା।ମୃତକ ସତ୍ୟମ ପୁନେମ, ବିଜାପୁରରେ ମଣ୍ଡଳସ୍ତରୀୟ କର୍ମୀ।ପୂର୍ବରୁ ବି ସତ୍ୟମ ପୁନେମଙ୍କୁ ଏକାଧିକ ଥର ଚେତାବନୀ ଦେଇଥିଲେ ନକ୍ସଲ। ଘଟଣା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପ୍ରାୟ ୨୦ରୁ ଊର୍ଦ୍ଧ୍ବ ନକ୍ସଲ ମଞ୍ଜଲାକାଂକେର ଗ୍ରାମରେ ପହଞ୍ଚି ସତ୍ୟମଙ୍କ ଘରେ ଚଢଉ କରିଥିଲେ।
ସେ ଶୋଇଥିବା ବେଳେ ତାକୁ ଘରୁ ଟାଣି ଆଣି ପୁଲିସ ଇନଫର୍ମର ଦର୍ଶାଇ ପ୍ରଥମେ ନିର୍ଦ୍ଧୁମ ପିଟିଥିଲେ। ପରିବାର ଲୋକଙ୍କ ସାମ୍ନାରେ ହିଁ ତାକୁ ଅତି ନିର୍ମମ ଭାବେ ହତ୍ୟା କରିଥିଲେ। ପରିବାର ଲୋକେ ଯେତେ ନେହୁରା ହୋଇଥିଲେ ମଧ୍ୟ ନକ୍ସଲ ସତ୍ୟମଙ୍କୁ ଛାଡିନଥିଲେ। ଖବର ପାଇ ପୁଲିସ ଆଜି ସକାଳେ ଗାଁରେ ପହଞ୍ଚି ସତ୍ୟମଙ୍କ ଶବ ଜବତ କରିବା ସହ ବ୍ୟବଛେଦ କରାଇ ପରିବାରକୁ ହସ୍ତାନ୍ତର କରିଛି।