୫୦ବର୍ଷ ବୟସରେ ପାଦ ଥାପିଲେ ମାଷ୍ଟର ବ୍ଲାଷ୍ଟର ସଚିନ୍‌ ତେନ୍ଦୁଲକର

0

ଓଡ଼ିଆ ନ୍ୟୁଜ (ବ୍ୟୁ୍ରୋ) : ଆଜି ସଚିନ୍‌ ତେନ୍ଦୁଲଙ୍କର ଜନ୍ମଦିନ । ସେ ଆଜି ୫୦ବର୍ଷରେ ପାଦ ଥାପିଛନ୍ତି । ୨୪ ବର୍ଷ ଧରି କ୍ରିକେଟ୍‌ ଜୀବନ ମଧ୍ୟରେ ଅନେକ କୀର୍ତ୍ତିମାନ ତାଙ୍କ ନାମରେ ରହିଛି । ଟେଷ୍ଟ ଓ ଦିନିକିଆରେ ସର୍ବାଧିକ ରନ୍‌ ସହିତ ଶତକ ଓ ଅର୍ଦ୍ଧଶତକରେ ବି ସେ ଆଗରେ ଅଛନ୍ତି । ଆନ୍ତର୍ଜାତିକ ପଦାର୍ପଣର ଦୁଇ ବର୍ଷ ପୂର୍ବରୁ ଅର୍ଥାତ୍‌ ୧୯୮୭ରେ ମୁମ୍ବାଇରେ ଏକ ପ୍ରଦର୍ଶନୀ ମ୍ୟାଚରେ ଏକଦା ସଚିନ ଭାରତ ବିପକ୍ଷରେ ପାକିସ୍ତାନ ପାଇଁ କ୍ଷେତ୍ରରକ୍ଷଣ କରିଥିଲେ । ମଧ୍ୟାହ୍ନ ବିରତି ସମୟରେ ଜାଭେଦ ମିଆଁଦାଦ୍‌ ଓ ଅବଦୁଲ କାଦିର ପଡିଆ ଛାଡିଥିଲେ । ସେତେବେଳେ ଭ୍ରମଣକାରୀ ଦଳ ପକ୍ଷରୁ କ୍ଷେତ୍ରରକ୍ଷଣ କରିବାକୁ ସଚିନଙ୍କୁ ଅନୁରୋଧ କରାଯାଇଥିଲା । ଆନ୍ତର୍ଜାତିକ ଦିନିକିଆରେ ୫ ୱିକେଟ୍‌ ସଫଳତା ପାଇବାରେ ମହାନ୍‌ ସ୍ପିନର ସେନ୍‌ ୱର୍ଣ୍ଣଙ୍କୁ ସଚିନ୍‌ ପଛରେ ପକାଇଥିଲେ । ୱର୍ଣ୍ଣ ମାତ୍ର ଥରେ ଏହି ସଫଳତା ପାଇଥିଲା ବେଳେ ସଚିନ୍‌ ଦୁଇଥର ୫ ୱିକେଟ୍‌ ନେଇଛନ୍ତି ।

ପ୍ରଥମ ବ୍ୟାଟର ଭାବେ ଦିନିକିଆ ଆନ୍ତର୍ଜତିକରେ ଦ୍ୱିଶତକ ଅର୍ଜନ କରିଥିଲେ । ୨୦୧୦ରେ ଦକ୍ଷିଣ ଆଫ୍ରିକା ବିପକ୍ଷରେ ସେ ପ୍ରଥମ ଥର ଏହି ମାଇଲ୍‌ଖୁଣ୍ଟ ଛୁଇଁଥିଲା ବେଳେ ଅପରାଜିତ ୨୦୦ ସ୍କୋର କରିଥିଲେ । ୧୯୯୨ରେ ସଚିନ୍‌ଙ୍କୁ ୧୯ ବର୍ଷ ବୟସ ହୋଇଥିଲା ବେଳେ ୟର୍କସାୟର କାଉଣ୍ଟି କ୍ରିକେଟ କ୍ଲବ୍‌ ରେ ଯୋଗଦେଇଥିଲେ । ଏହାଦ୍ୱାରା ସେ ସବୁଠୁ କମ୍‌ ବୟସ୍କ ଭାରତୀୟ ଭାବେ ଇଂଲିଶ କାଉଣ୍ଟି କ୍ରିକେଟ୍‌ରେ ଖେଳିବାର ଗୌରବ ଅର୍ଜନ କରିଥିଲେ । ୟର୍କସାୟର ପାଇଁ ସେ ୧୬ ମ୍ୟାଚ୍‌ରୁ ୧୦୭୦ ରନ୍‌ ସଂଗ୍ରହ କରିଥିଲେ । ୧୯୮୯ରେ ପାକିସ୍ତାନ ବିପକ୍ଷ ଟେଷ୍ଟ ପଦାର୍ପଣ ସମୟରେ ଅଲରାଉଣ୍ଡର କପିଳ ଦେବ ତାଙ୍କର ୧୦୦ତମ ଟେଷ୍ଟ ମ୍ୟାଚ୍‌ ଖେଳୁଥିଲେ । ବିଶିଷ୍ଟ ସଂଗୀତ ସଂଯୋଜକ ସଚିନ୍‌ ଦେବ ବର୍ମନଙ୍କ ନାମ ଅନୁସାରେ ସଚିନ୍‌ଙ୍କ ନାମକରଣ କରାଯାଇଥିଲା । କାରଣ ସଚିନ୍‌ଙ୍କ ବାପା ପ୍ରଫେସର ରମେଶ ତେନ୍ଦୁଲକର ବର୍ମନଙ୍କ ସଂଗୀତର ଜଣେ ବଡ ପ୍ରଶଂସକ ଥିଲେ । ସଚିନ୍‌ଙ୍କ ମା’ ରଜନୀ ତେନ୍ଦୁଲକର ପ୍ରଥମ ଥର ପାଇଁ ତାଙ୍କୁ ତାଙ୍କ ବିଦାୟୀ ଟେଷ୍ଟ ମ୍ୟାଚ୍‌ ଖେଳ ଦେଖିଥିଲେ । ଆଇପିଏଲ୍‌ ୨୦୧୦ରେ ସଚିନ୍‌ ସର୍ବାଧିକ ରନ୍‌ ସଂଗ୍ରହକାରୀ ହୋଇଥିଲେ । ୧୫ ମ୍ୟାଚ୍‌ରୁ ସେ ୬୧୮ ରନ୍‌ କରିଥିଲେ । କ୍ରିକେଟ୍‌ କ୍ୟାରିୟରରେ ସଚିନ୍‌ ସର୍ବଦା ତ୍ରିରଙ୍ଗା ଛପା ହୋଇଥିବା କିଟ୍‌ ବ୍ୟାଗ୍‌ ବ୍ୟବହାର କରୁଥିଲେ । ସେ ପ୍ରଥମ କ୍ରୀଡାବିତ୍‌ ଭାବେ ୨୦୧୪ରେ ଭାରତର ସର୍ବୋଚ୍ଚ ବେସାମରିକ ସମ୍ମାନ ଭାରତ ରତ୍ନ ଗ୍ରହଣ କରିଥିଲେ । କ୍ରିକେଟ୍‌ ବିଶ୍ୱକପ୍‌ରେ ସଚିନ୍‌ ସବୁଠୁ ଅଧିକ ୯ ଥର ମ୍ୟାଚର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଛନ୍ତି । ସଚିନଙ୍କ ସର୍ବପ୍ରଥମ କାର୍‌ ହେଉଛି ମାରୁତି ୮୦୦ । ଋଣ କରି ସେ ଏହି କାର୍‌ କିଣିଥିଲେ । ପରେ ତାଙ୍କର ଦମ୍‌ଦାର କ୍ରିକେଟ୍‌ ପ୍ରଦର୍ଶନ ଯୋଗୁଁ ସେ ପ୍ରତିଷ୍ଠିତ କାର୍‌ କମ୍ପାନି ବିଏମ୍‌ଡବ୍ଲୁର ବ୍ରାଣ୍ଡ ଆମ୍ବାସାଡର ହୋଇଥିଲେ । ପ୍ରଥମ ଆନ୍ତର୍ଜାତିକ ବ୍ୟାଟର ଭାବେ ସେ ତୃତୀୟ ଅମ୍ପାୟାରଙ୍କ ଦ୍ୱାରା ରନ୍‌ଆଉଟ୍‌ ଘୋଷିତ ହୋଇଥିଲେ ।

Leave A Reply

Your email address will not be published.