OPSC ଦ୍ଵାରା ପ୍ରକାଶିତ ପବ୍ଲିକ ପସ୍ୟୁକୁଟର ନିଯୁକ୍ତି ନେଇ ମାମଲା ହାଇକୋର୍ଟରେ ପହଂଚିଛି, ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ
ଓଡ଼ିଆ ନ୍ୟୁଜ(ବ୍ୟୁରୋ): ଓଡିଶା ଲୋକସେବା ଆୟୋଗ ଦ୍ଵାରା ପ୍ରକାଶିତ ପବ୍ଲିକ ପସ୍ୟୁକୁଟର ନିଯୁକ୍ତି ନେଇ ମାମଲା ହାଇକୋର୍ଟରେ ପହଂଚିଛି। ଏହି ମାମଲାକୁ ବିଚାର ପାଇଁ ଗ୍ରହଣ କରି ଓଡିଶା ହାଇକୋର୍ଟ ପ୍ରତିପକ୍ଷ ରାଜ୍ୟ ସରକାର ଓ ଓପିଏସସି ଜବାବ ଦାଖଲ କରିବାକୁ ନୋଟିସ ଜାରି କରିଛନ୍ତି। ଓଡିଶା ଲୋକସେବା ଆୟୋଗ ପକ୍ଷରୁ ରାଜ୍ୟରେ ୬ଟି ପବ୍ଲିକ ପସ୍ୟୁକୁଟର ନିଯୁକ୍ତି କରିବାକୁ ସ୍ୱତନ୍ତ୍ର ଡ୍ରାଇଭ ଜରିଆରେ ଏସସି ଓ ଏସଟି ପ୍ରାର୍ଥୀଙ୍କ ପାଇଁ ବିଜ୍ଞାପନ ପ୍ରକାଶ କରିଥିଲେ। ଏହାକୁ ସୁରେନ୍ଦ୍ର କୁମାର ସାହୁ ଓ ଅନ୍ୟ ମାନଙ୍କ ପକ୍ଷରୁ ହାଇକୋର୍ଟରେ ଚାଲେଞ୍ଜ କରାଯାଇଛି।
ଲଗାତର ତିନି ବର୍ଷ ଧରି ଏସସି ଏସଟି ପଦବୀ ଖାଲି ରହି ଥିଲେ ସ୍ୱତନ୍ତ୍ର ଡ୍ରାଇଭ ହେବା କଥା। କିନ୍ତୁ ପବ୍ଲିକ ପସ୍ୟୁକୁଟର ନିଯୁକ୍ତି କ୍ଷେତ୍ରରେ ସେଭଳି ହୋଇନାହିଁ। ରାଜ୍ୟରେ ଏବେ ୨୭ ଟି ପବ୍ଲିକ ପସ୍ୟୁକୂଟର ପଦବୀ ଖାଲି ଥିବା ବେଳେ ଡ଼ାଇରେକ୍ଟ ନିଯୁକ୍ତି ପାଇଁ ଏଥିରୁ ୨୫ ପ୍ରତିଶତ ଅର୍ଥାତ ୭ ଟି ପଦବୀ ପାଇଁ ସାଧାରଣ ବିଜ୍ଞାପନ ପ୍ରକାଶ କରିବା କଥା। ଯେଉଁଥିରେ ଅଣସଁରକ୍ଷିତ ଓ ଏସଇବିସି ପ୍ରାର୍ଥୀଙ୍କ ପାଇଁ ରହିବା କଥା।ତେଣୁ ଏଭଳି ବିଜ୍ଞାପନକୁ ଖାରଜ କରି ସାଧାରଣ ବିଜ୍ଞାପନ ପ୍ରକାଶ କରିବାକୁ ପ୍ରାର୍ଥନା କରାଯାଇଛି। ଜଷ୍ଟିସ ଆଦିତ୍ୟ କୁମାର ମହାପାତ୍ରଙ୍କ ଖଣ୍ଡପୀଠ ଆବେଦନକୁ ବିଚାର ପାଇଁ ଗ୍ରହଣ କରି ରାଜ୍ୟ ସରକାର ଓ ଓପିଏସସି ୪ ସପ୍ତାହ ମଧ୍ୟରେ ଜବାବ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ମଧ୍ୟରେ ଓପିଏସସି ନିଯୁକ୍ତି କଲେ ହାଇକୋର୍ଟରେ ମାମଲାର ଚୂଡାନ୍ତ ରାୟ ଉପରେ ସେହି ନିଯୁକ୍ତିର ଭାଗ୍ୟ ନିର୍ଦ୍ଧାରଣ କରିବ ବୋଲି ହାଇକୋର୍ଟ ସ୍ପଷ୍ଟ କରି ଦେଇଛନ୍ତି