ଓଡ଼ିଆ ନ୍ୟୁଜ,(ବ୍ୟୁରୋ): ମେ ଶେଷ ସପ୍ତାହରେ ବାହାରିବାକୁ ଯାଉଛି ମାଟ୍ରିକ୍ ପରୀକ୍ଷାଫଳ । ଏନେଇ ବୋର୍ଡ ପକ୍ଷରୁ ସୂଚନା ଦିଆଯାଇଛି । ଯେ ମେ ମାସ ଶେଷ ସୁଦ୍ଧା ମାଟ୍ରିକ ଫଳାଫଳ ପ୍ରକାଶ କରାଯିବ ।ମାଟ୍ରିକ ସହ ମଧ୍ୟମା ଓ ରାଜ୍ୟ ମୁକ୍ତବିଦ୍ୟାଳୟ ଫଳ ଏକକାଳୀନ ପ୍ରକାଶ ପାଇବ ବୋଲି ଜଣାପଡିଛି। ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ସବୁ ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ ପହଞ୍ଚିଛି।
ସୂଚନା ଯୋଗ୍ୟ, ମାଟ୍ରିକ, ମଧ୍ୟମା ଓ ମୁକ୍ତବିଦ୍ୟାଳୟ ପରୀକ୍ଷା ଚଳିତବର୍ଷ ଫେବୃଆରୀ ୨୦ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୪ ତାରିଖ ପର୍ଯ୍ୟନ୍ତ ଚାଲିଥିଲା। ମାଟ୍ରିକରେ ୫ ଲକ୍ଷ ୫୧ ହଜାର ୬୧୧ ଛାତ୍ରୀଛାତ୍ର, ମଧ୍ୟମାରେ ୩୦୩୭ଜଣ ଓ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ପାଇଁ ୭୮୩୧ଜଣ ଫର୍ମପୂରଣ କରିଥିଲେ। ସମସ୍ତ ପରୀକ୍ଷା ୩୦୩୭ ପରୀକ୍ଷା କେନ୍ଦ୍ରରେ ଅନୁଷ୍ଠିତ ହୋଇଥିଲା। ଖାତା ମୂଲ୍ୟାୟନ ମାର୍ଚ୍ଚ ୧୫ ତାରିଖରୁ ଆରମ୍ଭ ହୋଇ ମାର୍ଚ୍ଚ ୩୦ ପର୍ଯ୍ୟନ୍ତ ଚାଲିଥିଲା। ଫଳ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀ ଡିଜିଟାଲ ସାର୍ଟିଫିକେଟ ସଂଗ୍ରହ କରିପାରିବେ ।
ଏଥିପାଇଁ ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସମସ୍ତ ପ୍ରକାର ପ୍ରସ୍ତୁତି ଚୂଡାନ୍ତ ପର୍ଯ୍ୟାୟରେ । ନିର୍ବାଚନ ପାଇଁ ଖାତା ଦେଖାରେ ବିଳମ୍ବ ହୋଇଥିଲେ ମଧ୍ୟ ଚଳିତ ମାସ ଶେଷ ସୁଦ୍ଧା ଫଳାଫଳ ପ୍ରକାଶ କରାଯିବା ପାଇଁ ସମସ୍ତ ପ୍ରସ୍ତୁତି ଚାଲିଛି । ଆହୁରି ମଧ୍ୟ ଛାତ୍ରଛାତ୍ରୀମାନେ କିପରି ସୁବିଧାରେ ଡିଜିଟାଲ ସାର୍ଟିଫିକେଟ ପାଇପାରିବେ ସେନେଇ ଏକ ସଚେତନତା କାର୍ଯ୍ୟକ୍ରମ ଆସନ୍ତା ୧୮ ତାରିଖରେ କଟକରେ ଅନୁଷ୍ଠିତ ହେବାକୁ ଧାର୍ଯ୍ୟ କରାଯାଇଛି । ଯେଉଁଥିରେ ପ୍ରମାଣପତ୍ର କିପରି ଡାଉନଲୋଡ କରାଯିବ, ସେ ବିଷୟରେ ସମସ୍ତ ତଥ୍ୟ ପ୍ରଦାନ କରିବା ନେଇ ସୂଚନା ମିଳିଛି ।
Comments are closed.